୩୫୨ ବଜ୍ରକାପ୍ତା କାତି ଜବତ, ୬ ଗିରଫ

୩୫୨ ବଜ୍ରକାପ୍ତା କାତି ଜବତ, ୬ ଗିରଫ

ମାଥିଲି  ମାଲକାନଗିରି, ଜିଲ୍ଲା ବଜ୍ରକାପ୍ତା କାତିର ଅବୈଧ ଶିକାର ଓ ବାଣିଜ୍ୟ ବିରୋଧରେ ମାଲକାନଗିରି ବନ ବିଭାଗର ବଡ଼ ସଫଳତା। ବିଶ୍ୱସନୀୟ ସୂଚନା ଆଧାରରେ ଗତ ୧୨ ତାରିଖରେ ମାଲକାନଗିରି ଓ ମାଥିଲି ବନାଞ୍ଚଳର କର୍ମଚାରୀମାନେ ପଦ୍ମରିଗି–ପାଣ୍ଡ୍ରିପାଣି ରାସ୍ତାରେ ମିଳିତ ଚଢ଼ାଉ କରିଥିଲେ।

ଏହି ଚଢ଼ାଉରେ ପ୍ରାୟ ୨ କିଲୋଗ୍ରାମ ଓଜନର ୩୫୨ଟି ବଜ୍ରକାପ୍ତା କାତି ଏବଂ ୩ଟି ମୋଟରଯାନ ଜବତ କରାଯାଇଛି। ଏହାସହ ଅବୈଧ ଭାବେ ବଜ୍ରକାପ୍ତା କାତି ରଖିବା ଓ ବାଣିଜ୍ୟରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ଗିରଫ କରାଯାଇଛି।

ବଜ୍ରକାପ୍ତା ବନ୍ୟପ୍ରାଣୀ (ସୁରକ୍ଷା) ଆଇନ ଅନୁଯାୟୀ ସୁରକ୍ଷିତ ପ୍ରାଣୀ ହୋଇଥିବାରୁ ଏହାର ଶିକାର, ଦଖଲ ଓ ବେଆଇନ କାରବାର ଦଣ୍ଡନୀୟ ଅପରାଧ। ଘଟଣାରେ ବନ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ଅପରାଧ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

ଜବତ କାତିର ଉତ୍ସ ଏବଂ ଏହି ବେଆଇନ ବନ୍ୟପ୍ରାଣୀ ବାଣିଜ୍ୟରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଚାଲିଛି। ଆଗାମୀ ଦିନରେ ବନ୍ୟପ୍ରାଣୀ ଶିକାର ଓ ଚାଲାଣ ରୋକିବା ପାଇଁ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।  

(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)