ବୌଦ୍ଧରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ବୌଦ୍ଧ:୨୨/୪
ବୌଦ୍ଧ ଜିଲ୍ଲାରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ ଓ ନିର୍ଭୁଲ କରିବା ଉଦ୍ଦେଶ୍ୟରେ ଏକ ୨ ଦିନିଆ ପ୍ରଶିକ୍ଷଣ ଶିବିର ଓଡ଼ିଆ ଭାଷା ପ୍ରତିଷ୍ଠାନ ଭୁବନେଶ୍ୱର ଙ୍କ ଦ୍ୱାରା ଅନୁଷ୍ଠିତ ହୋଇ ଯାଇଛି l
ଜିଲ୍ଲାପାଳ ଙ୍କ ସଦ୍ଭାବନା ସଭାଗୃହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ବୌଦ୍ଧ ଏବଂ ଜିଲ୍ଲା ପ୍ରଶାସନର ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରତିଷ୍ଠାନ ପକ୍ଷରୁ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ି, ଡ଼. ରମେଶ ମଲ୍ଲିକ, ପ୍ରଧ୍ୟାପକ ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ବରିଷ୍ଠ ଲେଖା ଅଧିକାରୀ, ଏ ଜି ଅଫିସ୍ ପ୍ରଶିକ୍ଷକ ଭାବେ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନିରୁଦ୍ଧ ପ୍ରଧାନ ଓ ଉପ-ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଭୋଇ ଯୋଗଦେଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଡେପୁଟି କଲେକ୍ଟର ଅଙ୍କିତା ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।
ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜିଲ୍ଲାର ବିଭିନ୍ନ ବିଭାଗର ୧୩୦ ଜଣ ଅଧିକାରୀ ଓ କର୍ମଚାରୀ ଏହି ଶିବିରରେ ଅଂଶଗ୍ରହଣ କରିଥିଲେ।ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଥିଲେ ଯେ, ଧୀରେ ଧୀରେ ଜିଲ୍ଲାର ପ୍ରତ୍ୟେକ ବିଭାଗରେ ଓଡ଼ିଆରେ ଚିଠିପତ୍ର ଆଦାନ ପ୍ରଦାନର ବ୍ୟବସ୍ଥା କରାଯିବ। ଏହା ଦ୍ୱାରା ପ୍ରଶାସନ ଅଧିକ ଲୋକାଭିମୁଖୀ ହେବା ସହିତ ସମସ୍ତ ବର୍ଗର ଜନସାଧାରଣ ଉପକୃତ ହେବେ।ପ୍ରଶିକ୍ଷକମାନେ ଚାରିଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏଥିରେ ଟିପ୍ପଣୀ, ଚିଠା ଆଦେଶନାମା ପ୍ରସ୍ତୁତି, ପ୍ରଶାସନିକ ଶବ୍ଦଚୟନ, ଶବ୍ଦଗଠନ, ବନାନ ଶୁଦ୍ଧତାର ଆବଶ୍ୟକତା, ଓଡ଼ିଆ ଭାଷାର ପ୍ରଶାସନିକ ପ୍ରୟୋଗ, ଶୈଳୀ ଓ କୌଶଳ ଏବଂ ଓଡ଼ିଆ ଭାଷା ବ୍ୟବହାରର ସମ୍ଭାବନା ବିଷୟରେ ବ୍ୟାପକ ଅଲୋଚନା ହୋଇଥିଲା। ଏହାସହ ମୌଖିକ ଆଲୋଚନା ଓ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ଶିବିରରେ ସଫଳତାର ସହ ପ୍ରଥମ ଦିନର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ଏଥିରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏଵଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ପ୍ରଶାସନିକ ଓ ରାଜସ୍ୱ ଅଧିକାରୀ ଯୋଗ ଦେଇଥିଲେ l


admin 
