ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା–୨୦୨୬–୨୭

ଅଯୋଧ୍ୟା ଓ ବାରାଣସୀ ଗଲେ କେନ୍ଦ୍ରାପଡ଼ାର ୧୦୮ ଜଣ ବରିଷ୍ଠ ନାଗରିକ

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା–୨୦୨୬–୨୭

କେନ୍ଦ୍ରାପଡ଼ା, ୨୭ ଅକ୍ଟୋବର ୨୦୨୬: ବରିଷ୍ଠ ନାଗରିକମାନଙ୍କୁ ଦେଶର ପ୍ରମୁଖ ଧାର୍ମିକ ଓ ତୀର୍ଥସ୍ଥଳୀ ପରିଦର୍ଶନର ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳିତ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା–୨୦୨୬–୨୭ ଅନ୍ତର୍ଗତ କେନ୍ଦ୍ରାପଡ଼ା ଜିଲ୍ଲାର ୧୦୮ ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବାରାଣସୀ ତୀର୍ଥଯାତ୍ରାରେ ଯାତ୍ରା କରିଛନ୍ତି।

ଆଜି ଅପରାହ୍ନରେ କେନ୍ଦ୍ରାପଡ଼ାସ୍ଥିତ ସଂସ୍କୃତି ଭବନଠାରେ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟର ସବୁଜ ପତାକା ଦେଖାଇ ଏହି ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକମାନେ ଦେଶର ଐତିହାସିକ, ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ ବହନ କରୁଥିବା ପବିତ୍ର ସ୍ଥାନଗୁଡ଼ିକ ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି।

ଯାତ୍ରା ପୂର୍ବରୁ ଆଜି ସକାଳେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଚୟନିତ ତୀର୍ଥଯାତ୍ରୀମାନଙ୍କୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ସଂସ୍କୃତି ଭବନକୁ ଅଣାଯାଇଥିଲା। ସେଠାରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଯାତ୍ରା ପୂର୍ବରୁ ଆବଶ୍ୟକ ପ୍ରସ୍ତୁତି ଓ ବ୍ୟବସ୍ଥା କରାଯାଇଥିଲା। ବରିଷ୍ଠ ନାଗରିକମାନଙ୍କ ଯାତ୍ରା ଯେପରି ସୁରକ୍ଷିତ, ସୁବିଧାଜନକ ଓ ସୁବ୍ୟବସ୍ଥିତ ହୁଏ, ସେଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା।

ଆଜି ଯାତ୍ରୀମାନେ ଭୁବନେଶ୍ୱରରେ ରାତ୍ରିଯାପନ କରିବେ ଏବଂ ଆସନ୍ତାକାଲି ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ତୀର୍ଥଯାତ୍ରା ସମାପ୍ତ କରି ଆସନ୍ତା ନଭେମ୍ବର ୨ ତାରିଖରେ ସମସ୍ତ ତୀର୍ଥଯାତ୍ରୀ ଫେରିବେ।

ଏହି ଯୋଜନା ବରିଷ୍ଠ ନାଗରିକମାନଙ୍କୁ ଆଧ୍ୟାତ୍ମିକ ଅନୁଭୂତି ହାସଲ କରିବା ସହ ଦେଶର ସମୃଦ୍ଧ ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟ ସହ ପରିଚିତ ହେବାର ସୁଯୋଗ ପ୍ରଦାନ କରୁଛି। ଏହା ସେମାନଙ୍କ ଦୀର୍ଘଦିନର ତୀର୍ଥଯାତ୍ରା ଆକାଂକ୍ଷା ପୂରଣ କରିବା ସହ ସାମାଜିକ ଓ ଆଧ୍ୟାତ୍ମିକ ଜୀବନକୁ ଅଧିକ ସମୃଦ୍ଧ କରିବାରେ ସହାୟକ ହେବ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା, ଜିଲ୍ଲା ପରିଷଦର ପ୍ରାକ୍ତନ ଅଧ୍ୟକ୍ଷା ଗୀତା ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶିବମ ମହାନ୍ତି ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

*କେନ୍ଦ୍ରପଡା ରୁ ପ୍ରମୋଦ କୁମାର ଜେନାଙ୍କ ରିପୋର୍ଟ, ବିଶେଷ ଖବର, କେନ୍ଦ୍ରାପଡ଼ା*