ଇସ୍ତଫାପତ୍ରରେ କଣ ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ

ଇସ୍ତଫାପତ୍ରରେ କଣ ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ

ମୁଁ ସବୁବେଳେ ଆମ ଗଣତନ୍ତ୍ରର ଶକ୍ତି ଉପରେ ଅତୁଟ ବିଶ୍ୱାସ ରଖିଛି ଏବଂ ଯୁବପିଢ଼ିର ସ୍ୱପ୍ନ, ଆଶା ଓ ଆକାଂକ୍ଷାକୁ ସମ୍ମାନ ଦେଇଆସିଛି। ସେମାନେ କେବଳ ଭାରତର ଭବିଷ୍ୟତ ନୁହନ୍ତି; ସେମାନେ ନୂତନ ଓ ବିକଶିତ ଭାରତର ବାହକ, ସୃଷ୍ଟିକର୍ତ୍ତା ଓ ନିର୍ମାତା।

ପ୍ରତିଯୋଗିତାମୂଳକ ପରୀକ୍ଷାରେ ହୋଇଥିବା କଥିତ ଅନିୟମିତତାକୁ ନେଇ ଦେଶବ୍ୟାପୀ ପ୍ରତିବାଦ ମଧ୍ୟରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ସୋସିଆଲ୍ ମିଡିଆ X ରେ ପ୍ରକାଶ କରିଥିବା ଚିଠିରେ କହିଛନ୍ତି ଯେ ଏହା ତାଙ୍କ ପାଇଁ କେବେବି ବ୍ୟକ୍ତିଗତ ପ୍ରତିଷ୍ଠାର ପ୍ରଶ୍ନ ନୁହେଁ।

*ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫାପତ୍ରରେ କଣ ଲେଖିଛନ୍ତି, ପଢନ୍ତୁ*

*ମୋର ପ୍ରିୟ ଯୁବ ବନ୍ଧୁମାନେ,*

ଗତ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ମୁଁ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷା ସଂସ୍କାରର କାର୍ଯ୍ୟରେ ନିଜକୁ ସମର୍ପିତ କରିଆସିଛି। ମୁଁ ସବୁବେଳେ ବିଶ୍ୱାସ କରିଆସିଛି ଯେ ଏକ ଦୃଢ଼, ସାମୂହିକ ଏବଂ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ହିଁ ଏକ ସଶକ୍ତ ରାଷ୍ଟ୍ରର ମୂଳ ଭିତ୍ତି।

ଦେଶର ଯୁବପିଢ଼ିର ଆଶା, ଆକାଂକ୍ଷା ଏବଂ ଯୁକ୍ତିସଙ୍ଗତ ଅପେକ୍ଷା ପ୍ରତି ମୋର ଗଭୀର ସମ୍ମାନ ରହିଛି। ଭାରତର ଯୁବପିଢ଼ିଙ୍କ ସ୍ୱପ୍ନକୁ ସାକାର କରିବା ଆମର ରାଜନୈତିକ ଏବଂ ସାମାଜିକ ଜୀବନର ଏକ ନୈତିକ ଦାୟିତ୍ୱ ରହିଛି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଦେଶସେବା କରିବାର ସୁଯୋଗ ମୋତେ ଦେଇଥିବାରୁ ମୁଁ ତାଙ୍କ ପ୍ରତି କୃତଜ୍ଞ।

କିନ୍ତୁ, ୩ ମଇ ୨୦୨୬ରେ ଅନୁଷ୍ଠିତ NEET-UG ପରୀକ୍ଷାରେ ଅନିୟମିତତା ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଥିଲା। ଏହାକୁ ତୁରନ୍ତ ଗୁରୁତ୍ୱର ସହ ନେଇ ଭାରତ ସରକାର ତଦନ୍ତ ଭାର CBI କୁ ଦେଇଥିଲେ, ପରୀକ୍ଷାକୁ ବାତିଲ କରିଥିଲେ ଏବଂ ପୁନଃ ପରୀକ୍ଷାର ତାରିଖ ଘୋଷଣା କରିଥିଲେ। ଏହା ସହିତ ଆସନ୍ତା ବର୍ଷରୁ ଏହି ପରୀକ୍ଷାକୁ କମ୍ପ୍ୟୁଟର-ଆଧାରିତ ପରୀକ୍ଷା (CBT) ପ୍ରଣାଳୀରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ଏହି ସମୟରେ ଆମର ପ୍ରଥମ ପ୍ରାଥମିକତା ଥିଲା ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାକୁ ସୁଚାରୁ ଭାବରେ ସମ୍ପନ୍ନ କରିବା। କେନ୍ଦ୍ର ସରକାର, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହଯୋଗରେ ୨୧ ଜୁନ୍ ୨୦୨୬ରେ ପରୀକ୍ଷା ସଫଳତାର ସହ ସମ୍ପନ୍ନ ହୋଇଥିଲା।

ପ୍ରଥମ ଦିନରୁ ମୁଁ ଏହି ପରିସ୍ଥିତିର ସମ୍ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଥିଲି ଏବଂ କେବେବି ଏଥିରୁ ପଛକୁ ହଟିନଥିଲି। ମୋର ଦୃଢ଼ ସଙ୍କଳ୍ପ ଥିଲା ଯେ କୌଣସି ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ‘ପରୀକ୍ଷା ମାଫିଆ’ ଯୋଗୁଁ ନଷ୍ଟ ହେବ ନାହିଁ ଏବଂ କୌଣସି ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ ହେବ ନାହିଁ।

