ମାଲକାନଗିରିରୁ ଛତିଶଗଡ଼ ଯାଉଥିଲା ୨୪୫ କେଜି ଗଞ୍ଜେଇ
ବସ୍ ମାଲିକ ସମେତ ୨ ଗିରଫ, ୧ କୋଟି ୭୨ ଲକ୍ଷ ଟଙ୍କାର ସାମଗ୍ରୀ ଜବତ
ମାଥିଲି ୫/୧୦ ମାଲକାନଗିରିରୁ ଛତିଶଗଡ଼କୁ ଚୋରାଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଛତିଶଗଡ଼ର ଗୋରେଲା-ପେଣ୍ଡ୍ରା-ମରୱାହି (ଜିପିଏମ୍) ଜିଲ୍ଲା ପୁଲିସ। ଏକ ବସ୍ରୁ ୨୪୫ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଘଟଣାରେ ବସ୍ ମାଲିକ ସମେତ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି।
ପୁଲିସ ସୂଚନା ଅନୁଯାୟୀ, ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୨୨ ଲକ୍ଷ ଟଙ୍କା। ଏଥିସହ ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ଏକ ବସ୍ ଓ ୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ମୋଟ ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୧ କୋଟି ୭୨ ଲକ୍ଷ ଟଙ୍କା ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ଗୁପ୍ତ ସୂଚନା ଆଧାରରେ ପୁଲିସ କୋଟମୀ ଅଞ୍ଚଳରେ ଯାଞ୍ଚ ଅଭିଯାନ ଚଳାଇ ଜାଗୁଆର ଟ୍ରାଭେଲ୍ସର ଓଡି-୩୦-ଡି-୦୬୦୬ ନମ୍ବର ବିଶିଷ୍ଟ ବସ୍କୁ ଅଟକାଇଥିଲା। ବସ୍ରେ ତଲାସି ସମୟରେ ସ୍ଲିପର ସିଟ୍ ଉପରେ ରଖାଯାଇଥିବା ୩ଟି ବସ୍ତା ମଧ୍ୟରୁ ୪୯ଟି ପ୍ୟାକେଟ୍ରେ ଭର୍ତ୍ତି ଗଞ୍ଜେଇ ମିଳିଥିଲା। ଓଜନ କରାଯିବା ପରେ ଏହାର ପରିମାଣ ୨୪୫ କେଜି ବୋଲି ଜଣାପଡ଼ିଥିଲା।
ଏହି ଘଟଣାରେ ମାଲକାନଗିରିର ଦିଲୀପ କୁମାର ହିଣ୍ଡିଆ, ଯିଏକି ବସ୍ର ମାଲିକ, ଏବଂ ଧନୌରା-ମରୱାହି ଅଞ୍ଚଳର ଭୀମସେନ କେଉଁଟଙ୍କୁ ପୁଲିସ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଜବତ ଗଞ୍ଜେଇ କୋରବା ଓ ଜିପିଏମ୍ ଅଞ୍ଚଳକୁ ଚୋରାଚାଲାଣ ହେଉଥିବା ଜଣାପଡ଼ିଛି।
ଏନ୍ଡିପିଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି। ଏହି ଚୋରାଚାଲାଣ ପଛରେ ଥିବା ଅନ୍ୟ ସପ୍ଲାୟର ଓ ରିସିଭରମାନଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ତଦନ୍ତ ଚଳାଇଛି।
(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର )


admin 
