ବୌଦ୍ଧ ପୁଲିସର ଚଢଉ ୨୬ ଗ୍ରାମ ବ୍ରାଉନସୁଗର ଜବତ ୪ ଗିରଫ

*ବୌଦ୍ଧ ପୁଲିସକୁ ପୁଣି ମିଳିଛି ବଡ ସଫଳତା*

ବୌଦ୍ଧ ପୁଲିସର ଚଢଉ ୨୬ ଗ୍ରାମ ବ୍ରାଉନସୁଗର ଜବତ ୪ ଗିରଫ

ବୌଦ୍ଧ:୨୫/୫(ରବିନ୍ଦ୍ର ପଟ୍ଟନାୟକ) ବୌଦ୍ଧଜିଲ୍ଲାରେ ଦିନକୁ ଦିନ ବ୍ରାଉନସୁଗର କାରବାର ବୃଦ୍ଧି ପାଉଥିବା ବେଳେ ପୁଲିସ ଆଉଏକ ବଡ ସଫଳତା ମିଳିଛି । ବୌଦ୍ଧଥାନା ପୁଲିସର ଏକ ଟିମ ଏକ ଅଟୋ ଉପରେ ଚଢଉ କରାଯାଇ ଅଟୋରେ ବସିଥିବା ବ୍ୟକ୍ତିଙ୍କ ଯାଂଚ କରିବାରୁ ସେମାନଙ୍କ ଠାରୁ ୨୬ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା । ଏହି ମାମଲାରେ ପୁଲିସ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ବୌଦ୍ଧଥାନା ଅମଠାପାଲି ଗ୍ରାମର ଗୋବିନ୍ଦ ପଣ୍ଡା(୩୨), ବୌଦ୍ଧଥାନା ପେଞ୍ଜାବାଲି ଗ୍ରାମର ପ୍ରମେଶ କହଁର(୨୭),ବୌଦ୍ଧ ଇରିକେଶନ କଲୋନୀର ମଦନ ନାୟକ(୨୭),ମାଳିସାହିର ଗୋପାଳ ବେହେରା(୨୮) ବୋଲି ଜଣାପଡିଛି । ସୂଚନା ମତେ, ବୌଦ୍ଧଥାନା ଅଧିକାରୀ ନଳିନୀକାନ୍ତ ଦାସଙ୍କ ନିର୍ଦ୍ଦେଶରେ ବୌଦ୍ଧ ପୁଲିସର ଏକ ଟିମ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଖବର ପାଇ ବୌଦ୍ଧ ବ୍ରିଜଛକ ଠାରେ ପୁଲିସ ସନ୍ଦେହରେ ଏକ ଅଟୋକୁ ଅଟକାଇ ଥିଲା ।

ଅଟୋରେ ଥିବା ଗୋବିନ୍ଦ, ପ୍ରମେଶ.ମଦନ,ଗୋପାଳଙ୍କ ତଲାସି ନେବାରୁ ସେମାନଙ୍କ ପାଖରୁ ୨୬ ଗ୍ରାମ ବ୍ରାଉନସୁଗର ଜବତ କରାଯିବା ସହିତ ୩ଟି ମୋବାଇଲ, ଦୁଇ ହଜାର ଟଙ୍କା ଓ ଅଟୋକୁ ଜବତ କରାଯାଇଥିଲା । ପ୍ରମଶେ କହଁର ପୂର୍ବରୁ ଅନ୍ୟମାମଲାରେ ଜଡିତ ଅଛନ୍ତି । ଜବତ ବ୍ରାଉନସୁଗର ଆନୁମାନିକ ମୁଲ୍ୟ ୨ ଲକ୍ଷ ୬୦ ହଜାର ଟଙ୍କାର ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି । ସୂଚନା ଯୋଗ୍ୟ ଯେ, ଚଳିତ ମାସ ୬ ତାରିଖରେ ବୌଦ୍ଧ ପୁଲିସ ବୌଦ୍ଧଥାନା ଅନ୍ତର୍ଗତ ଜଗଦିଶପୁର ଗ୍ରାମ ଛକ ଠାରେ ଚଢଉ କରି ୩୦ ଗ୍ରାମ ବ୍ରାଉନସୁଗର ଜବତ କରିଥିବା ବେଳେ ଏହି ମାମଲାରେ ୪ ଜଣକୁ ପୁଲିସ ଗିରଫ କରିଥିଲା । ଏହା ପୂର୍ବରୁ ବୌଦ୍ଧ ପୁଲିସ ଦ୍ୱାରା ଗତ ମାର୍ଚ୍ଚ ୨୦୨୫ ମସିହାରେ ୨୨.୬୭ ଗ୍ରାମ ବ୍ରାଉନସୁଗର ଜବତ କରିଥିବା ବେଳେ ଗତ ସେପ୍ଟେମ୍ବର ମାସରେ ୯ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ଜିଲ୍ଲାରେ ଯେଭଳି ଭାବରେ ଏହି ବ୍ରାଉନସୁଗର ଜହର କାରବାର ବୃଦ୍ଧି ପାଉଛି ଯଦି ଏହାକୁ ଏବେଠାରୁ ଦମନ କରାନଯାଏ ତାହାହେଲେ ଆଗାମୀ ଦିନରେ ଜିଲ୍ଲାର ଭବିଶ୍ୟତ ପିଢିପାଇଁ ବଡ କ୍ଷତିକାରକ ହେବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଉଛି ।