ମିଶନଶକ୍ତି ସଚେତନତା ର ଅଭାବରୁ ସରକାରୀ ସୁବିଧା ରୁ ବଞ୍ଛିତ କୋୟା ସମ୍ପ୍ରଦାୟ
ମାଥିଲି ରୁ (ଶିବପ୍ରସାଦ ପରିଛା ବିଶେଷ ଖବର) ମାଥିଲି ବ୍ଳକ ମାଲକାନଗିରି ଜିଲ୍ଲା ମିଶନ ଶକ୍ତି ସଚେତନତାର ଅଭାବରୁ ସରକାରୀ ସୁବିଧାରୁ ବଞ୍ଚିତ କୋୟା ସମ୍ପ୍ରଦାୟର ମହିଳା; ଏସଏଚଜି ଗଠନ ପାଇଁ ବିଡିଓଙ୍କୁ ଦରଖାସ୍ତ
ମାଥିଲି, ୩ ଅଗଷ୍ଟ: ମାଥିଲି ବ୍ଲକ ଅନ୍ତର୍ଗତ ମହୁପଦର ପଞ୍ଚାୟତର ଡଙ୍ଗରିଗୁଡା ଗ୍ରାମର ନୂଆସାହିର କୋୟା ସମ୍ପ୍ରଦାୟର ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଗଠନ କରିବା ଉଦ୍ଦେଶ୍ୟରେ ସୋମବାର ମାଥିଲି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କ ନିକଟରେ ଲିଖିତ ଦରଖାସ୍ତ ପ୍ରଦାନ କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସଂଗଠିତ କରି ସରକାରୀ ଯୋଜନା ସହ ଯୋଡ଼ିବା, ସଚେତନ କରିବା ଏବଂ ଆର୍ଥିକ ସ୍ୱାବଲମ୍ବୀ କରିବାର ବ୍ୟବସ୍ଥା ଥିଲେ ମଧ୍ୟ ସଚେତନତାର ଅଭାବ ଯୋଗୁଁ ଏହି ଅଞ୍ଚଳର ମହିଳାମାନେ ଆଜି ପର୍ଯ୍ୟନ୍ତ ଏସଏଚଜି ଗଠନ କରିପାରିନାହାନ୍ତି। ଫଳରେ ସେମାନେ ବିଭିନ୍ନ ସରକାରୀ ସୁବିଧା ଓ ଆର୍ଥିକ ସହାୟତାରୁ ବଞ୍ଚିତ ରହିଛନ୍ତି।
ଅଭିଯୋଗ ହେଉଛି, ମିଶନ ଶକ୍ତି ବିଭାଗ ପକ୍ଷରୁ ଦୁର୍ଗମ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ପର୍ଯ୍ୟାପ୍ତ ପରିମାଣରେ ହୋଇନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ସମାଜସେବୀ ଜଗନ୍ନାଥ ମାଦ୍ରୀଙ୍କ ସହଯୋଗରେ ମହିଳାମାନେ ଏକତ୍ରିତ ହୋଇ ଏସଏଚଜି ଗଠନ ପାଇଁ ପ୍ରଶାସନର ସହଯୋଗ ଲୋଡ଼ିଛନ୍ତି।
ମହିଳାମାନେ ଦାବି କରିଛନ୍ତି ଯେ, ସେମାନଙ୍କ ଗ୍ରାମରେ ଶୀଘ୍ର ଏସଏଚଜି ଗଠନ କରାଯାଇ ମିଶନ ଶକ୍ତି ଅଧୀନରେ ମିଳୁଥିବା ବିଭିନ୍ନ ସରକାରୀ ସୁବିଧା ଓ ଜୀବିକାଭିତ୍ତିକ ଯୋଜନାର ଲାଭ ପ୍ରଦାନ କରାଯାଉ। ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।


admin 
