ଡ଼ମ ସମ୍ପ୍ରଦାୟର ଐତିହାସିକ ତଥ୍ୟକୁ ନେଇ ଡ଼ସିଏର ପ୍ରସ୍ତୁତ: ସନ୍ତୋଷ ନାଗଙ୍କ ଐତିହାସିକ ପ୍ରୟାସ
ନବୀନ ନିବାସରେ ଡ଼ସିଏର ଉନ୍ମୋଚନ; ଡ଼ମ ସମ୍ପ୍ରଦାୟର ଇତିହାସ, ପରିଚୟ ଓ ଅଧିକାରକୁ ନେଇ ନୂଆ ଆଲୋଚନା ।
ମାଲକାନଗିରି ଜିଲ୍ଲା ଡ଼ମ ସମ୍ପ୍ରଦାୟର ଐତିହାସିକ ପରିଚୟ, ସାମାଜିକ ସ୍ଥିତି, ସଂସ୍କୃତି ଓ ଅଧିକାରକୁ ନେଇ ଦୀର୍ଘ ଦିନର ଗବେଷଣା ଓ ତଥ୍ୟ ସଂଗ୍ରହ ପରେ ଏକ ବିସ୍ତୃତ ଡ଼ସିଏର (Dossier) ପ୍ରସ୍ତୁତ କରିଛନ୍ତି ମାଲକାନଗିରି ଶହୀଦ ନର୍ସିଙ୍ଗ ଡ଼ମ ସମାଜର ମୁଖ୍ୟ ଉପଦେଷ୍ଟା ତଥା ସାମ୍ବାଦିକ ସନ୍ତୋଷ କୁମାର ନାଗ। ଡ଼ମ ସମ୍ପ୍ରଦାୟର ଇତିହାସ ଓ ବର୍ତ୍ତମାନ ସ୍ଥିତିକୁ ଦଲିଲ ଓ ପ୍ରମାଣ ଆଧାରରେ ଉପସ୍ଥାପନ କରିବା ଦିଗରେ ଏହି ପ୍ରୟାସକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସମାଜ ପକ୍ଷରୁ କୁହାଯାଇଛି।
ଏହି ଡ଼ସିଏରରେ ବ୍ରିଟିଶ ଇଣ୍ଡିଆ ସମୟର ୧୮୭୧ରୁ ୧୯୩୧ ପର୍ଯ୍ୟନ୍ତର ଜନଗଣନା ତଥ୍ୟ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପୂର୍ବରୁ ଓ ପରବର୍ତ୍ତୀ ସମୟରେ ଡ଼ମ ସମ୍ପ୍ରଦାୟର ସାମାଜିକ ଓ ଭୌଗୋଳିକ ସ୍ଥିତି, ତତ୍କାଳୀନ କୋରାପୁଟ ଜିଲ୍ଲାର ପ୍ରଶାସନିକ ଦଲିଲ ଏବଂ **R. C. S. Bell (ICS)**ଙ୍କ ଗେଜେଟିଅରରେ ଉଲ୍ଲେଖିତ ତଥ୍ୟ ଆଦିକୁ ଅଧ୍ୟୟନ କରାଯାଇଥିବା ଦାବି କରାଯାଇଛି। ଏଥିସହ ଅବିଭକ୍ତ କୋରାପୁଟ ଅଞ୍ଚଳରେ ଡ଼ମ ସମ୍ପ୍ରଦାୟର କଳା, ସଂସ୍କୃତି, ଭାଷା, ପାରମ୍ପରିକ ପୋଷାକ, ରୀତିନୀତି, ଜୀବନଶୈଳୀ ଓ ସାମାଜିକ ପରମ୍ପରା ସମ୍ପର୍କରେ ମଧ୍ୟ ତଥ୍ୟ ସଂକଳନ କରାଯାଇଛି। ଡ଼ମ ସମ୍ପ୍ରଦାୟର ଐତିହାସିକ ଭୂମିକା ଏବଂ ସମୟକ୍ରମେ ସେମାନଙ୍କ ସାମାଜିକ ସ୍ଥିତିରେ ଆସିଥିବା ପରିବର୍ତ୍ତନକୁ ମଧ୍ୟ ଏଥିରେ ଆଲୋଚନା କରାଯାଇଛି।
ଡ଼ସିଏରରେ ଆଦିବାସୀ ସମାଜ ଉପରେ ଗବେଷଣା କରିଥିବା ବିଭିନ୍ନ ନୃତତ୍ତ୍ୱବିଦ୍, ଇତିହାସବିତ୍ ଓ ଗବେଷକଙ୍କ ଅଧ୍ୟୟନ ସହ ଲୋକୁର କମିଟି ରିପୋର୍ଟ, ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୪୨ ଏବଂ ଅନୁସୂଚିତ ଜନଜାତି ତାଲିକା ସମ୍ପର୍କିତ ଆଇନଗତ ବ୍ୟବସ୍ଥାକୁ ମଧ୍ୟ ଅଧ୍ୟୟନର ଅଂଶ କରାଯାଇଛି।
ଡ଼ମ ସମ୍ପ୍ରଦାୟର ଐତିହାସିକ ପରିଚୟ ଓ ଆଇନଗତ ସ୍ଥିତିକୁ ନେଇ ଆଗାମୀ ଦିନରେ କିଭଳି ଭାବରେ ସାମ୍ବିଧାନିକ ଓ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ନିଜର ଅଧିକାର ଓ ମୂଳ ପରିଚୟ ପାଇଁ ଦାବି ଉପସ୍ଥାପନ କରାଯାଇପାରିବ, ସେ ଦିଗରେ ମଧ୍ୟ ଡ଼ସିଏରରେ ଆଲୋଚନା ରହିଥିବା ଜଣାପଡ଼ିଛି।
