ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ମାଥିଲି ବ୍ଲକ କର୍ମକର୍ତ୍ତା ନିର୍ବାଚନ ସମ୍ପନ୍ନ
ମାଥିଲି ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ସ୍ଥାନୀୟ ସହିଦ୍ ଲକ୍ଷ୍ମଣ ନାୟକ ଭବନଠାରେ ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସାମ୍ବିଧାନିକ ସଂଘୀୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଘର ସାଙ୍ଗଠନିକ ସୁଦୃଢ଼ତା, ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ଏବଂ ଶିକ୍ଷା ବ୍ୟବସ୍ଥାର ସାମ୍ପ୍ରତିକ ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରାଜ୍ୟ ସଭାପତି ଧୀରେନ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକ ସମାଜର ଏକତା ଓ ସଂଗଠନର ଗୁରୁତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ରାଜ୍ୟ ଉପସଭାପତି ସୁରେନ୍ଦ୍ର କୁମାର କୁଲଦୀପ ଯୋଗଦେଇ ଶିକ୍ଷକମାନଙ୍କ ପଦୋନ୍ନତି, ଶିକ୍ଷା କ୍ଷେତ୍ରରେ ବିଦ୍ୟମାନ ସମସ୍ୟା, ଅଣ-ଶିକ୍ଷାଗତ କାର୍ଯ୍ୟରେ ଶିକ୍ଷକମାନଙ୍କ ସମୟ ଅପଚୟ ଏବଂ କାର୍ଯ୍ୟ ପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।
ସ୍ୱତନ୍ତ୍ର ଅତିଥି ଭାବେ ଅଭିଭକ୍ତ କୋରାପୁଟ ଜିଲ୍ଲାର ମହାମଣ୍ଡଳୀୟ ସଂଯୋଜକ ତ୍ରିନାଥ ହରିଜନ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚିତ୍ତରଞ୍ଜନ ରଥ ଉପସ୍ଥିତ ରହି ସଂଘର ଉଦ୍ଦେଶ୍ୟ, କାର୍ଯ୍ୟଧାରା ଓ ଶିକ୍ଷକ କଲ୍ୟାଣ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ପରେ ମାଥିଲି ବ୍ଲକର ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ସାମ୍ବିଧାନିକ ସଂଘୀୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ ଆର୍. ଭେଙ୍କେଟ ରମଣ ସଭାପତି, ଦେବକୀ ପୂଜାରୀ ଓ ସୁନୀଲ କୁମାର ଦାସ ଉପସଭାପତି, ନରେନ୍ଦ୍ର ନିହାଲ ସମ୍ପାଦକ, ଗୋପବନ୍ଧୁ ବାଙ୍କିଆ, ଇନ୍ଦ୍ର ନାୟକ ଓ ପ୍ରମିଳା କର ଯୁଗ୍ମ ସମ୍ପାଦକ, ପଦ୍ମନାଭ ନାୟକ ମିଡିଆ ସଂଯୋଜକ ଏବଂ ଭାଗିରଥୀ କୋପେ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ଚୟନ ହୋଇଥିଲେ।
ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଉପସ୍ଥିତ ଅତିଥି ଓ ଶିକ୍ଷକମାନେ ଅଭିନନ୍ଦନ ଜଣାଇବା ସହ ସଂଘର ସାଙ୍ଗଠନିକ ବିକାଶ ଏବଂ ଶିକ୍ଷକ ସ୍ୱାର୍ଥ ସୁରକ୍ଷା ଦିଗରେ ସେମାନେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ।
(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା)


admin 
