ମାଲକାନାଗିରି ବଜାରରେ ଗୁଟଖା କଳାବଜାରୀ ।
ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ 'ଆର୍ଏସ୍' ଗୁଟ୍ଖା ଖୋଲାଖୋଲି କଳାବଜାରୀ ଏବଂ ଏହାର ଅମାନିଆ ମନମାନୀର ଏକ ସୁଚିନ୍ତିତ ଚକ୍ରବ୍ୟୂହ ରଚି ହୋଇଛି।ଦୋକାନରେ ବିକ୍ରି ପାଇଁ କିମ୍ବା ନିଜ ବ୍ୟବହାର ପାଇଁ ମାଲକାନଗିରିର ବିଭିନ୍ନ ଅଞ୍ଚଳରୁ ଗୁଟ୍ଖା କିଣୁଥିବା ସାଧାରଣ ଖୁଚୁରା ବ୍ୟବସାୟୀ ଏବଂ ଗ୍ରାହକମାନଙ୍କ କହିବାନୁଯାୟୀ, ବଜାରରେ ଏହି 'ଆର୍ଏସ୍' ଗୁଟ୍ଖା ପ୍ୟାକେଟ୍ ଗୁଡ଼ିକ ସମ୍ପୂର୍ଣ୍ଣ ମନମାନୀ ମୂଲ୍ୟରେ ବିକ୍ରି ହେଉଛି। ଲୋକଙ୍କ ଅଭିଯୋଗ ଅନୁଯାୟୀ, ବର୍ତ୍ତମାନ ଏହାକୁ ସିଧାସାଧକ ୧୫୦ ରୁ ୧୬୦ ଟଙ୍କା ପର୍ଯ୍ୟନ୍ତ ଚଢ଼ା ଦାମ୍ରେ ବିକ୍ରି କରାଯାଉଛି। ଏହି ବେଆଇନ ଉତ୍ପାଦ ଉପରେ କୌଣସି ସରକାରୀ ଅନୁମୋଦନ ନଥିବା ସତ୍ତ୍ୱେ କେବଳ ଅସାଧୁ ବ୍ୟବସାୟୀଙ୍କ ମନମାନୀ ଯୋଗୁଁ ଏଭଳି ଚଢ଼ା ଦାମ୍ ଆଦାୟ କରାଯାଉଛି, ଯାହା ସିଧାସାଧକ ଭାବେ ଏକ ବଡ଼ଧରଣର କଳାବଜାରୀର କଳା କାରନାମାକୁ ପଦାରେ ପକାଉଛି।ଏହି ସମଗ୍ର ପରିସ୍ଥିତିର ସବୁଠାରୁ ଚିନ୍ତାଜନକ ଦିଗ ହେଉଛି ବ୍ୟବସାୟୀଙ୍କ ଏହି ଅମାନିଆ ମନମାନୀ। ସ୍ଥାନୀୟ ଖୁଚୁରା ବ୍ୟବସାୟୀଙ୍କ କହିବା ଅନୁସାରେ ମାତ୍ର କିଛି ଦିନ ପୂର୍ବେ ଯେଉଁ 'ଆର୍ଏସ୍' ଗୁଟ୍ଖା ସେମାନେ ୧୧୫, କିମ୍ବା ୧୨୦ ଟଙ୍କାରେ ସହଜରେ ପାଉଥିଲେ, ଆଜି ହଠାତ୍ ସେହି ସମାନ ଉତ୍ପାଦକୁ ୧୫୦ ରୁ ୧୬୦ ଟଙ୍କାରେ ବିକ୍ରି କରି ବ୍ୟବସାୟୀମାନେ ନିଜର ଦୌରାମ୍ୟ ଚଳାଇଛନ୍ତି। ଏହା ପଛରେ କେଉଁ ରହସ୍ୟ ରହିଛି? ବର୍ତ୍ତମାନ କିଛି ଅସାଧୁ ବ୍ୟବସାୟୀ ଏବଂ ଗୋଦାମ ମାଲିକମାନେ ମିଳିମିଶି ବଜାରରେ ଏହାର କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ଏବଂ ଗୁଟ୍ଖାକୁ ଲୁଚାଇ ରଖି ନିଜ ଇଚ୍ଛା ମୁତାବକ ଦାମ୍ ଆଦାୟ କରୁଛନ୍ତି, ଫଳସ୍ୱରୂପ, ସାଧାରଣ ଖୁଚୁରା ବ୍ୟବସାୟୀମାନେ ବାଧ୍ୟ ହୋଇ ଏହି