ଧର୍ମେନ୍ଦ୍ରଙ୍କ ଇସ୍ତଫା ଛାତ୍ର ଯୁବ ସମାଜର ବିଜୟ : ଏସ ଏଫ୍ ଆଇ

ଧର୍ମେନ୍ଦ୍ରଙ୍କ ଇସ୍ତଫା ଛାତ୍ର ଯୁବ ସମାଜର ବିଜୟ : ଏସ ଏଫ୍ ଆଇ

ଭୁବନେଶ୍ୱର,୨୫/୦୭-

ଜନ୍ତରମନ୍ତରରୁ ଆରମ୍ଭ କରି ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ଆଗରେ ମୁଣ୍ଡନୁଆଁଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦେବା ହେଉଛି ଛାତ୍ର ସମାଜର ଏକ ଐତିହାସିକ ବିଜୟ। ଏହି ସଫଳତା ପାଇଁ ଦେଶର ସମସ୍ତ ଗଣତାନ୍ତ୍ରିକ, ବାମ-ଗଣତାନ୍ତ୍ରିକ, ଧର୍ମନିରପେକ୍ଷ, ସାମାଜିକ ନ୍ୟାୟ ସପକ୍ଷରେ ଲଢ଼ୁଥିବା ଶକ୍ତି ଏବଂ ଦେଶବାସୀ ଛାତ୍ର ଆନ୍ଦୋଳନକୁ ଅକୁଣ୍ଠ ସମର୍ଥନ ଦେଇଥିବାରୁ ଏସ୍.ଏଫ୍.ଆଇ. କୃତଜ୍ଞତା ଜ୍ଞାପନ କରୁଛି। ଏହି ଆନ୍ଦୋଳନରେ ଏସ୍.ଏଫ୍.ଆଇ. ସମସ୍ତ ଶକ୍ତିକୁ ଐକ୍ୟବଦ୍ଧ କରି ଆନ୍ଦୋଳନ ଗଢ଼ିବାରେ ପ୍ରମୁଖ ପ୍ରୟାସ କରିଛି।

ଦେଶର ଛାତ୍ରସମାଜ ପ୍ରଶ୍ନପତ୍ର ମାଫିଆ ତଥା ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା ବିରୁଦ୍ଧରେ ଲଢ଼ି ବିଜୟୀ ହୋଇଛନ୍ତି। ବିଶେଷକରି, ଯେଉଁମାନଙ୍କୁ ଦେଶରେ 'କକ୍ରୋଚ୍' ବୋଲି ଅଭିହିତ କରାଯାଉଥିଲା, ସେହି ସମସ୍ତ କକ୍ରୋଚ୍ ଏବଂ ଗଣତନ୍ତ୍ରପ୍ରେମୀ ଏସ୍.ଏଫ୍.ଆଇ. ସାଥୀମାନେ ଏହି ଲଢ଼େଇକୁ ଲଢ଼ି ଜିତିଛନ୍ତି। ଆଜି ଓ ଆସନ୍ତାକାଲି ଦେଶବ୍ୟାପୀ ଏସ୍.ଏଫ୍.ଆଇ. ପକ୍ଷରୁ 'ବିଜୟ ଦିବସ' ପାଳନ କରାଯିବ।

ଏହି ଐତିହାସିକ ବିଜୟ ଆଗାମୀ ଦିନରେ ଶିକ୍ଷାର ବ୍ୟବସାୟୀକରଣ ଏବଂ ଦୁର୍ନୀତି ବିରୁଦ୍ଧରେ ଦୃଢ଼ ଭାବରେ ଲଢ଼ିବାକୁ ଆହୁରି ବଡ଼ ପ୍ରେରଣା ଯୋଗାଇବ। ଆନ୍ଦୋଳନ ଚାଲିଛି, ଚାଲିବ, ଥମିବ ନାହିଁ। ଏବେ ମଧ୍ୟ ଏନ୍.ଟି.ଏ. (NTA) ଉଚ୍ଛେଦ, ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଗିରଫଦାରୀ ଓ ମିଛ କେସ୍ ପ୍ରତ୍ୟାହାର ଏବଂ ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରତ୍ୟାହାର ଭଳି ବିଭିନ୍ନ ଦାବିକୁ ନେଇ ଏହି ଆନ୍ଦୋଳନ ଜାରି ରହିବ।

 ଆଗାମୀ ଆନ୍ଦୋଳନ ମାନଙ୍କରେ ଏସ. ଏଫ. ଆଇର ରାଜ୍ୟ ସଭାପତି ଚନ୍ଦନ କାମିଲା, ରାଜ୍ୟ କୋଷାଧକ୍ଷ ରାକ୍ଷୀ ସ୍ୱାଇଁ, ରାଜ୍ୟ ଯୁଗ୍ମ ସମ୍ପାଦକ ଲିପୁ ବଳିଆର ସିଂ, ଛାତ୍ର ନେତା ଦିନେଶ ବଳିଆର ସିଂହ, ଅନିଲ ବେହେରା, ପ୍ରଭାତ କୁମାର ପତି,ଛାତ୍ରନେତ୍ରୀ ମୋନାଲିସା ମହାରଣା,ରାଜ୍ୟ ସମ୍ପାଦକ ଚନ୍ଦନ ସାହୁ, ପ୍ରାଧ୍ୟାପକ ସୁରେନ୍ଦ୍ର କୁମାର ଜେନା ସମସ୍ତ ଗଣତନ୍ତ୍ରପ୍ରେମୀ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ମାନଙ୍କୁ ବହୁସଂଖ୍ୟାରେ ଆନ୍ଦୋଳନରେ ଯୋଗଦେବାକୁ ଆହ୍ୱାନ କରିଛନ୍ତି ।