କୂଅରେ ଖସିପଡ଼ି ଶିଶୁ ପୁତ୍ରର ମୃତ୍ୟୁ

କୂଅରେ ଖସିପଡ଼ି ଶିଶୁ ପୁତ୍ରର ମୃତ୍ୟୁ

ଖଣ୍ଡପଡ଼ା, ୭|୫(ରଜତ ଦାସ୍) ଖଣ୍ଡପଡ଼ା ବ୍ଲକର ରାଣୀଛେଲି ପଞ୍ଚାୟତ ଅଧୀନ ମର୍ଦ୍ଦରାଜପ୍ରସାଦ ଗ୍ରାମରେ ଗୁରୁବାର ସକାଳେ କୂଅରେ ଖସିପଡ଼ି ଏକ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ପ୍ରାପ୍ତ ସୂଚନାନୁଯାୟୀ ମର୍ଦ୍ଦରାଜପ୍ରସାଦ ଗ୍ରାମର ବିଶ୍ୱମ୍ବର ସ୍ୱାଇଁଙ୍କ ପତ୍ନୀ ଘରେ ରୋଷେଇ କାର୍ଯ୍ୟରେ ବ୍ୟସ୍ତ ଥିବା ସମୟରେ ୧୩ ମାସର ଶିଶୁପୁତ୍ର ଖେଳୁଥିବା ସମୟରେ ବାସଗୃହ ସମ୍ମୁଖରେ ଥିବା ଏକ କୂଅରେ ଖସି ପଡ଼ିଥିଲେ। କିଛି ସମୟ ପରେ ଘରଲୋକେ ଶିଶୁପୁତ୍ରକୁ ଖୋଜାଖୋଜି କରି ନ ପାଇବା ପରେ କୂଅରେ ସେ ଖସି ପଡ଼ିଥିବା ସନ୍ଦେହ ପ୍ରକଟ କରିଥିଲେ।ପରେ କୂପ ମଧ୍ଯରୁ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଅଚେତ ଅବସ୍ଥାରେ ପରିବାରବର୍ଗ ଶିଶୁପୁତ୍ରକୁ ଉଦ୍ଧାର କରିବା ପରେ ତୁରନ୍ତ ତାକୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ମାତ୍ର ଶିଶୁଟିର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ। ଖଣ୍ଡପଡ଼ା ଥାନାରେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ଶିଶୁ ଟି ର ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଥିବା ବେଳେ ଏକମାତ୍ର ପୁତ୍ରକୁ ହରାଇ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡ଼ିଥିବା ଜଣାପଡ଼ିଛି।