ମାଥିଲି ରେ ସାକ୍ଷରତାର ନୂଆ ଆଲୋକ
୨୨୪ ବିଦ୍ୟାଳୟରେ ପରୀକ୍ଷା ଦେଲେ ୯୦୧୭ ଜଣ
ମାଥିଲି, ୨୦/୦୯: ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ନିରକ୍ଷରତା ଦୂରୀକରଣ ଓ ସମସ୍ତଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ଅନ୍ତର୍ଗତ ୨୦୨୬ ମସିହାର ଦ୍ୱିତୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପରୀକ୍ଷା ରବିବାର ମାଥିଲି ବ୍ଲକରେ ସଫଳତାର ସହ ଅନୁଷ୍ଠିତ ହୋଇଛି।
ମାଥିଲି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ରମେଶ ବାରୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରୀକ୍ଷା ପରିଚାଳିତ ହୋଇଥିଲା। ଉଲ୍ଲାସ ଆପ୍ ମାଧ୍ୟମରେ ମାଥିଲି ବ୍ଲକରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ୯୦୬୧ରୁ ଅଧିକ ନିରକ୍ଷରଙ୍କ ନାମ ପଞ୍ଜୀକରଣ କରାଯାଇଥିଲା। ସେଥିମଧ୍ୟରୁ ବ୍ଲକ ଅନ୍ତର୍ଗତ ୨୦ଟି ଗ୍ରାମ ପଞ୍ଚାୟତର ୨୨୪ଟି ବିଦ୍ୟାଳୟରେ ମୋଟ ୯୦୧୭ ଜଣ ପରୀକ୍ଷାର୍ଥୀ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପରୀକ୍ଷା ଦେଇଥିଲେ।
ପଠନ, ଲିଖନ ଓ ସଂଖ୍ୟାଜ୍ଞାନ ଭଳି ବିଷୟକୁ ନେଇ ମୋଟ ୧୫୦ ମାର୍କରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୧୮ ବର୍ଷରୁ ଊର୍ଦ୍ଧ୍ୱ ନିରକ୍ଷରମାନଙ୍କୁ ଗ୍ରାମର ସ୍ୱେଚ୍ଛାସେବୀ ଶିକ୍ଷକଙ୍କ ମାଧ୍ୟମରେ ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ ଓ ଜୀବନ କୌଶଳ ଶିକ୍ଷା ପ୍ରଦାନ କରାଯାଉଛି।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିରକ୍ଷରମାନଙ୍କ ମଧ୍ୟରେ ପଢ଼ିବା, ଲେଖିବା ଓ ଗଣନା କରିବାର ଦକ୍ଷତା ବିକାଶ ସହ ଦୈନନ୍ଦିନ ଜୀବନରେ ଆବଶ୍ୟକ ଜୀବନ କୌଶଳ ଓ ଡିଜିଟାଲ୍ ସାକ୍ଷରତା ବୃଦ୍ଧି କରିବା ଲକ୍ଷ୍ୟ ରହିଛି।
ପରୀକ୍ଷାର ସୁଚାରୁ ପରିଚାଳନା ପାଇଁ ମାଥିଲି ବ୍ଲକର ୨୦ ଜଣ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନିଜ ନିଜ ଅଞ୍ଚଳରେ ଦାୟିତ୍ୱ ନିର୍ବାହ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଛତିଶ ଚନ୍ଦ୍ର ନାୟକ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରୀକ୍ଷା ପରିଚାଳନାର ତଦାରଖ କରିଥିଲେ।
ପ୍ରକାଶଥାଉ କି, ପରୀକ୍ଷାରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରି ଉତ୍ସାହିତ କରାଯିବ। ନିରକ୍ଷରତା ଦୂର କରି ସମାଜର ପ୍ରତ୍ୟେକ ବର୍ଗକୁ ଶିକ୍ଷାର ଆଲୋକରେ ଆଲୋକିତ କରିବା ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସକ୍ରିୟ ଭାବେ ସାମିଲ କରିବା ଦିଗରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଲଟିଛି।
(ମାଥିଲି ରୁ ପ୍ପେଶଲ ରିପଟର୍ ଶିବପ୍ରସାଦ ପରିଛା ବିଶେଷ ଖବର)


admin 
