ଜନଜାତି ମାନ୍ୟତା ଦାବିରେ ଏକତ୍ରିତ ଡମ୍ବ ସମାଜ
ମାଥିଲି, (ଶିବପ୍ରସାଦ ପରିଛା ବିଶେଷ ଖବର ) ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ
ସମାଜର ଅସ୍ତିତ୍ୱ, ପରିଚୟ ଓ ନ୍ୟାୟସଙ୍ଗତ ଅଧିକାର ପାଇଁ ଆଜି ମାଥିଲି ବ୍ଲକ୍ର ଚାଉଳମେନ୍ଦୀ ପଞ୍ଚାୟତ ଏକତାର ସ୍ୱରରେ ଗୁଞ୍ଜିଉଠିଲା। ଡମ୍ବ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ସଭାରେ ଶତାଧିକ ଲୋକ ଏକତ୍ରିତ ହୋଇ ସେମାନଙ୍କର ଦୀର୍ଘଦିନର ଅଭିଲାଷ ଜନଜାତି ମାନ୍ୟତା ଓ ସମ୍ବିଧାନିକ ଅଧିକାର ପାଇଁ ଦୃଢ଼ ଦାବି ଉଠାଇଥିଲେ।
ମାଥିଲି ବ୍ଲକ୍ ସଭାପତି ପୂର୍ଣ୍ଣଚନ୍ଦ୍ର ଦୁରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ, ମୁଖ୍ୟ ଅତିଥି ଭାବେ ରାଜେନ୍ଦ୍ର କୁଳଦୀପ ଯୋଗଦେଇ ସମାଜର ଏକତାକୁ ସ୍ୱାଗତ କରିଥିଲେ। ମୁଖ୍ୟ ବକ୍ତା ସନ୍ତୋଷ ନାଗ କହିଥିଲେ, “ଯେପର୍ଯ୍ୟନ୍ତ ଆମେ ନ୍ୟାୟସଙ୍ଗତ ଅଧିକାର ପାଉନି, ସେପର୍ଯ୍ୟନ୍ତ ଆମର ଏହି ସଂଘର୍ଷ ଜାରି ରହିବ।”
ଏହାସହ ଜିଲ୍ଲା ସଭାପତି ବଳରାମ ଅନୁଗୁଳିଆ, ଅଭିଭକ୍ତ କୋରାପୁଟ ଜିଲ୍ଲା ଡମ୍ବ ସମାଜର ଉପ-ସଭାପତି ଡମ୍ବୁରୁ ବାଘ ଓ ସହ ସମ୍ପାଦକ କଣ୍ଟେଶ୍ୱର ପଟ୍ଟଲା ମଧ୍ୟ ଉପସ୍ଥିତ ରହି ସମାଜର ଅବହେଳିତ ଅବସ୍ଥା ଉପରେ ଚିନ୍ତା ପ୍ରକାଶ କରିଥିଲେ।
ମାଲକାନଗିରି ଜିଲ୍ଲାର ୭ଟି ବ୍ଲକ୍ର ବ୍ଲକ୍ ସଭାପତି ଓ କୁଟୁନି ପାଲି ପଞ୍ଚାୟତର ଡ଼ମ୍ବ ସମାଜର ସେକ୍ରେଟାରୀ କୃତିଵାସ ବାରିକ ବିଭିନ୍ନ ପଞ୍ଚାୟତ ପ୍ରତିନିଧିମାନଙ୍କର ବ୍ୟାପକ ଉପସ୍ଥିତି ସଭାକୁ ଆହୁରି ସୁଦୃଢ଼ କରିଥିଲା
ସଭାର ମୂଳ କେନ୍ଦ୍ରବିନ୍ଦୁ ଥିଲା ଡମ୍ବ ଜାତିକୁ ଶୀଘ୍ର ଜନଜାତି ମାନ୍ୟତା ପ୍ରଦାନ କରାଯାଉ ଏବଂ ସମ୍ବିଧାନିକ ଅଧିକାର ସୁନିଶ୍ଚିତ କରାଯାଉ। ସମସ୍ତଙ୍କ ଏକମତରେ ଏହି ଦାବିକୁ ସରକାରଙ୍କ ସମ୍ମୁଖରେ ଜୋରଦାର ଭାବେ ଉଠାଇବାକୁ ସଂକଳ୍ପ ଗ୍ରହଣ କରାଯାଇଥିଲା।
ଏହି ସଭା କେବଳ ଆଲୋଚନାରେ ସୀମିତ ନ ରହି, ଡୋମ ସମାଜର ଅଧିକାର ପାଇଁ ଏକ ନୂତନ ଆନ୍ଦୋଳନର ଆରମ୍ଭ ବୋଲି ସ୍ପଷ୍ଟ ସନ୍ଦେଶ ଦେଇଛି।


admin 
