ସ୍ୱାଭିମାନ ଅଞ୍ଚଳରେ ନିଶାମୁକ୍ତ ସମାଜ ଗଠନ ଦିଗରେ ଆଉ ପାଦେ ଆଗେଇଲେ ଚାଷୀ
ପୋଲିସର ସଚେତନତାରେ ନିଜ ହାତରେ ଗଞ୍ଜେଇ ଗଛ ନଷ୍ଟ କଲେ ଚାଷୀ, ବିକଳ୍ପ ଜୀବିକା ପାଇଁ ସରକାରୀ ସହାୟତା ଦାବି
ମାଥିଲି ୧୧/୧୦ ମାଲକାନଗିରି ଜିଲ୍ଲା ନିଶାମୁକ୍ତ ସମାଜ ଗଠନ ସହ ଏକ ସୁସ୍ଥ, ସୁନ୍ଦର ଓ ସମୃଦ୍ଧ ଭବିଷ୍ୟତ ନିର୍ମାଣ ଲକ୍ଷ୍ୟରେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ବଡ଼ପଡ଼ା ଲକେ ଅଞ୍ଚଳରେ ଏକ ସକାରାତ୍ମକ ପଦକ୍ଷେପ ଦେଖିବାକୁ ମିଳିଛି। ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଥିବା ସଚେତନତା କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ଚାଷୀମାନେ ନିଜ ଜମିରେ ଚାଷ କରିଥିବା ଗଞ୍ଜେଇ ଗଛକୁ ନିଜ ହାତରେ ନଷ୍ଟ କରିଛନ୍ତି। ଏହି ପଦକ୍ଷେପ ଅଞ୍ଚଳରେ ନିଶାମୁକ୍ତ ସମାଜ ଗଠନ ଦିଗରେ ଏକ ଆଶାଜନକ ବାର୍ତ୍ତା ଦେଇଛି।
ଗଞ୍ଜେଇ ଚାଷର ଆଇନଗତ ପରିଣାମ ଏବଂ ଏହାର କୁପ୍ରଭାବ ସମ୍ପର୍କରେ ପୋଲିସ ପକ୍ଷରୁ ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଥିଲା। ବେଆଇନ ଗଞ୍ଜେଇ ଚାଷ ଯୋଗୁଁ ଆଇନଗତ ସମସ୍ୟା ସୃଷ୍ଟି ହେବା ସହ ପରିବାରର ଆର୍ଥିକ ଓ ସାମାଜିକ ସ୍ଥିତି ଦୋହଲିଯାଇପାରେ। ପରିବାରର ମୁଖ୍ୟ ଆଇନଗତ ଜଟିଳତାରେ ପଡ଼ିଲେ ପିଲାମାନଙ୍କ ଶିକ୍ଷା ଓ ଭବିଷ୍ୟତ ମଧ୍ୟ ପ୍ରଭାବିତ ହୋଇପାରେ ବୋଲି ପୋଲିସ ବୁଝାଇଥିଲା। ଏହାକୁ ହୃଦୟଙ୍ଗମ କରି ଚାଷୀମାନେ ସ୍ୱଇଚ୍ଛାରେ ଏହି ଚାଷରୁ ଓହରି ଆସିବା ସହ ଗଞ୍ଜେଇ ଗଛ ନଷ୍ଟ କରିଥିବା ଜଣାପଡ଼ିଛି।
ତେବେ ଗଞ୍ଜେଇ ଚାଷ ଛାଡ଼ିବା ପରେ ପରିବାରର ଜୀବିକା ନିର୍ବାହ କିପରି ହେବ, ତାହା ଚାଷୀମାନଙ୍କ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ଏହି ସମସ୍ୟାର ସମାଧାନ ଓ ବିକଳ୍ପ ଜୀବିକାର ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ସିର୍ଲିମେଟା ଗ୍ରାମରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଞ୍ଚଳର ଜଳବାୟୁ ଓ ମାଟିର ଗୁଣବତ୍ତା ଅନୁଯାୟୀ ଲାଭଜନକ ବିକଳ୍ପ ଫସଲ ଚାଷ କରିବା ସହ ଚାଷୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ନେଇ ଆଲୋଚନା କରାଯାଇଥିଲା।
ଅନ୍ୟପକ୍ଷରେ, ଗଞ୍ଜେଇ ଚାଷରୁ ଦୂରେଇ ରହିଥିବା ଚାଷୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୁ ସ୍ଥାୟୀ ଜୀବିକା ଯୋଗାଇଦେବା ପାଇଁ କୃଷି ବିଭାଗ ଓ ପ୍ରଶାସନର ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି। ଚାଷୀମାନଙ୍କୁ ଉପଯୁକ୍ତ କୃଷି ପ୍ରଶିକ୍ଷଣ, ଉନ୍ନତମାନର ବିହନ, କୃଷି ସାମଗ୍ରୀ ଏବଂ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି।
ସଚେତନତା ମାଧ୍ୟମରେ ଗଞ୍ଜେଇ ଚାଷରୁ ଚାଷୀଙ୍କୁ ନିବୃତ୍ତ କରିବା ସହ ବିକଳ୍ପ ଜୀବିକାର ବ୍ୟବସ୍ଥା କରାଗଲେ ଏହି ପ୍ରୟାସ ଦୀର୍ଘସ୍ଥାୟୀ ହୋଇପାରିବ। ତେଣୁ ନିଶାମୁକ୍ତ ସମାଜ ଗଠନର ଏହି ସକାରାତ୍ମକ ପଦକ୍ଷେପକୁ ସଫଳ କରିବା ପାଇଁ ପ୍ରଶାସନ ଓ କୃଷି ବିଭାଗ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର )


admin 
