ମହାବୀର ଜୟନ୍ତୀ ଅବସରରେ ଚଳଚଞ୍ଚଳ ସମସ୍ତ ବଜରଙ୍ଗୀ ପୀଠ।

ମହାବୀର ଜୟନ୍ତୀ ଅବସରରେ ଚଳଚଞ୍ଚଳ ସମସ୍ତ ବଜରଙ୍ଗୀ ପୀଠ।

କଣ୍ଟିଲୋ,୧୪|୪(ରଜତ ଦାସ୍) ଓଡ଼ିଆ ନବବର୍ଷ ବା ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ କଣ୍ଟିଲୋ ତଥା ଆଖପାଖ ଅଞ୍ଚଳରେ ଥିବା ମହାବୀର ହନୁମାନ ମନ୍ଦିର ପରିସର ଚଳଚଞ୍ଚଳ ହୋଇଉଠିଛି।ଏହି ଅବସରରେ କଣ୍ଟିଲୋ ନୀଳମାଧବ ମନ୍ଦିର ପରିସରରେ ଥିବା ବଜରଙ୍ଗୀ, କଣ୍ଟିଲୋ ବଜାର ଛକ ଉପରେ ଥିବା ପଞ୍ଚମୁଖୀ ହନୁମାନ, କଂସାରୀ ସାହି ରେ ଥିବା ହନୁମାନ ଓ ବାପୁଜୀ ନଗର ରଘୁନାଥ ଜୀଉ ,ମାଧବ ଚୌଧୁରୀ ପାଟଣା ମନ୍ଦିର ପରିସରରେ ଥିବା ହନୁମାନ ମନ୍ଦିର ରେ ପ୍ରାତଃ କାଳରୁ ସଂଧ୍ୟା ପର୍ଯ୍ୟନ୍ତ ଭକ୍ତମାନଙ୍କ ସମାଗମ ହୋଇଥିଲା। ହନୁମାନ ଜୟନ୍ତୀ ଉପଲକ୍ଷେ ୧୦୮ ହନୁମାନ ଚାଳିଶା ପାଠ ସହ ହୋମଯଜ୍ଞ ର ଆୟୋଜନ କରାଯାଇଥିଲା। ମଧ୍ୟାହ୍ନ ସମୟରେ ମହାବୀର ବଜରଙ୍ଗୀ ଙ୍କୁ ପଣା ଭୋଗ ଲାଗିହେବାପରେ ସେହି ପଣାକୁ ଶ୍ରଦ୍ଧାଳୁ ଭକ୍ତ ଓ ପଥଚାରୀ ମାନଙ୍କୁ ବଣ୍ଟନ କରାଯାଇଥିଲା। ସେହିପରି ନିକଟସ୍ଥ ବାଣପୁର ଗ୍ରାମ ରେ ପୂଜା ପାଉଥିବା ମହାବୀର ହନୁମାନ ଙ୍କ ନିକଟରେ ବାଣପୁର ଗ୍ରାମର ମହାବୀର ଭକ୍ତ ଓ ଗ୍ରାମବାସୀ ଙ୍କ ସାହାଯ୍ୟ ଓ ସହଯୋଗରେ ୪ ଦିନ ବ୍ୟାପି ମହାବୀର ଜୟନ୍ତୀ ବିଶ୍ୱର କଲ୍ୟାଣ ଓ ଜନସାଧାରଣ ଙ୍କ ମନରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବା ପାଇଁ ମହାଆଡମ୍ବରରେ ପାଳନ କରାଯାଉଅଛି। ଏଥିପାଇଁ ଗତ ସୋମବାର ୧୩ତାରିଖ ଦିନ ବାଣପୁର ମହାନଦୀ ଘାଟରୁ ଶତାଧିକ ପୁରୁଷ ମହିଳା ଭକ୍ତ ମାନେ ପୁର୍ଣ୍ଣ କୁମ୍ଭ କଳସ ଯାତ୍ରା କରି ଗ୍ରାମ ପରିକ୍ରମା କରି ମନ୍ଦିର ନିକଟରେ ପହଞ୍ଚିବା ପରେ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ଅଧିବାସ କର୍ମ ହୋଇଥିଲା।‌ମଙ୍ଗଳବାର ପଣାସଂକ୍ରାନ୍ତି ଅବସରରେ ୧୦୮ ହନୁମାନ ଚାଳିଶା ପଠନ ସହ ଅପରାହ୍ନରେ ପୁର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା।ଏହା ଦେଖିବାକୁ ଶତାଧିକ ଭକ୍ତ ଙ୍କ ସମାଗମ ହୋଇଥିଲା। ସନ୍ଧ୍ୟାରେ କଣ୍ଟିଲୋ ଓ ଗୋପିନାଥପୁର ମାତୃ ମଣ୍ଡଳୀ ଙ୍କ ଦ୍ବାରା ବାଦୀ ସଙ୍କୀର୍ତ୍ତନ ହୋଇଯାଇଛି। ସମସ୍ତ ଭକ୍ତ ମାନଙ୍କ ପାଇଁ ପୂର୍ବାହ୍ନ ୧୨ ଘଣ୍ଟା ଠାରୁ ଆନନ୍ଦ ବଜାର ଖୋଲାଯାଇଥିଲା। ୧୫ ତାରିଖ ବୁଧବାର ସନ୍ଧ୍ୟାରେ ବଡ଼ ବାଣପୁର, ମଧ୍ୟ ଖଣ୍ଡ,, ରାସଙ୍ଗ ଓ ବେଣାଗାଡିଆ ଗ୍ରାମ ର ବାଦୀ ଉଦଣ୍ଡ ଅନୁଷ୍ଠିତ ହେବା ସହ ଗୁରୁବାର ସକାଳେ ବାଲ୍ୟଲୀଳା ହେବ ବୋଲି ଅନୁଷ୍ଠାନ ପକ୍ଷରୁ ଆୟୋଜନ କରାଯାଇଛି।