ମାଙ୍ଗିପାଲି ଗ୍ରାମରେ ଧର୍ମାନ୍ତରି କରଣକୁ ନେଇ ଅସନ୍ତୋଷ, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ କିଛି ପ୍ରମୁଖ ବ୍ୟକ୍ତି ।
ମାଥିଲି (ଶିବପ୍ରସାଦ ପରିଛା ବିଶେଷ ଖବର )ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଭେଙ୍କଟପାଲାମ ପଞ୍ଚାୟତର ମାଙ୍ଗିପାଲି ଗ୍ରାମରେ ଧର୍ମାନ୍ତରି କରଣକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରାୟ ୨୫୦ ପରିବାର ଓ ପ୍ରାୟ ହଜାରେ ଲୋକସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ କିଛି ପରିବାର ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବା ବେଳେ ବର୍ତ୍ତମାନ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଏବଂ ଗ୍ରାମର ପାରମ୍ପରିକ ସଂସ୍କୃତି ଓ ପୂଜା ପରମ୍ପରାରେ ହସ୍ତକ୍ଷେପ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବାହାର ଅଞ୍ଚଳ ଓ ଅନ୍ୟ ଭାଷାଭାଷୀ ଲୋକଙ୍କୁ ଗାଁକୁ ଡାକି ପ୍ରାର୍ଥନା ସଭା ଓ ଧାର୍ମିକ କାର୍ଯ୍ୟକ୍ରମ କରାଯାଉଛି । ଏହା ସହ ଗ୍ରାମର ପାରମ୍ପରିକ ଆଚାର, ବିଶ୍ୱାସ ଓ ସଂସ୍କୃତି ବିରୋଧରେ କଟୁକଥା କୁହାଯାଉଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି ।
ଏନେଇ ଗ୍ରାମର କିଛି ପ୍ରମୁଖ ବ୍ୟକ୍ତି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମରେ କେତେଜଣ ଖ୍ରୀଷ୍ଟଧର୍ମାବଳମ୍ବୀ ଅଛନ୍ତି ତାହା ସରକାରୀ ଭାବେ ସ୍ପଷ୍ଟ କରିବା ସହ ଗ୍ରାମର ପର୍ବପର୍ବାଣୀ, ଜନ୍ମ, ମୃତ୍ୟୁ, ବିବାହ, ଝିଅ ବଡ଼ ହେବା, ଚୈତି ପର୍ବ, ଆମ୍ବଖିଆ, ନୂଆଖାଇ ଓ ଅନ୍ୟାନ୍ୟ ପାରମ୍ପରିକ ସାମାଜିକ କାର୍ଯ୍ୟରେ ଅନାବଶ୍ୟକ ହସ୍ତକ୍ଷେପ ନ କରିବାକୁ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଲୋକଙ୍କୁ ପରାମର୍ଶ ଓ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରାଯାଇଛି ।
ଏହି ଦାବିପତ୍ର ପ୍ରଦାନ ସମୟରେ ମୁକୁନ୍ଦ ସୋଡ଼ି (ପୂର୍ବତନ ବିଧାୟକ), ଦେବା ମାଡକାମୀ (ପୂର୍ବତନ ସରପଞ୍ଚ), ପଦିଆ ମାଢ଼ି, ମୁଢ଼ା ମାଡକାମୀ (ଚିନ୍ନା ପେଦା), ସୋମନାଥ ମାଡକାମୀ, ଲଛମନ ମାଡକାମୀ ଓ ନନ୍ଦା କବାସି ପ୍ରମୁଖ ଉପସ୍ଥିତ ଥିଲେ । ସେମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟର ଆସିଷ୍ଟାଣ୍ଟ କଲେକ୍ଟର ପଲ୍ଲବୀ ଖରାଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ମାଲକାନଗିରି ଜିଲ୍ଲା ଅନୁସୂଚିତ ଅଞ୍ଚଳ ଅନ୍ତର୍ଗତ ହୋଇଥିବାରୁ ଏଠାରେ ଜନଜାତିଙ୍କ ପରମ୍ପରା, ସଂସ୍କୃତି ଓ ସାମାଜିକ ଅଧିକାରର ସୁରକ୍ଷା ପାଇଁ ସଂବିଧାନ ଓ ପ୍ରଚଳିତ ଆଇନ ଅନୁସାରେ ପ୍ରଶାସନ କାର୍ଯ୍ୟ କରିଥାଏ । ଏନେଇ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଉପରେ ସ୍ଥାନୀୟ ଲୋକଙ୍କ ନଜର ରହିଛି ।


admin 