ନବୀନ ନିବାସରେ ଡ଼ସିଏରର ଉନ୍ମୋଚନ
ବିଭିନ୍ନ କ୍ଷେତ୍ରରେ ତଥ୍ୟ ଓ ଦଲିଲଗୁଡ଼ିକର ତର୍ଜମା ପରେ ଏହି ଡ଼ସିଏରକୁ ଭୁବନେଶ୍ୱରସ୍ଥିତ ନବୀନ ନିବାସରେ ଉନ୍ମୋଚନ କରାଯାଇଥିବା ସୂଚନା ମିଳିଛି। ମାଲକାନଗିରି ଜିଲ୍ଲା ଶହୀଦ ନର୍ସିଙ୍ଗ ଡ଼ମ ସମାଜର ସଭାପତି ବଳରାମ ଅନୁଗୁଳିଆଙ୍କ ନିର୍ଦ୍ଦେଶରେ ୩୦ରୁ ଊର୍ଦ୍ଧ୍ୱ ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି ଡ଼ସିଏରର ଉନ୍ମୋଚନ କରାଯାଇଥିଲା।
ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ dossier ର ଉନ୍ମୋଚନ କରିଥିବା ବେଳେ ଜୁନାଗଡ଼ର ବିଧାୟକ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର, ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ମାନସ ମାଡକାମୀଙ୍କ ସମେତ ଅନେକ ବ୍ୟକ୍ତି ଉପସ୍ଥିତ ଥିବା ସମାଜ ପକ୍ଷରୁ କୁହାଯାଇଛି।
ଶହୀଦ ନର୍ସିଙ୍ଗ ଡ଼ମ ସମାଜର ବରିଷ୍ଠ କର୍ମକର୍ତ୍ତାଙ୍କ ମଧ୍ୟରେ ସମ୍ପାଦକ ତୁଳସୀ ରାମ ଦଳାଇ, ପର୍ଶୁରାମ ଭକ୍ତ, ଧନୁର୍ଜୟ ହୋଣ୍ଟାଳ, ମୋଦନ ଖୋସଲା, ଚିତ୍ତ କୁଲଦୀପ, ଟୁନା ଗରଡ଼ା, କାଳିଦାସ ସାଗଡ଼ିଆ, ଆଇନଜୀବୀ ବସନ୍ତ ନାୟକ, ଗୋବର୍ଧନ ପାଙ୍ଗି, ଟଙ୍କଧର ହୋଣ୍ଟାଳ, ଧାନସୟ ଖିଲ, ମୁନା ଭତ୍ରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଗବେଷଣାମୂଳକ ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା
ଡ଼ମ ସମ୍ପ୍ରଦାୟର ଇତିହାସ, ପରିଚୟ ଓ ଅଧିକାରକୁ ନେଇ ପୁରାତନ ଦଲିଲ, ଜନଗଣନା ତଥ୍ୟ, ଗେଜେଟିଅର, ଗବେଷଣା ରିପୋର୍ଟ ଓ ସାମ୍ବିଧାନିକ ବ୍ୟବସ୍ଥାକୁ ଏକତ୍ରିତ କରି ଡ଼ସିଏର ପ୍ରସ୍ତୁତ କରାଯାଇଥିବାରୁ ଏହି ପ୍ରୟାସକୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଉଛି।
ଡ଼ମ ସମ୍ପ୍ରଦାୟର ଐତିହାସିକ ତଥ୍ୟକୁ ସଂଗଠିତ ଭାବରେ ଦଲିଲଭୁକ୍ତ କରିବା ସହ ଆଗାମୀ ଦିନରେ ଏହାକୁ ଗବେଷକ, ସାମାଜିକ ସଂଗଠନ ଓ ସମ୍ପୃକ୍ତ ସରକାରୀ ସଂସ୍ଥାଙ୍କ ନିକଟରେ ଆଲୋଚନାର ଆଧାର ଭାବେ ଉପସ୍ଥାପନ କରିବା ଏହି ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସନ୍ତୋଷ ନାଗ କହିଛନ୍ତି।
(ମାଥିଲି ରୁ ପ୍ପେଶାଲ ରିପୋଟର ଶିବପ୍ରସାଦ ପରିଛି ବିଶେଷ ଖବର )


admin 
