ସମ୍ଭାବ୍ୟ ବାତ୍ୟାକୁ ନେଇ ଗୁଣୁପୁର ଉପଖଣ୍ଡ ପ୍ରଶାସନର ପୂର୍ବ ପ୍ରସ୍ତୁତି ଆରମ୍ଭ
ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାର ଗୁଣୁପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ବ୍ୟାପକ ପୂର୍ବ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଉପଖଣ୍ଡର ସମସ୍ତ ବ୍ଲକ ଓ ବିଭାଗୀୟ ଅଧିକାରୀଙ୍କୁ ସଜାଗ ରହିବା ସହ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବନ୍ୟା ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳଗୁଡ଼ିକର ସ୍ଥିତି ଉପରେ ବିଶେଷ ନଜର ରଖାଯାଉଛି। ଆବଶ୍ୟକ ପଡ଼ିଲେ ତଳିଆ ଓ ବିପଦସଙ୍କୁଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି କରାଯାଇଛି। ଆଶ୍ରୟସ୍ଥଳ, ପାନୀୟ ଜଳ, ଖାଦ୍ୟ, ବିଦ୍ୟୁତ, ସ୍ୱାସ୍ଥ୍ୟସେବା ଓ ଜରୁରୀକାଳୀନ ଉଦ୍ଧାର ସାମଗ୍ରୀ ସଜାଗ ରଖିବାକୁ ସମ୍ପୃକ୍ତ ବିଭାଗକୁ କୁହାଯାଇଛି।
ଏହା ସହିତ ଅଗ୍ନିଶମ ବାହିନୀ, ଓଡ୍ରାଫ, ପୋଲିସ, ବିଦ୍ୟୁତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟରେ ସମନ୍ୱୟ ରଖି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଲୋକମାନଙ୍କୁ ଗୁଜବରେ ବିଶ୍ୱାସ ନକରି କେବଳ ସରକାରୀ ପାଣିପାଗ ବିଭାଗ ଓ ପ୍ରଶାସନର ସୂଚନାକୁ ଅନୁସରଣ କରିବାକୁ ଅନୁରୋଧ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଦକ୍ଷିଣ ଓଡ଼ିଶାର ରାୟଗଡା ଜିଲ୍ଲାକୁ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଦୃଷ୍ଟିରେ ସତର୍କ ତାଲିକାରେ ରଖାଯାଇଥିବାରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତିକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ


admin 
