ପେନାଲ୍ଟି ସୁଟ୍ଆଉଟ୍ରେ ମୁଦୁଲିପଡ଼ା ଓ ପକନାଗୁଡ଼ା ସେମିଫାଇନାଲ୍ରେ
ପେନାଲ୍ଟି ସୁଟ୍ଆଉଟ୍ରେ ମୁଦୁଲିପଡ଼ା ଓ ପକନାଗୁଡ଼ା ସେମିଫାଇ
ମାଥିଲି, ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଖଇରାପାଲିଠାରେ ତ୍ରିଶକ୍ତି ୟୁଥ୍ କ୍ଲବ୍ ପକ୍ଷରୁ ଆୟୋଜିତ ଫୁଟବଲ୍ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ଦୁଇଟି ରୋମାଞ୍ଚକର ମ୍ୟାଚ୍ ଅନୁଷ୍ଠିତ ହୋଇଛି। ମୁଦୁଲିପଡ଼ା, ଗୋବିନ୍ଦପଲ୍ଲୀ, ପକନାଗୁଡ଼ା ଓ ତୁଙ୍ଗାବାହାଲ ଦଳ ମଧ୍ୟରେ ହୋଇଥିବା ଏହି ମୁକାବିଲାରେ ଖେଳାଳିମାନେ ଉତ୍କୃଷ୍ଟ କ୍ରୀଡ଼ା ପ୍ରଦର୍ଶନ କରିଥିଲେ।
ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ମୁଦୁଲିପଡ଼ା ଓ ଗୋବିନ୍ଦପଲ୍ଲୀ ଦଳ ପରସ୍ପରକୁ ଭେଟିଥିଲେ। ୩୦-୩୦ ମିନିଟ୍ର ଦୁଇଟି ଅର୍ଦ୍ଧରେ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଦଳ ଗୋଲ୍ କରିପାରିନଥିଲା। ଫଳରେ ପେନାଲ୍ଟି ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା। ଏଥିରେ ୩-୨ ଗୋଲ୍ରେ ଗୋବିନ୍ଦପଲ୍ଲୀକୁ ପରାସ୍ତ କରି ମୁଦୁଲିପଡ଼ା ଦଳ ସେମିଫାଇନାଲ୍ରେ ସ୍ଥାନ ପକା କରିଥିଲା।
ସେହିପରି ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ପକନାଗୁଡ଼ା ଓ ତୁଙ୍ଗାବାହାଲ ମଧ୍ୟରେ ଜୋରଦାର ମୁକାବିଲା ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ମ୍ୟାଚ୍ର ନିଷ୍ପତ୍ତି ନ ହେବାରୁ ପେନାଲ୍ଟି ସୁଟ୍ଆଉଟ୍ ହୋଇଥିଲା। ଏଥିରେ ୪-୩ ଗୋଲ୍ରେ ତୁଙ୍ଗାବାହାଲକୁ ପରାସ୍ତ କରି ପକନାଗୁଡ଼ା ଦଳ ସେମିଫାଇନାଲ୍ରେ ପ୍ରବେଶ କରିଛି।
ଏହି ଟୁର୍ନାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ଟୁର୍ନାମେଣ୍ଟର ଏକ ବିଶେଷତ୍ୱ ହେଉଛି, ଏଥିରେ ମାଲକାନଗିରି ଜିଲ୍ଲା ବାହାରର କୌଣସି ଖେଳାଳିଙ୍କୁ ଅଂଶଗ୍ରହଣର ସୁଯୋଗ ଦିଆଯାଇନାହିଁ। ଜିଲ୍ଲାର ସ୍ଥାନୀୟ ଯୁବ ଖେଳାଳିମାନେ ନିଜ କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିବା ସହ ଆଗକୁ ବଢ଼ିବାର ସୁଯୋଗ ପାଇବା ହିଁ ଏହି ଆୟୋଜନର ମୁଖ୍ୟ ଲକ୍ଷ୍ୟ ବୋଲି ଆୟୋଜକମାନେ କହିଛନ୍ତି।
କାର୍ଯ୍ୟକ୍ରମରେ ପରକଣମାଳା ସରପଞ୍ଚ ମେନକା ସୀସା, କୁଡୁମୁଲୁଗୁମ୍ମା ସରପଞ୍ଚ ମଙ୍ଗଳା ମାଡ଼ି, କୁଡୁମୁଲୁଗୁମ୍ମା ଲ୍ୟାମ୍ପସ୍ର ସଭାପତି ଗୋପୀ ପାଙ୍ଗି ଓ ସମାଜସେବୀ ସହଦେବ ସୀସା ଅତିଥି ଭାବେ ଯୋଗଦେଇଥିଲେ। ତ୍ରିଶକ୍ତି ୟୁଥ୍ କ୍ଲବ୍ର ସଭାପତି ହଳଧର କୋପେ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। କ୍ଲବ୍ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ। ଏଥିସହ ସନା କୋପେ, ରେଫରି ମହେନ୍ଦ୍ର କୋପେ, ଲାଇନ୍ମ୍ୟାନ୍ ଜୟ କୋପେ ଓ ରାଜେନ୍ଦ୍ର ସାନ୍ତା ପ୍ରମୁଖ ଉପସ୍ଥିତ ଥିଲେ।
ମ୍ୟାଚ୍ ଦେଖିବା ପାଇଁ ଅଞ୍ଚଳର ବହୁ ସଂଖ୍ୟକ ଦର୍ଶକ ଉପସ୍ଥିତ ହୋଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସ୍ଥାନୀୟ ଯୁବ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ସହ ଅଞ୍ଚଳରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ଏଭଳି ଆୟୋଜନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ତ୍ରିଶକ୍ତି ୟୁଥ୍ କ୍ଲବ୍ ପକ୍ଷରୁ କୁହାଯାଇଛି। ଏଭଳି ସୁନ୍ଦର ଆୟୋଜନ ପାଇଁ ଅଞ୍ଚଳବାସୀ କ୍ଲବ୍ର ସମସ୍ତ ସଦସ୍ୟଙ୍କୁ ପ୍ରଶଂସା କରିଛନ୍ତି।
(ମାଥିଲି ରୁ ପ୍ପେଶଲ ରିପଟର୍ ଶିବପ୍ରସାଦ ପରିଛା ବିଶେଷ ଖବର)


admin 
