ପର୍ଯ୍ୟଟନ କେନ୍ଦ୍ର ନୀଳମାଧବ ପୀଠରେ ଆହାର କେନ୍ଦ୍ର ଖୋଲା ଯିବାକୁ ଦାବି।

ପର୍ଯ୍ୟଟନ କେନ୍ଦ୍ର ନୀଳମାଧବ ପୀଠରେ ଆହାର କେନ୍ଦ୍ର ଖୋଲା ଯିବାକୁ ଦାବି।

କଣ୍ଟିଲୋ, ଓଡ଼ିଶା ର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ କଣ୍ଟିଲୋ ନୀଳମାଧବ ପୀଠ। ପର୍ଯ୍ୟଟନ ସ୍ଥଳୀ ବ୍ୟତୀତ କଣ୍ଟିଲୋ ର କଂସା ଓ ପିତ୍ତଳ ବାସନ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ରାଜ୍ୟ ସରକାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ, ଜିଲ୍ଲା ସଦରମହକୁମା,ଓ ବ୍ଲକ ମୂଖ୍ୟ ଦପ୍ତର ମାନଙ୍କରେ ସାଧାରଣ ଜନତା ଙ୍କ ପାଇଁ ଶସ୍ତା ଦରରେ ଆହାର କେନ୍ଦ୍ର ମାଧ୍ୟମରେ ଖାଦ୍ୟ ଯୋଗାଇ ଜନସାଧାରଣ ଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି। ଦେଶ ସ୍ୱାଧୀନତା ଲାଭ କରିବାର ଇତିମଧ୍ୟରେ ୭୯ ବର୍ଷ ବିତିଯାଇଥିଲେ ସୁଦ୍ଧା କଣ୍ଟିଲୋ ଭଳି ପର୍ଯ୍ୟଟନସ୍ଥଳୀ ର ଅନ୍ୟ ପର୍ଯ୍ୟଟନସ୍ଥଳୀ ଭଳି ସାମଗ୍ରୀକ ବିକାଶ ହୋଇନପାରି ପଡ଼ିରହିଛି।

କଣ୍ଟିଲୋ ଭଳି ଗ୍ରାମକୁ ନେତା ମନ୍ତ୍ରୀ ଠାରୁ ଆରମ୍ଭକରି ପ୍ରଶାସନିକ ଅଧିକାରୀ ମାନେ ଅଣଦେଖା କରି ଆସୁଛନ୍ତି।ଭୋଟ ସମୟରେ ଜନସାଧାରଣଙ୍କୁ ଭେଣ୍ଡିଆ ବୋଧ ଦେଇ ହାତୀ ଦେବୁ ଘୋଡ଼ା ଦେବୁ, ଆପଣଙ୍କର ସମସ୍ତ ସମସ୍ୟା ଦୂର କରିଦେବୁ ମାତ୍ର କଥା କେବଳ ଭାଷଣରେ ସୀମିତ ରହିଯାଇଛି। କଣ୍ଟିଲୋ ଗ୍ରାମ ପଞ୍ଚାୟତ ଓଡ଼ିଶାର ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଏକକ ଗ୍ରାମ ପଞ୍ଚାୟତ।ଏଠି ପ୍ରାୟ ୧୮ ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ବର୍ଗ ର ଧନୀ, ମଧ୍ୟବିତ୍ତ ଓ ଗରିବ ପରିବାର ର ଜନସାଧାରଣ ବାସ କରିଥାନ୍ତି। ଜନସାଧାରଣଙ୍କ ଆର୍ଥିକ ପରିସ୍ଥିତି ଏତେଟା ସ୍ଵଛଳ ନୁହେଁ ଫଳରେ କିଛି ପରିବାର ଓଳିଏ ଖାଇଲେ ଓଳିଏ ଉପବାସରେ ରହିଥାନ୍ତି। ବର୍ଷର ଅଧିକାଂଶ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଦର୍ଶନ ସହିତ କଂସା ଓ ପିତ୍ତଳ ବାସନ କୁସନ କିଣିବା ପାଇଁ ଆସିଥାନ୍ତି। ପର୍ବ ପର୍ବାଣୀ କିମ୍ବା ପ୍ରଭୁ ଶ୍ରୀ ନୀଳମାଧବ ଙ୍କ ଯାନିଯାତ୍ରା ସମୟରେ ପ୍ରବଳ ଜନସମାଗମ ହୋଇଥାଏ ଫଳରେ  ଜନସାଧାରଣ ଙ୍କ ଆବଶ୍ୟକତା ଅନୁଯାୟୀ ବଜାର ଛକ ମାନଙ୍କରେ ଖାଦ୍ୟ ର ଅଭାବ ଦେଖାଯାଏ ଫଳରେ ଅନେକ ଉପବାସ ରେ ଫେରି ଯିବାକୁ ବାଧ୍ୟ ହୁଅନ୍ତି। ଯଦି ସରକାର ଙ୍କ ପକ୍ଷରୁ କଣ୍ଟିଲୋ ଗ୍ରାମ ପଞ୍ଚାୟତ ପରିସରରେ ଆହାର କେନ୍ଦ୍ର ଥାନ୍ତା ତେବେ ଜନସାଧାରଣ ଅନ୍ନକଷ୍ଟ ଭୋଗିବାକୁ ପଡୁନଥାନ୍ତା। ସମସ୍ୟା ର ସମାଧାନ, ଦୂରୀକରଣ ଓ ପାରିପାର୍ଶିକ ପରିସ୍ଥିତି କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର, ଖଣ୍ଡପଡା ବିଧାୟକ,ନୟାଗଡ ଜିଲ୍ଲାପାଳ ଯଥାଶୀଘ୍ର କଣ୍ଟିଲୋ ଗ୍ରାମପଞ୍ଚାୟତ ପରିସରରେ ଏକ ଆହାର କେନ୍ଦ୍ର ଖୋଲିବା ପାଇଁ କଣ୍ଟିଲୋ ଗ୍ରାମପଞ୍ଚାୟତ ର ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି 

ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର