ମିଥ୍ୟା ବାତ୍ୟା ଖବର ପ୍ରସାରଣ କଲେ ହେବ ଜେଲ୍!
ଗୁଜବକାରୀଙ୍କୁ ଓଡ଼ିଶା ସରକାରଙ୍କ କଡ଼ା ଚେତାବନୀ
ମାଥିଲି ୨୬/୧୦: ମାଲକାନଗିରି ଜିଲ୍ଲା ବାତ୍ୟା ଓ ପ୍ରତିକୂଳ ପାଣିପାଗକୁ ନେଇ ସୋସିଆଲ ମିଡିଆ, ଡିଜିଟାଲ୍ ପ୍ଲାଟଫର୍ମ ଏବଂ ବିଭିନ୍ନ ଗଣମାଧ୍ୟମରେ ଭ୍ରମାତ୍ମକ ଓ ଅନୁମାନଭିତ୍ତିକ ଖବର ପ୍ରସାରଣକୁ ନେଇ ରାଜ୍ୟ ସରକାର ଗମ୍ଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଏଭଳି ମିଥ୍ୟା ଖବର ଓ ଗୁଜବ ଉପରେ ରୋକ୍ ଲଗାଇବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ସୂଚନା ଜାରି ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, କେତେକ ବ୍ୟକ୍ତି ନିଜକୁ ପାଣିପାଗ ବିଶେଷଜ୍ଞ ବୋଲି ପରିଚୟ ଦେଇ ବିନା ବୈଜ୍ଞାନିକ ଆଧାରରେ ବାତ୍ୟାର ଗତିପଥ, ସ୍ଥଳଭାଗ ଛୁଇଁବାର ସମୟ ଏବଂ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ମନଗଢ଼ା ତଥ୍ୟ ପ୍ରଚାର କରୁଛନ୍ତି। ଏହାଦ୍ୱାରା ସାଧାରଣ ଲୋକଙ୍କ ମଧ୍ୟରେ ଅଯଥା ଭୟ ଓ ଆତଙ୍କ ସୃଷ୍ଟି ହେବା ସହ ଚାଷୀମାନେ ଆଗୁଆ ଫସଲ ଅମଳ କରି ଆର୍ଥିକ କ୍ଷତି ସହିବାର ଆଶଙ୍କା ରହିଛି। ଏପରିକି ଆତଙ୍କିତ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଫଳରେ ବଜାରରେ ଦରବୃଦ୍ଧି ଘଟିବା ସହ ସରକାରଙ୍କ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ମଧ୍ୟ ବାଧାପ୍ରାପ୍ତ ହୋଇପାରେ।
ଏହି ପରିପ୍ରେକ୍ଷୀରେ ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସତର୍କ କରାଇଛନ୍ତି। ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ର ଧାରା ୫୪ ଅନୁଯାୟୀ, ବିପର୍ଯ୍ୟୟ ସମ୍ପର୍କରେ ମିଥ୍ୟା ସତର୍କ ସୂଚନା କିମ୍ବା ଗୁଜବ ପ୍ରଚାର କରି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଥିବା ଦୋଷୀ ବ୍ୟକ୍ତିଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡ ହୋଇପାରେ। ସେହିପରି ଆଇନର ଧାରା ୫୧ ଅନୁଯାୟୀ, ବିପର୍ଯ୍ୟୟ ମୁକାବିଲା ସମ୍ପର୍କିତ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କଲେ ମଧ୍ୟ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇପାରିବ।
ପାଣିପାଗ ସମ୍ପର୍କିତ ସଠିକ୍ ଓ ବୈଜ୍ଞାନିକ ସୂଚନା ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ସରକାରୀ ପୂର୍ବାନୁମାନକୁ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି। ସୋସିଆଲ ମିଡିଆ ବ୍ୟବହାରକାରୀ, ୟୁଟ୍ୟୁବର୍, କଣ୍ଟେଣ୍ଟ ସ୍ରଷ୍ଟା ଓ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଆଇଏମ୍ଡି, ଏସ୍ଆର୍ସି ଏବଂ ଜିଲ୍ଲା ପ୍ରଶାସନର ଅଧିକୃତ ସୂଚନା ଆଧାରରେ ହିଁ ଖବର ପ୍ରସାରଣ କରିବା ଉଚିତ ବୋଲି କୁହାଯାଇଛି।
ଅନ୍ୟପକ୍ଷରେ, ମିଥ୍ୟା ଖବର ଓ ଗୁଜବ ପ୍ରସାର କରୁଥିବା ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ସାଇବର ପୋଲିସ ଓ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାଙ୍କ ନଜର ରହିବ। ଆବଶ୍ୟକ ସ୍ଥଳେ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇପାରିବ।
ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭୁଲ୍ ସୂଚନା ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ପ୍ରଭାବିତ କରିପାରେ। ତେଣୁ କୌଣସି ଅପ୍ରମାଣିତ ଖବରକୁ ବିଶ୍ୱାସ କିମ୍ବା ପ୍ରସାର ନକରି ସରକାରୀ ସୂଚନା ଉପରେ ଭରସା କରିବାକୁ ସାଧାରଣ ଜନତାଙ୍କୁ ପରାମର୍ଶ ଦିଆଯାଇଛି।
(ମାଥିଲି ରୁ ପ୍ପେଶଲ୍ ରିପଟର୍ ଶିବପ୍ରସାଦ ପରିଛା ବିଶେଷ ଖବର)


admin 
