ସଂଯୋଜିକା ଓ ଶୁପରଭାଇଜ ଙ୍କ ପ୍ରଜା କୋର୍ଟ ଆଣ୍ଠେଇଲେ ଅଙ୍ଗନବାଡି କର୍ମି

ସଂଯୋଜିକା ଓ ଶୁପରଭାଇଜ ଙ୍କ ପ୍ରଜା କୋର୍ଟ ଆଣ୍ଠେଇଲେ ଅଙ୍ଗନବାଡି କର୍ମି

 ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କାଳିଆଗୁଡ଼ା ସେକ୍ଟରରେ ଜଣେ ଅଙ୍ଗନୱାଡ଼ି କର୍ମୀଙ୍କୁ ଦୁର୍ବ୍ୟବହାର, କ୍ଷମା ମାଗିବାକୁ ଚାପ ଓ ଆଣ୍ଠେଇ ଦେବା ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଅସୁସ୍ଥ ଅବସ୍ଥାରେ ଥିବା ସତ୍ତ୍ୱେ ଜଣେ କର୍ମୀଙ୍କୁ ଆଣ୍ଠେଇ ଦିଆଯିବା ପରେ ସେ ଅଚେତ ହୋଇ ତଳେ ପଡ଼ିଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଅଙ୍ଗନୱାଡ଼ି କର୍ମୀ ଓ ସ୍ଥାନୀୟ ମହଳରେ ଅସନ୍ତୋଷ ତେଜିବାରେ ଲାଗିଛି।

ଗତ ୨୯ ତାରିଖରେ କାଳିଆଗୁଡ଼ା ସେକ୍ଟରର ସମସ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ନେଇ ଏକ ବୈଠକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ବୈଠକ ସମ୍ପର୍କରେ ସେକ୍ଟର ସୁପରଭାଇଜର ରଜନୀ ବେହେରା ସମସ୍ତ କର୍ମୀଙ୍କୁ ଅବଗତ କରାଇଥିଲେ। ବୈଠକରେ ଜିଲ୍ଲା ସଂଯୋଜିକା ଲିସା ନାୟକ, କାଳିଆଗୁଡ଼ା ସେକ୍ଟର ସୁପରଭାଇଜର ରଜନୀ ବେହେରା ଓ ପାଙ୍ଗାମ ସେକ୍ଟର ସୁପରଭାଇଜର ଚାରୁଲତା ଦାସଙ୍କ ସମେତ ପ୍ରାୟ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ।

ତେବେ ବୈଠକ ସରିବା ପରେ କାଳିଆଗୁଡ଼ା କେନ୍ଦ୍ରର ଅଙ୍ଗନୱାଡ଼ି କର୍ମୀ ରାଧାମଣି ନାୟକଙ୍କୁ ଅଲଗା ଭାବେ ଭିତରକୁ ଡାକି ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଆଶା କର୍ମୀ ଓ ଏଏନଏମ୍ କାହିଁକି ଉପସ୍ଥିତ ନଥିଲେ ବୋଲି ତାଙ୍କୁ ପଚରାଯାଇଥିଲା। ଏହାର ଉତ୍ତରରେ ରାଧାମଣି କହିଥିଲେ ଯେ, ଆଶା ଓ ଏଏନଏମ୍‌ମାନେ ମଧ୍ୟ ଅଙ୍ଗନୱାଡ଼ି କର୍ମୀଙ୍କ ସହ ପ୍ରଶିକ୍ଷଣ ନେବେ ବୋଲି ତାଙ୍କୁ ପୂର୍ବରୁ ଜଣାଇ ଦିଆଯାଇନଥିଲା। ଯଦି ପୂର୍ବରୁ ଏନେଇ ସୂଚନା ଦିଆଯାଇଥାନ୍ତା, ସେମାନଙ୍କୁ ମଧ୍ୟ ଖବର ଦିଆଯାଇଥାନ୍ତା ବୋଲି ସେ କହିଥିଲେ।

ଅଭିଯୋଗ ଅନୁଯାୟୀ, ଏହି କଥାକୁ ନେଇ ରାଧାମଣିଙ୍କୁ କ୍ଷମା ମାଗିବାକୁ ଚାପ ପକାଯାଇଥିଲା। ସେ କ୍ଷମା ନ ମାଗିବାରୁ ତାଙ୍କୁ ଆଣ୍ଠେଇ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ରାଧାମଣି ପୂର୍ବରୁ ଅସୁସ୍ଥ ଥିବା ସମ୍ପର୍କରେ ସୁପରଭାଇଜରମାନଙ୍କୁ ଜଣାଇଥିବା ସତ୍ତ୍ୱେ ତାଙ୍କ ସହ ଏଭଳି ବ୍ୟବହାର କରାଯାଇଥିବା ଦାବି କରାଯାଇଛି।

