ଜିଲ୍ଲା କୋର୍ଟ ସମ୍ମିଳନୀ କକ୍ଷରେ ଆଇନ ସଚେତନତା କାର୍ଯ୍ୟକ୍ରମ : ଏସ୍.ସି./ଏସ୍.ଟି. (ଅତ୍ୟାଚାର ନିବାରଣ) ଆଇନ ଓ ପୋଷ୍ ଆଇନ ଉପରେ ଆଲୋଚନା

ଜିଲ୍ଲା କୋର୍ଟ ସମ୍ମିଳନୀ କକ୍ଷରେ ଆଇନ ସଚେତନତା କାର୍ଯ୍ୟକ୍ରମ : ଏସ୍.ସି./ଏସ୍.ଟି. (ଅତ୍ୟାଚାର ନିବାରଣ) ଆଇନ ଓ ପୋଷ୍ ଆଇନ ଉପରେ ଆଲୋଚନା

ନୟାଗଡ଼/ ୦୨।୦୮: ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA), ନୟାଗଡ଼ ପକ୍ଷରୁ ଜିଲ୍ଲା କୋର୍ଟ, ନୟାଗଡ଼ର ସମ୍ମିଳନୀ କକ୍ଷରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଅଧିନିୟମ, ୧୯୮୯ [SC & ST (Prevention of Atrocities) Act] ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ (ପ୍ରତିରୋଧ, ନିଷେଧ ଓ ପ୍ରତିକାର) ଅଧିନିୟମ, ୨୦୧୩ (PoSH Act) ଉପରେ ଏକ ବ୍ୟାପକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଅଧିକାର ସୁରକ୍ଷା, ସାମାଜିକ ନ୍ୟାୟ ପ୍ରତିଷ୍ଠା ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ପାଇଁ ସୁରକ୍ଷିତ ଓ ସମ୍ମାନଜନକ ପରିବେଶ ସୃଷ୍ଟିରେ ଏହି ଦୁଇଟି ଦିଗ ସମାଜରେ କେତେ ଗୁରୁତ୍ଵ ବହନ କରେ; ତାହା ଦର୍ଶାଇ ଉଦବୋଧନ ଦେଇଥିଲେ ।

କାର୍ଯ୍ୟକ୍ରମରେ ଜିଲ୍ଲାର ବିଚାର ବିଭାଗୀୟ ଅଧିକାରୀ ଇନ୍ଦୁ ଶର୍ମା, ବିଚାରପତି, ପରିବାର ନ୍ୟାୟାଳୟ, ନୟାଗଡ଼, ଶ୍ରୀମତୀ ଆଚାର୍ଯ୍ୟ, ମୁଖ୍ୟ ନ୍ୟାୟିକ ଦଣ୍ଡାଧିକାରୀ, ନୟାଗଡ଼ ଏବଂ ସ୍ୱୟମ୍ ଆଚାର୍ଯ୍ୟ, ବିଚାରପତି, ମହିଳା ନ୍ୟାୟାଳୟ, ନୟାଗଡ଼ ବକ୍ତା ଭାବେ ଯୋଗଦେଇ ଦୁଇଟି ଯାକ ବିଷୟ ବସ୍ତୁର ବିଭିନ୍ନ ଆଇନଗତ ଏବଂ ବାସ୍ତବ ବ୍ୟାବହାରିକ ତଥା ପ୍ରୟୋଗାତ୍ମକ ବିଷୟ ଉପରେ ଆଲୋଚନା କରିଥିବାବେଳେ ଅନ୍ୟ ବିଚାର ବିଚାରପତିଗଣ ଉପସ୍ଥିତ ରହିଥିଲେ। ପ୍ରାଧିକରଣ ସଚିବ ଅଞ୍ଜଳି ମଚ୍ଛଖଣ୍ଡ ଏହାର ଆବଶ୍ୟକତା କେତେ ଜରୁରୀ ତତ୍କାଳୀନ ପରିସ୍ଥିତି ପାଇଁ ବ୍ୟକ୍ତ କରିଥିଲେ । ଏଥିସହ ଶ୍ରୀ ଦଣ୍ଡପାଣି ସ୍ୱାଇଁ, ପୂର୍ବତନ ସରକାରୀ ଓକିଲ, ଏବଂ ଶ୍ରୀ ରମେଶ ଚନ୍ଦ୍ର ମହାରଣା, ସହକାରୀ ସରକାରୀ ଅଭିଯୋଜକ (Associate Public Prosecutor) ବକ୍ତା ଭାବେ ଯୋଗଦେଇ SC & ST (Prevention of Atrocities) Act ଏବଂ PoSH Actର ବିଭିନ୍ନ ବ୍ୟବସ୍ଥା, ଉଦ୍ଦେଶ୍ୟ, ଆଇନଗତ ସୁରକ୍ଷା, ଅପରାଧର ତଦନ୍ତ ପ୍ରକ୍ରିୟା, ପୀଡ଼ିତଙ୍କ ଅଧିକାର ଓ ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ବକ୍ତବ୍ୟ ରଖିଥିଲେ।

