ଓଭରଲୋଡିଂ ଓ ନିୟମ ଉଲ୍ଲଂଘନ: କଣ୍ଟେନର ଟ୍ରକ ଉପରେ ୩୦,୫୦୦ ଟଙ୍କା ଜରିମାନା
ମାଥିଲି ମାଲକାନଗିରି ଜିଲ୍ଲା ସଦରସ୍ଥିତ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଯାନବାହନ ଯାଞ୍ଚ ସମୟରେ ନିୟମ ଉଲ୍ଲଂଘନ କରୁଥିବା ଏକ କଣ୍ଟେନର ଟ୍ରକକୁ ଧରି ୩୦ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି ମାଲକାନଗିରି ଆରଟିଓ। ଯାଞ୍ଚ ବେଳେ ଟ୍ରକଟି ନିର୍ଦ୍ଧାରିତ ସୀମାଠାରୁ ଅଧିକ ଓଜନ ବୋଝେଇ ଯାଉଥିବା ଜଣାପଡ଼ିଥିଲା। ଏହାସହ ଗାଡ଼ିର ଚେସିସରେ ପରିବର୍ତ୍ତନ କରାଯାଇ ବଡିକୁ ଅନୁମୋଦିତ ମାପଠାରୁ ଅଧିକ ଲମ୍ବା କରାଯାଇଥିବା ମଧ୍ୟ ଧରାପଡ଼ିଥିଲା। ଏମଭିଆଇ ଶେଖ ୟୁନୋଶଙ୍କ ସୂଚନା ଅନୁଯାୟୀ, ଯାଞ୍ଚ ସମୟରେ ଡ୍ରାଇଭର ନିଜ ଡ୍ରାଇଭିଂ ଲାଇସେନ୍ସ ଉପସ୍ଥାପନ କରିବାରେ ବିଳମ୍ବ କରିଥିବାରୁ ୫୦୦ ଟଙ୍କା, ଓଭରଲୋଡିଂ ପାଇଁ ୧୦ ହଜାର ଟଙ୍କା ଏବଂ ଚେସିସରେ ପରିବର୍ତ୍ତନ କରି ବଡିକୁ ଲମ୍ବା କରିଥିବାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ସୂଚନା ଅନୁଯାୟୀ, ଉକ୍ତ କଣ୍ଟେନର ଟ୍ରକଟି କର୍ଣ୍ଣାଟକରୁ ଧାନକୁଣ୍ଡା ପରିବହନ ପାଇଁ ମାଲକାନଗିରିକୁ ଆସିଥିଲା। ପରିବହନ ନିୟମ ଅବମାନନା ଅଭିଯୋଗରେ ଗାଡ଼ି ଉପରେ ସର୍ବମୋଟ ୩୦,୫୦୦ ଟଙ୍କା ଜରିମାନା ଲାଗୁ କରାଯାଇଛି। ଭାରୀ ଯାନବାହନରେ ଓଭରଲୋଡିଂ ଏବଂ ଅନୁମୋଦିତ ମାପରେ ବେଆଇନ ପରିବର୍ତ୍ତନ ଯାତାୟାତ ସୁରକ୍ଷା ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଥିବାରୁ ପରିବହନ ବିଭାଗର ଏଭଳି କଡ଼ା ଯାଞ୍ଚ ଓ ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।
(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)


admin 
