ଅସମ୍ପୂର୍ଣ୍ଣ ଅଙ୍ଗନବାଡି କୋଠା,ଭଡା ଘରେ ଚାଲିଛି ପ୍ରାକ୍ଶିକ୍ଷା ।

ଅସମ୍ପୂର୍ଣ୍ଣ ଅଙ୍ଗନବାଡି କୋଠା,ଭଡା ଘରେ ଚାଲିଛି ପ୍ରାକ୍ଶିକ୍ଷା ।
ଅଙ୍ଗନବାଡ଼ି କେନ୍ଦ୍ରର ପୁରୁଣା କୋଠା କେଉଁ ଦିନ ଠୁ ନଷ୍ଟ ହୋଇ ଯାଇଛି। ନୂତନ କୋଠା କାମ ୪ ବର୍ଷ ପରେ ମଧ୍ୟ ସଂପୂର୍ଣ୍ଣ ହୋଇପାରୁନି। ତେଣୁ ଭଡା ଘରେ ଅଙ୍ଗନବାଡି କେନ୍ଦ୍ରର ଶିଶୁମାନଙ୍କୁ ପ୍ରାକ୍ଶିକ୍ଷା ପ୍ରଦାନ କରାଯାଉଛି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଚେପଟିଆମ୍ବା ଗ୍ରାମରେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବହୁ ବର୍ଷ ତଳେ ଚେପଟିଆମ୍ବା ଗ୍ରାମରେ ପ୍ରଶାସନ ପକ୍ଷରୁ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ ହୋଇଥିଲା। ଏହାର କିଛି ବର୍ଷ ପରେ ଅର୍ଥାତ୍ ୨୦୦୦ ମସିହାରେ ପ୍ରଶାସନ ପକ୍ଷରୁ ଅଙ୍ଗନବାଡ଼ି କେନ୍ଦ୍ରର ନୂତନ କୋଠାଗୃହ ନିର୍ମାଣ ହୋଇଥିଲା। ନୂତନ କୋଠା ନିର୍ମାଣ ହେବା ପରେ ଶିଶୁମାନଙ୍କୁ ସେଠାରେ ପ୍ରାକ୍ଶିକ୍ଷା ଦିଆଯିବା ସହ ଅଙ୍ଗନବାଡି କେନ୍ଦ୍ରର କାମ କରାଯାଉଥିଲା। କିନ୍ତୁ କୋଠା ନିର୍ମାଣର ମାତ୍ର ୪ବର୍ଷ ପରେ ଛାତରୁ ପାଣି ଗଳିବା ସମସ୍ୟା ଦେଖାଦେଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ପୁରୁଣା କୋଠାର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡ଼ିଥିଲା। ଗ୍ରାମବାସୀଙ୍କ ବହୁବାର ଦାବି ପରେ ୪ବର୍ଷ ତଳେ ପ୍ରଶାସନ ପକ୍ଷରୁ ନୂତନ କୋଠା ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ଆଜି ସୁଦ୍ଧା କେବଳ ଅଧପନ୍ତରିଆ ଭାବେ କାମଟି ପଡ଼ି ରହିଛି। ଅନ୍ୟପଟେ ଅସମ୍ପୂର୍ଣ୍ଣ କୋଠା ଚାରିପଟେ କୃତ୍ରିମ ଜଙ୍ଗଲ ସୃଷ୍ଟି ହୋଇଛି। ପୁରୁଣା କୋଠା ବିପଦସଂକୁଳ ଅବସ୍ଥାରେ ରହିଥିବା ବେଳେ ନୂତନ କୋଠା ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଥିବାରୁ ଚେପଟିଆମ୍ବା ଗ୍ରାମର ୪୦ଜଣ ଶିଶୁ ଗ୍ରାମର ରାଇସିଂ ଜାନୀଙ୍କ ଭଡା ଘରେ ପ୍ରାକ୍ଶିକ୍ଷା ଗ୍ରହଣ କରୁଛନ୍ତି।ନିଜସ୍ୱ କୋଠା ଗୃହ ନଥିବା ଯୋଗୁଁ ଶିଶୁଙ୍କ ପାଠ ପଢ଼ାଇବା ସମୟରେ ସମସ୍ୟା ଦେଖାଦେଉଛି। ଅନ୍ୟପଟେ ରୋଷେଇ ଗୃହ ନଥିବାରୁ ରୋଷେଇ କାମ ରେ ମଧ୍ୟ ସମସ୍ୟା ହେଉଥିବା ଦେଖା ଦେଇଛି। ସେହିପରି ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ କେନ୍ଦ୍ରର ଆବଶ୍ୟକ ଉପକରଣ କର୍ମୀଙ୍କ ଘରେ ରହୁଥିବା ବେଳେ ଶିଶୁମାନଙ୍କ କାମରେ ଏହା ଆସୁନଥିବା ଅଭିଯୋଗ ହୋଇଛି। ଅସମ୍ପୂର୍ଣ୍ଣ କୋଠା ସମ୍ପୂର୍ଣ୍ଣ କରିବା ପାଇଁ ବହୁବାର ଗ୍ରାମବାସୀ ଦାବି କରୁଥିଲେ ହେଁ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି।ଏହା କେବେ ସମାପ୍ତି ହେବ ବୋଲି ସାଧାରଣରେ ଅଭିଯୋଗ ହେଉଛି। କୋମଳମତି ଶିଶୁଙ୍କ ସୁରକ୍ଷା ଓ ଭବିଷ୍ୟତକୁ ଦେଖି ତୁରନ୍ତ ଏହି ନୂତନ କୋଠା କାମ ସାରିବା ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।