ଜୁଲାଇ ୧୬ରେ ଘୋଷିତ NEET-UG ପରୀକ୍ଷାର ଫଳାଫଳ ସନ୍ତୋଷଜନକ ଥିଲା। ଆର୍ଥିକ ଭାବେ ପଛୁଆ ବର୍ଗର ଅନେକ ମେଧାବୀ ଛାତ୍ରଛାତ୍ରୀ ସଫଳତା ହାସଲ କରିଥିଲେ।

କିନ୍ତୁ ଏହି ସମୟରେ ମଧ୍ୟ କିଛି ଦାୟିତ୍ୱପୂର୍ଣ୍ଣ ପଦବୀରେ ଥିବା ବ୍ୟକ୍ତି ଛାତ୍ରଛାତ୍ରୀଙ୍କୁ ଭ୍ରମିତ କରିବା ଏବଂ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଏହା ମୋତେ ଗଭୀର ଭାବେ ବ୍ୟଥିତ କରିଛି।

ମୁଁ ସବୁବେଳେ ଆମ ଗଣତନ୍ତ୍ରର ଶକ୍ତି ଉପରେ ଅତୁଟ ବିଶ୍ୱାସ ରଖିଛି ଏବଂ ଯୁବପିଢ଼ିର ସ୍ୱପ୍ନ, ଆଶା ଓ ଆକାଂକ୍ଷାକୁ ସମ୍ମାନ ଦେଇଆସିଛି। ସେମାନେ କେବଳ ଭାରତର ଭବିଷ୍ୟତ ନୁହନ୍ତି; ସେମାନେ ନୂତନ ଓ ବିକଶିତ ଭାରତର ବାହକ, ସୃଷ୍ଟିକର୍ତ୍ତା ଓ ନିର୍ମାତା। ଗତ ଦଶ ଦିନର ଘଟଣା ମୋତେ ଗଭୀର ଭାବେ ବ୍ୟଥିତ କରିଛି। ଏହା ମୋ ପାଇଁ ବ୍ୟକ୍ତିଗତ ପ୍ରତିଷ୍ଠାର ପ୍ରଶ୍ନ ନୁହେଁ।

ଭାରତର ଯୁବଶକ୍ତି ହିଁ ଏହି ଦେଶର ପ୍ରକୃତ ଶକ୍ତି।

ମୋର ଦୃଢ଼ ସଂକଳ୍ପ ହେଉଛି ଦେଶର ଯୁବପିଢ଼ିକୁ କୌଣସି ପ୍ରକାରର ଭ୍ରମ ଓ ବିଭ୍ରାନ୍ତିରେ ପଡ଼ିବାକୁ ଦେବି ନାହିଁ।

ଜନ୍ତର ମନ୍ତର ଏବଂ ଦେଶବ୍ୟାପୀ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ବିଚାର କରି, ରାଷ୍ଟ୍ରବିରୋଧୀ ଶକ୍ତିମାନଙ୍କୁ ଏହାର ସୁଯୋଗ ନେବାରୁ ରୋକିବା, ଜାତୀୟ ଏକତାକୁ ସୁରକ୍ଷିତ ରଖିବା, କୌଣସି ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଇନଗତ ଜଟିଳତାରେ ଫସିବାରୁ ବଞ୍ଚାଇବା ଏବଂ ସେମାନଙ୍କୁ ନିଜ ପାଠପଢ଼ା ଓ କ୍ୟାରିୟର ଗଠନରେ ମନୋନିବେଶ କରିବାର ସୁଯୋଗ ଦେବା ଉଦ୍ଦେଶ୍ୟରେ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟରେ ମୋର ଇସ୍ତଫା ପତ୍ର ଦାଖଲ କରିଛି।

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ, ବିଶ୍ୱାସ ଏବଂ ନିରନ୍ତର ସହଯୋଗ ପାଇଁ ମୁଁ ତାଙ୍କ ପ୍ରତି ହୃଦୟରୁ କୃତଜ୍ଞତା ଜଣାଉଛି। ମନ୍ତ୍ରିପରିଷଦର ସମସ୍ତ ସହଯୋଗୀ, ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀ ଏବଂ ଯେଉଁମାନଙ୍କ ସହ କାମ କରିବାର ସୁଯୋଗ ପାଇଛି, ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି।

ଦେଶସେବା ମୋ ଜୀବନର ସର୍ବୋଚ୍ଚ ପ୍ରାଥମିକତା ଥିଲା, ଅଛି ଏବଂ ରହିବ। ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦରେ ମୁଁ ଭବିଷ୍ୟତରେ ମଧ୍ୟ ମାତୃଭୂମି ଭାରତ, ଓଡ଼ିଶାର ଜନସାଧାରଣ ଏବଂ ଦେଶର ଯୁବପିଢ଼ିଙ୍କ ଆକାଂକ୍ଷା ପୂରଣ ପାଇଁ ନିଜକୁ ସମର୍ପିତ ରଖିବି।