ମଦମୁକ୍ତ ଓଡ଼ିଶା ଦାବିକରି ୬୧ ଦିନରେ ପହଞ୍ଚିଲା ତ୍ରିରଙ୍ଗା ଯାତ୍ରା
ଭୁବନେଶ୍ୱର,୧୧/୦୮: କ୍ଷମତାସୀନ ବିଜେପି ସରକାର ନିଜର ଦୁଇବର୍ଷ ପୂର୍ତ୍ତୀ ଉତ୍ସବ ପାଳନ କରୁଥିବା ବେଳେ ରାଜ୍ୟକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତିକୁ ଭୁଲିଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୪ ସାଧାରଣ ନିର୍ବାଚନ ସମୟରେ ବିଜେପି ପକ୍ଷରୁ ଜାରି କରାଯାଇଥିବା ସଙ୍କଳ୍ପ ପତ୍ରରେ ଓଡିଶାକୁ ମଦମୁକ୍ତ ରାଜ୍ୟ ଘୋଷଣା କରିବା ପାଇଁ ଦୃଢ ପ୍ରତିଶ୍ରୁତି ଦେଇଥିଲା। ଓଡ଼ିଶାକୁ ମଦମୁକ୍ତ କରିବା ପରିବର୍ତ୍ତେ ଓଡ଼ିଶାରେ ବିଜେପି ସରକାର ମଦ ପ୍ରସାରଣ କାର୍ଯ୍ୟରେ ମାତିଛନ୍ତି। ଏହାର ପ୍ରତିବାଦ କରି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ( ମୋନା) ତୁରନ୍ତ ରାଜ୍ୟ ସରକାର ନିଜର ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରି ଓଡିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ ରାଜ୍ୟ ଘୋଷଣା କରିବା ପାଇଁ ସରକାରଙ୍କ ନିକଟରେ କ୍ରମାଗତ ଭାବେ ଦାବି କରିଆସୁଛି।ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ପ୍ରତ୍ୟେହ ଅପରାହ୍ନ ୫ଟାରେ ଚାଲିଥିବା ଏହି ତ୍ରିରଙ୍ଗା ଯାତ୍ରା ଆଜି ୬୧ ଦିନରେ ପହଞ୍ଚିଥିବା ବେଳେ ମଦମୁକ୍ତ ଓଡିଶା ଦାବିକରି ଏହି ତ୍ରିରଙ୍ଗା ଯାତ୍ରା ସମ୍ପୂର୍ଣ୍ଣ ନିଶା ନିବାରଣ ଆଇନର ପ୍ରଣେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତୀ ଠାରୁ ଆରମ୍ଭ ହୋଇ ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା। ସରକାର ଓଡିଶାକୁ ମଦମୁକ୍ତ ରାଜ୍ୟ ଘୋଷଣା କରିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ତ୍ରିରଙ୍ଗା ଯାତ୍ରା ଜାରି ରହିବ ବୋଲି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସମ୍ପୂର୍ଣ୍ଣ ମଦମୁକ୍ତ ଓଡ଼ିଶା ଦାବିରେ ଗତ ଷାଠିଏ ଦିନ ଧରି ଚାଲିଥିବା ଏହି ତ୍ରିରଙ୍ଗା ଯାତ୍ରା ସତ୍ତ୍ୱେ ସରକାର ତୁରନ୍ତ ରାଜ୍ୟକୁ ମଦମୁକ୍ତ ଘୋଷଣା କରିବା ନିମନ୍ତେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଦୁର୍ଭାଗ୍ୟଜନକ ବୋଲି ଆଜିର ଏହି ତ୍ରିରଙ୍ଗା ଯାତ୍ରାରେ ଯୋଗ ଦେଇଥିବା ବକ୍ତାମାନେ ମତବ୍ୟକ୍ତ କରିଥିଲେ ।
ଏଣୁ ସରକାର ତୁରନ୍ତ ରାଜ୍ୟକୁ ସମ୍ପୂର୍ଣ୍ଣ ମଦମୁକ୍ତ ଘୋଷଣା କରନ୍ତୁ ବୋଲି ଆଜିର ଏହି ତ୍ରିରଙ୍ଗା ଯାତ୍ରାରୁ ସରକାରଙ୍କୁ ନିବେଦନ କରାଯାଇଥିଲା । ମଦମୁକ୍ତ ଓଡିଶା ଦାବିରେ ଚାଲିଥିବା ଏହି ତ୍ରିରଙ୍ଗା ଯାତ୍ରାକୁ ସମର୍ଥନ କରି ଆଜି ଶଶିକାନ୍ତ ବେହେରା, ଇଂ ବିଶ୍ବଜିତ ମହାନ୍ତି, ବିଷ୍ଣୁ ଚରଣ ସାମନ୍ତରାୟ, ଅରୁଣ କୁମାର ସ୍ବାଇଁ ପ୍ରମୁଖ ଏହାର ନେତୃତ୍ୱ ନେଇଥିବା ବେଳେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ତୀବ୍ରତର କରାଯିବା ସହିତ ଓଡିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ ରାଜ୍ୟ ଘୋଷଣା କରାଯିବା ପାଇଁ ସରକାରଙ୍କୁ ବାଧ୍ୟ କରାଯିବ ବୋଲି ଦୃଢତାର ସହିତ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୋନା ର ସଭାପତି ପଦ୍ମଚରଣ ନାୟକ,ମଳୟ ତ୍ରିପାଠୀ, ଅର୍ଜୁନ ଚରଣ ସାମନ୍ତରାୟ,ଶୁଭେନ୍ଦୁ ରାଉତରାୟ, ପ୍ରିୟନାଥ ଆଚାର୍ଯ୍ୟ,ମଧୁସୂଦନ ଗୌଡ, ବନ୍ଦେ ମାତରଂ,କାଳନ୍ଦୀ ମଲ୍ଲିକ, ସରୋଜ ବିଶ୍ବାଳ,ଇନ୍ଦୁମତୀ ସାହୁ,ସ୍ନେହାଂଶୁ ଜେନା ପ୍ରମୁଖ ଆଜିର ଏହି ତ୍ରିରଙ୍ଗା ଯାତ୍ରୀମାନଙ୍କୁ ସହାୟତା କରିଥିଲେ।
ଶୁଭେନ୍ଦୁ ରାଉତରାୟ
କାର୍ଯ୍ୟାଳୟ ସମ୍ପାଦକ
ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ
ଫୋନ -9437107427


admin 