କିଛି ସମୟ ପରେ ରାଧାମଣି ଅସୁସ୍ଥ ହୋଇ ଅଚେତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ସେହି ସମୟରେ ପାଙ୍ଗାମ ସେକ୍ଟର ସୁପରଭାଇଜର ଚାରୁଲତା ଦାସ ଗେଟ୍ ବନ୍ଦ କରି ଠିଆ ହୋଇଥିବାରୁ ଅନ୍ୟମାନଙ୍କୁ ଭିତରକୁ ଯିବାକୁ ଦିଆଯାଉନଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ପରେ ଜଣେ ସହକର୍ମୀ ଦୌଡ଼ି ଯାଇ ରାଧାମଣିଙ୍କୁ ଉଠାଇ ସହାୟତା କରିଥିଲେ।

ଘଟଣା ସମୟରେ ଜିଲ୍ଲା ସଂଯୋଜିକା ଲିସା ନାୟକ, କାଳିଆଗୁଡ଼ା ସେକ୍ଟର ସୁପରଭାଇଜର ରଜନୀ ବେହେରା ଓ ପାଙ୍ଗାମ ସେକ୍ଟର ସୁପରଭାଇଜର ଚାରୁଲତା ଦାସ ଉପସ୍ଥିତ ଥିବା ସତ୍ତ୍ୱେ ଅସୁସ୍ଥ ହୋଇପଡ଼ିଥିବା ରାଧାମଣିଙ୍କୁ ତୁରନ୍ତ ସହାୟତା କରାଯାଇନଥିବା ନେଇ ଅଭିଯୋଗକାରୀମାନେ ପ୍ରଶ୍ନ ଉଠାଇଛନ୍ତି।

ସୁପରଭାଇଜରଙ୍କ ପାରିବାରିକ ପରିଚୟକୁ ନେଇ ଉଠିଲା ପ୍ରଶ୍ନ

ଏହି ଘଟଣା ପରେ କାଳିଆଗୁଡ଼ା ସେକ୍ଟର ସୁପରଭାଇଜର ରଜନୀ ବେହେରା ସ୍ଥାନୀୟ ବିଡିଓଙ୍କ ପତ୍ନୀ ହୋଇଥିବା କଥାକୁ ନେଇ ମଧ୍ୟ ସ୍ଥାନୀୟ ମହଳରେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ପାରିବାରିକ ପରିଚୟ ଯୋଗୁଁ କୌଣସି ପ୍ରକାର ପ୍ରଭାବ ପଡ଼ିବ କି ନାହିଁ ଏବଂ ଘଟଣାର ତଦନ୍ତ ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ ହେବ କି ନାହିଁ, ତାହାକୁ ନେଇ ଅଭିଯୋଗକାରୀ ଓ ସ୍ଥାନୀୟ ମହଳରେ ପ୍ରଶ୍ନ ଉଠିଛି। କିଛି ଅଭିଯୋଗକାରୀଙ୍କ ମତରେ, ଏଭଳି ପାରିବାରିକ ପରିଚୟର ଆଡ଼ରେ କୌଣସି ଅଧିକାରୀ କର୍ମୀଙ୍କ ସହ କ୍ଷମତାର ଅପବ୍ୟବହାର କିମ୍ବା ଦାଦାଗିରି କରିବାର ସୁଯୋଗ ପାଇବା ଉଚିତ ନୁହେଁ। ସରକାରୀ କର୍ମଚାରୀ ଭାବେ ସମସ୍ତଙ୍କ ସହ ସମାନ ଓ ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାର କରାଯିବା ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି।

ଏହି ଘଟଣାର ସୂଚନା ଦେଇ ଜିଲ୍ଲା ପରିଷଦ ସଦସ୍ୟା ଲକ୍ଷ୍ମୀପ୍ରିୟା ନାୟକ, ସସ୍ମିତା ମାଝୀ ଓ ଅଙ୍ଗନୱାଡ଼ି ସଂଘ ସଭାପତି ଲଛମା ନାଲି ପ୍ରମୁଖ ମାଥିଲି ସିଡିପିଓଙ୍କୁ ଏକ ଦରଖାସ୍ତ ପ୍ରଦାନ କରି ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ତୁରନ୍ତ ଘଟଣାର ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ମାଥିଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଅଭିଯୋଗକାରୀମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଭିଯୋଗର ତଦନ୍ତ ପରେ ହିଁ ଘଟଣାର ସମ୍ପୂର୍ଣ୍ଣ ସତ୍ୟତା ସ୍ପଷ୍ଟ ହେବ।

(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)