ସଚିବ ମଚ୍ଛଖଣ୍ଡ ଏହି ଆଲୋଚନାରେ ବିଭିନ୍ନ ବର୍ଗର ସରକାରୀ କର୍ମଚାରୀଙ୍କୁ ଆହ୍ଵାନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଆଇନଜୀବୀ, ନ୍ୟାୟାଳୟ କର୍ମଚାରୀ, ବନ ବିଭାଗର କର୍ମଚାରୀ, ପୋଲିସ ବିଭାଗର କର୍ମଚାରୀ, କିଶୋର ନ୍ୟାୟ ବୋର୍ଡ (Juvenile Justice Board)ର କର୍ମଚାରୀ ଏବଂ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ଉପସ୍ଥିତ ଅଂଶଗ୍ରହଣକାରୀମାନେ ଆଇନର ବ୍ୟବହାରିକ ପ୍ରୟୋଗ, ଅଭିଯୋଗ ନିଷ୍ପତ୍ତି ପ୍ରକ୍ରିୟା ଏବଂ ସମ୍ବନ୍ଧିତ ବିଭାଗମାନଙ୍କର ଦାୟିତ୍ୱ ସମ୍ପର୍କରେ ସମ୍ୟକ୍ ଜ୍ଞାନ ଲାଭ କରିଥିଲେ।

ବକ୍ତାମାନେ ମତପ୍ରକାଶ କରିଥିଲେ ଯେ, SC & ST (Prevention of Atrocities) Act ସମାଜର ବଞ୍ଚିତ ବର୍ଗଙ୍କ ସୁରକ୍ଷା ଓ ନ୍ୟାୟ ସୁନିଶ୍ଚିତ କରିବାରେ ଏକ ପ୍ରଭାବଶାଳୀ ଆଇନ ହୋଇଥିବା ବେଳେ PoSH Act କର୍ମକ୍ଷେତ୍ରରେ ମହିଳାଙ୍କ ମର୍ଯ୍ୟାଦା, ସୁରକ୍ଷା ଓ ସମାନତା ରକ୍ଷା କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଇନ। ଏହି ଦୁଇଟି ଆଇନର ସଫଳ କାର୍ଯ୍ୟକାରିତା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗର ସମନ୍ୱିତ ପ୍ରୟାସ ଏବଂ ଆଇନ ସମ୍ପର୍କରେ ସଚେତନତା ଅତ୍ୟନ୍ତ ଆବଶ୍ୟକ।

କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଅଂଶଗ୍ରହଣକାରୀମାନେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ଆୟୋଜିତ ଏଭଳି ସମୟୋପଯୋଗୀ ଓ ଜନହିତକର ଆଇନ ସଚେତନତା କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଭବିଷ୍ୟତରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆଶା ପ୍ରକାଶ କରିଥିଲେ।

ଆଶୋକ କୁମାର ସାଥୁଆ , ଜିଲ୍ଲା ସାମ୍ବାଦିକ ନୟ।ଗଡ଼