ମନମାନୀର ଶିକାର ହେଉଛନ୍ତି। ଏହା କେବଳ ଏକ ବ୍ୟବସାୟିକ ଠକେଇ ନୁହେଁ, ବରଂ ଜରୁରୀ ସାମଗ୍ରୀକୁ ଅସ୍ଥାୟୀ ଭାବେ ହାଇଜାକ୍ କରି ଗ୍ରାହକ ଓ ଛୋଟ ବ୍ୟବସାୟୀଙ୍କୁ ଶୋଷଣ କରିବାର ଏକ କ୍ରୁର ଖେଳ ଅଟେ ବୋଲି ଖୁଚୁରା ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି।ଏହି କାରବାରର ଆଉ ଏକ ସାଂଘାତିକ ତଥା ଚକତ କରିଲା ଭଳି ଦିଗ ହେଉଛି ବଜାରରେ ବିକ୍ରି ହେଉଥିବା ଜାତୀୟ ସ୍ତରର ବଡ଼ବଡ଼ ବ୍ରାଣ୍ଡ ଯଥା 'ବିମଳ' ପାନ ମସାଲାର ଯେଉଁଭଳି ଜିଏସ୍ଟି ନମ୍ବର ଏବଂ କର ବ୍ୟବସ୍ଥା ରହିଥାଏ, ତାହାକୁ ମଧ୍ୟ ଏହି ଲୋକାଲ 'ଆର୍ଏସ୍' ଗୁଟ୍ଖା ପଛରେ ପକାଇ ଦେଇଛି! ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଯେ, ବଜାରରେ ଏହି ବେଆଇନ 'ଆର୍ଏସ୍' ଗୁଟ୍ଖାର କୌଣସି ବୈଧ ଜିଏସ୍ଟି ନମ୍ବର କିମ୍ବା ଆଇନଗତ କର ପ୍ରମାଣ ନାହିଁ। ଯେଉଁ ଲୋକାଲ୍ ଗୁଟ୍ଖା ପାଇଁ କୌଣସି ଜିଏସ୍ଟି ନମ୍ବର ନାହିଁ, ତାହା 'ବିମଳ' ଭଳି ବଡ଼ବଡ଼ ବ୍ରାଣ୍ଡର ମୂଲ୍ୟକୁ ମଧ୍ୟ ଟପି ଏତେ ଉପରକୁ ଚାଲିଯାଇଛି,ତାହା କିଭଳି ମାଲକାନଗିରି ଭଳି ଏକ ସମ୍ବେଦନଶୀଳ ଜିଲ୍ଲାରେ ଏତେ ନିର୍ଭୟରେ ଏବଂ ଖୋଲାଖୋଲି ଭାବେ ମନମାନୀ ଦରରେ କଳାବଜାରୀ ହେଉଛି? ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଗୁଟ୍ଖା ଉପରେ କଠୋର ପ୍ରତିବନ୍ଧକ ତଥା ସରକାରୀ ଗାଇଡଲାଇନ୍ ଜାରି କରାଯାଇଥିଲେ ମଧ୍ୟ, ଏହି 'ଆର୍ଏସ୍' ଗୁଟ୍ଖା ସମସ୍ତ ନିୟମକୁ ବୁଢ଼ା ଆଙ୍ଗୁଠି ଦେଖାଇ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରୁଛି।
ବିଶେଷ କରି ପଡ଼ୋଶୀ ଛତିଶଗଡ଼ର ସୁକମା ତଥା ଜୟପୁର ପଟରୁ ମାଲକାନଗିରି ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏବଂ ସୀମାନ୍ତ ପଥଗୁଡ଼ିକ ଦେଇ ଏହି ବେଆଇନ 'ଆର୍ଏସ୍' ଗୁଟ୍ଖା ବୋଝେଇ ଗାଡ଼ିଗୁଡ଼ିକ ଦିନରାତି ନିର୍ଭୟରେ ପ୍ରବେଶ କରୁଛି। ଯଦି