ମୃତ୍ୟୁ ଏମିତି ବି ଛକି ବସେ .

ମୃତ୍ୟୁ ଏମିତି ବି ଛକି ବସେ .
ସାବିତ୍ରୀ ଅମାବାସ୍ୟା ତିଥିରେ ବାଇକର ମୁହାଁମୁହିଁ ଧକ୍କା, ଚାଲିଗଲା ଦୁଇ ଜଣଙ୍କ ଜୀବନ, ଜଣେ ସଂକଟାପନ୍ନ
ନୟାଗଡ଼, ୨୭.୦୫.୨୦୨୫ ( ଅଶୋକ କୁମାର ସାଥୁଆ )
ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଲାଠିପଡ଼ା ଗାଁ ଜଗନ୍ନାଥ ମନ୍ଦିର ନିକଟରେ ଦୁର୍ଘଟଣା। ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର, ଗାଙ୍ଗପୁର ଥାନା ଅନ୍ତର୍ଗତ ସିଂହମର୍ଦ୍ଦନ ଗ୍ରାମର ଦିପ୍ରଚରଣ ଭୂୟାଁ ଙ୍କ ପୁଅ ବିରଞ୍ଚି ଭୂୟାଁ ଓ ନୟାଗଡ ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ, ଭାଟସାହି ପଞ୍ଚାୟତର ଡିଆଁପଡ଼ା ଗ୍ରାମର ବସନ୍ତ ପ୍ରଧାନଙ୍କ ବଡ ପୁଅ ପ୍ରଭାତ ପ୍ରଧାନ ( ବୟସ ୪୫ ) ମୃତ୍ୟୁ ଘଟିଥିବା ବେଳେ ଓ ଉକ୍ତ ଗ୍ରାମର ହରି ପ୍ରଧାନଙ୍କ ପୁଅ କାହ୍ନୁ ପ୍ରଧାନ ଗୁରୁତର ଭାବେ ଆହତ ହୋଇ ସଂଜ୍ଞାହୀନ ଭାବେ ଭଞ୍ଜନଗର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିବା ସହ କାହ୍ନୁ ପ୍ରଧାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ଏମ.କେ.ସି. ଜି କୁ ସ୍ଥାନାନ୍ତରିତ କରିଛନ୍ତି ।
ପ୍ରାପ୍ତ ଖବର ଅନୁଯାୟୀ ସୋମବାର ସକାଳ ୯ ଘଟିକା ସମୟରେ ଏକ ବୁଲେଟ ଗାଡି ନଂ - OD07AG1398 ଭଞ୍ଜନଗରରୁ ସୋରଡ଼ା ଅଭିମୁଖେ ଆସୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ହିରୋ ଡିଲକ୍ସ ନଂ - OD25M0528 ସହ ଲାଠିପଡ଼ା ଜଗନ୍ନାଥ ମନ୍ଦିର ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ତୁରନ୍ତ ସୋରଡ଼ା ପୋଲିସ୍ ଏବଂ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ଭଞ୍ଜନଗର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରଭାତ ପ୍ରଧାନ ଓ ବିରଞ୍ଚି ଭୂୟାଁ ଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଦିବା ୨ ଘଟିକା ସମୟରେ ମୃତ ବିରଂଚି ଭୂୟାଁ ଙ୍କ ପିତା ବିପ୍ରଚରଣ ଭୂୟାଁ ସୋରଡ଼ା ଥାନାରେ ଏଫ୍ ଆଇ ଆର୍ ରୁଜୁ କରିଥିବା ପୋଲିସ ସୂଚନାରୁ ପ୍ରାପ୍ତ ହୋଇଛି । ଖବର ଲେଖାହବା ପର୍ଯ୍ୟନ୍ତ କାହ୍ନୁ ପ୍ରଧାନଙ୍କ ସଂଜ୍ଞା ଫେରିନଥିବା ଓ ଅବସ୍ଥା ଗମ୍ଭୀର ଥିବା ମେଡିକାଲ ସୂତ୍ରରୁ ଜଣାପଡିଛି।
ନୟାଗଡ଼ ରୁ ଅଶୋକ କୁମାର ସାଥୁଆଙ୍କ ରିପୋର୍ଟ ବିଶେଷ ଖବର ।