ରାଜ୍ୟସ୍ତରୀୟ ଏଥଲେଟିକ୍ସରେ କିଆଙ୍ଗ ଛାତ୍ରଙ୍କ କୃତିତ୍ୱ
ଉଚ୍ଚ ଡିଆଁରେ ରୌପ୍ୟ ପଦକ ଜିତିଲେ ମହେନ୍ଦ୍ର ନାୟକ, ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା
ମାଥିଲି, ୧୦/୧୦ (ବିଶେଷ ପ୍ରତିନିଧି): ରାଜ୍ୟସ୍ତରୀୟ ୭୦ତମ ଏଥଲେଟିକ୍ସ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରି ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ୍ ଅନ୍ତର୍ଗତ କିଆଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ମହେନ୍ଦ୍ର ନାୟକ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଉଚ୍ଚ ଡିଆଁ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ସେ ରୌପ୍ୟ ପଦକ ହାସଲ କରିଛନ୍ତି। ତାଙ୍କର ଏହି ସଫଳତାରେ ବିଦ୍ୟାଳୟ ସମେତ ସମଗ୍ର ଅଞ୍ଚଳରେ ଆନନ୍ଦର ମାହୋଲ ସୃଷ୍ଟି ହୋଇଛି।
ମହେନ୍ଦ୍ରଙ୍କ ଏହି ଗୌରବମୟ ସଫଳତାକୁ ସମ୍ମାନ ଜଣାଇ କିଆଙ୍ଗ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ପ୍ରଧାନ ଶିକ୍ଷୟତ୍ରୀ ରୋଜାଲିନ ଦାସଙ୍କ ଆୟୋଜନରେ ଅନୁଷ୍ଠିତ ଏହି ସଭାରେ ସ୍ଥାନୀୟ ସରପଞ୍ଚ ଲୋକିନାଥ ପୂଜାରୀ, ସିଆରସିସି ରମାକାନ୍ତ ସ୍ୱାଇଁ, ମାନ୍ଦାପାଲ୍ଲୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ଗିରି, ଡାକ୍ତର ସୌମ୍ୟ ରଞ୍ଜନ ପ୍ରଧାନଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ବିଭୂତି ଭୂଷଣ ନାୟକ, ପିଣ୍ଟୁ କୁମାର ଭୋଇ, ସଞ୍ଜୟ ସାହୁ, କାମିନି ଜେନା ଓ ପ୍ରତ୍ୟୁଷିନୀ ଜେନା ଉପସ୍ଥିତ ଥିଲେ।
ଏହି ଅବସରରେ ଅତିଥିମାନେ ମହେନ୍ଦ୍ରଙ୍କୁ ପୁଷ୍ପମାଳ ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ତାଙ୍କର ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ସହ ନିଜ ପ୍ରତିଭାର ବିକାଶ କରିବାକୁ ପ୍ରେରଣା ଯୋଗାଇବ ବୋଲି ଶିକ୍ଷକମାନେ ମତ ପ୍ରକାଶ କରିଥିଲେ।
(ଶିବପ୍ରସାଦ ପରିଛା, ବିଶେଷ ପ୍ରତିନିଧି,ବିଶେଷ ଖବର ମାଥିଲି )


admin 