ସେହି ସମସ୍ତ ପ୍ରମୁଖ ଯାତାୟାତ ପଥ ଓ ସୀମାନ୍ତ ରାସ୍ତାଗୁଡ଼ିକରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଏ ଏବଂ ନିୟମିତ ଯାଞ୍ଚ କରାଯାଏ, ତେବେ ଏହି ବେଆଇନ ପ୍ରବେଶକୁ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯାଇପାରିବ। କିନ୍ତୁ ଦୁଃଖର କଥା, ଏସବୁ ସତ୍ତ୍ୱେ ଜିଲ୍ଲା ପ୍ରଶାସନ ଏବଂ ସମ୍ପୃକ୍ତ ଖାଦ୍ୟ ସୁରକ୍ଷା ବିଭାଗ ସମ୍ପୂର୍ଣ୍ଣ ନୀରବ ରହିଛି। ଓଡ଼ିଶାରେ ଗୁଟ୍ଖା ଉପରେ ପ୍ରତିବନ୍ଧକ ଲାଗିବା ପରେ ମାଲକାନଗିରି ଜିଲ୍ଲାରେ କେତେକ ପ୍ରାରମ୍ଭିକ ଚଢ଼ାଉ ଦୃଶ୍ୟମାନ ହୋଇଥିଲା, କିନ୍ତୁ ଆଜି ସେହି କଡ଼ା ପଦକ୍ଷେପ କାହିଁ? ଅସାଧୁ ବ୍ୟବସାୟୀ ଓ ମାଫିଆମାନେ ପ୍ରଶାସନର ଏହି କୋହଳ ନୀତି ଏବଂ ମୁହଁ ଖୋଲୁନଥିବା ନୀରବତାର ସୁଯୋଗ ନେଇ ନିଜର ବେଆଇନ 'ଆର୍ଏସ୍' ଗୁଟ୍ଖା ସାମ୍ରାଜ୍ୟକୁ ଦିନକୁ ଦିନ ଅଧିକ ପ୍ରସାରିତ କରୁଛନ୍ତି। ଖାଉଟି ବିଭାଗ ଏବଂ ପ୍ରଶାସନ ବର୍ତ୍ତମାନ କେବଳ ଏକ ମୂକଦର୍ଶକ ସାଜିଛି।ଏହି ଗମ୍ଭୀର ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଚେତି ଉଠି ସୀମାନ୍ତ ଅଞ୍ଚଳରେ କଡ଼ା ପହରା ବ୍ୟବସ୍ଥା କରିବା ସହ ଏକ ବଡ଼ଧରଣର ସ୍ୱତନ୍ତ୍ର ଚଢ଼ାଉ କରିବା ସମୟ ଆସିଯାଇଛି। ଏହି ଅବୈଧ କାରବାର ପଛରେ ଥିବା ମାଫିଆ ଓ ଦୋଷୀ ବ୍ୟବସାୟୀମାନଙ୍କ ବିରୁଦ୍ଧରେ କଠୋରରୁ କଠୋରତମ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଏହି ବେଆଇନ ଗୁଟ୍ଖାର ବଜାରରୁ ସମ୍ପୂର୍ଣ୍ଣ ନିଷ୍କାସନ ସୁନିଶ୍ଚିତ କରାଯିବା ଉଚିତ୍। କେବଳ ଏହିପରି ଦୃଢ଼ ପଦକ୍ଷେପ ଦ୍ୱାରା ହିଁ ଜିଲ୍ଲାରେ ଶୋଷିତ ବ୍ୟବସାୟୀ ଓ ଜନସାଧାରଣଙ୍କୁ ଆଶ୍ୱସ୍ତି ମିଳିପାରିବ ବୋଲି ବୁଦ୍ଧିଜୀବୀ ଓ ସଚେତନ ମହଲରେ ଗଭୀର ଚର୍ଚ୍ଚା ଜୋର ଧରିଛି ।
(ମାଥିଲି ରୁ ପ୍ପେଶଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)


admin 
