ଆଇନ ସେବା ଓ ସାମାଜିକ ନ୍ୟାୟ କ୍ଷେତ୍ରରେ ଅବଦାନ ପାଇଁ ନୃସିଂହ ଚରଣ ମହାନ୍ତିଙ୍କୁ ‘ଓଡ଼ିଶା ଗୌରବ ସମ୍ମାନ–୨୦୨୬’
ମାଥିଲି ୧୧/୧୦ ମାଲକାନଗିରି ଜିଲ୍ଲା ଆଇନ ସେବା, ସାମାଜିକ ନ୍ୟାୟ ଓ ଜନସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ମାଲକାନଗିରିର ବରିଷ୍ଠ ଆଇନଜୀବୀ ନୃସିଂହ ଚରଣ ମହାନ୍ତିଙ୍କୁ ‘ଓଡ଼ିଶା ଗୌରବ ସମ୍ମାନ–୨୦୨୬’ରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱରସ୍ଥିତ ମେଫେୟାର କନଭେନସନ୍ଠାରେ ରବିବାର ହ୍ୟୁମାନ ରାଇଟ୍ସ ପ୍ରୋଟେକ୍ସନ କାଉନସିଲ୍ ଅଫ୍ ଇଣ୍ଡିଆ (HRPCI) ପକ୍ଷରୁ ଆୟୋଜିତ ଏକ ସମାରୋହରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
‘ଆଇନ ସେବା ଓ ସାମାଜିକ ନ୍ୟାୟ କ୍ଷେତ୍ରରେ ଉତ୍କର୍ଷତା’ ବର୍ଗରେ ଶ୍ରୀ ମହାନ୍ତିଙ୍କୁ ମାନପତ୍ର ଓ ସମ୍ମାନସୂଚକ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ସମାରୋହରେ ସିଆରପିଏଫ୍ ଓଡ଼ିଶାର ଡିଆଇଜି ବଳରାମ ବେହେରା, ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀ, HRPCIର ରାଜ୍ୟ ସଭାପତି ଡ. ନାରାୟଣ ପତି ଏବଂ ଷ୍ଟେଟ୍ ପାଇକା ସଂଘ, ଓଡ଼ିଶାର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।
ଶ୍ରୀ ମହାନ୍ତି ଦୀର୍ଘଦିନ ଧରି ଗରିବ, ଅସହାୟ ତଥା ଆଇନଗତ ସହାୟତାରୁ ବଞ୍ଚିତ ଲୋକଙ୍କୁ ନିଃଶୁଳ୍କ ଆଇନ ସହାୟତା ଯୋଗାଇ ଆସୁଛନ୍ତି। ମାଲକାନଗିରି ବାର୍ ଆସୋସିଏସନ୍ର ସଭାପତି ଭାବେ ସେ ଦୁଇଥର ଦାୟିତ୍ୱ ତୁଲାଇଥିବାବେଳେ ବର୍ତ୍ତମାନ ସଂଘର ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି।
ଆଇନ ସେବା ବ୍ୟତୀତ ସାମାଜିକ କଲ୍ୟାଣ, ଚିକିତ୍ସା ସହାୟତା, ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏବଂ ଗରିବ ଓ ଅସହାୟ ଲୋକଙ୍କ ଅଧିକାର ସୁରକ୍ଷା ପାଇଁ ସେ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଜନସାଧାରଣଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ଉପସ୍ଥାପନ କରି ସେମାନଙ୍କୁ ନ୍ୟାୟ ଓ ସହାୟତା ପ୍ରଦାନ କରିବା ଦିଗରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଛି।
ତାଙ୍କର ଦୀର୍ଘଦିନର ନିଷ୍ଠାପର ସେବା ଓ ସମାଜ ପ୍ରତି ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ମାଲକାନଗିରି ଜିଲ୍ଲାରେ ଆନନ୍ଦ ପ୍ରକାଶ ପାଇଛି। ଏହି ସଫଳତା ଜିଲ୍ଲା ପାଇଁ ଗୌରବ ଆଣିଥିବାବେଳେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।
(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର )


admin 
