ପାଣ୍ଡ୍ରିପାଣି ପେଟ୍ରୋଲ ପମ୍ପ ନିକଟରେ ଭୟାବହ ସଡ଼କ ଦୁର୍ଘଟଣା ଦୁଇ ଟ୍ରକ ମଧ୍ୟରେ ଧକ୍କା, ଚାଳକ ଗୁରୁତର; ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ପାଣ୍ଡ୍ରିପାଣି ପେଟ୍ରୋଲ ପମ୍ପ ନିକଟରେ ଭୟାବହ ସଡ଼କ ଦୁର୍ଘଟଣା ଦୁଇ ଟ୍ରକ ମଧ୍ୟରେ ଧକ୍କା, ଚାଳକ ଗୁରୁତର; ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ମାଥିଲି, ୨୮/୦୯: ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ପେଟ୍ରୋଲ ପମ୍ପ ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଲୁହା ବୋଝେଇ ଦୁଇଟି ଟ୍ରକ ମଧ୍ୟରେ ଧକ୍କା ହେବାରୁ ଜଣେ ଟ୍ରକ ଚାଳକ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଛତିଶଗଡ଼ର ରାଇଘର ଅଞ୍ଚଳରୁ ଚନେଇ ଅଭିମୁଖେ ଯାଉଥିବା ଲୁହା ବୋଝେଇ ଦୁଇଟି ଟ୍ରକ ମଧ୍ୟରୁ ଗୋଟିଏ ଟ୍ରକ ଅନ୍ୟ ଟ୍ରକର ପଛପଟକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଜଣେ ଟ୍ରକ ଚାଳକ ରକ୍ତାକ୍ତ ଅବସ୍ଥାରେ ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଆହତ ଚାଳକଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ଅନ୍ୟପଟେ, ଦୁର୍ଘଟଣାଗ୍ରସ୍ତ ଟ୍ରକଗୁଡ଼ିକ ରାସ୍ତା ଉପରେ ରହିଯିବାରୁ ୩୨୬ ନମ୍ବର ଜାତୀୟ ରାଜପଥର ଜୟପୁର–ମାଲକାନଗିରି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିବା ଦେଖାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁର୍ଘଟଣାର କାରଣ ଓ ପରିସ୍ଥିତି ନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)