ନୟାଗଡ଼ ଜିଲ୍ଲାର ୪ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ
ନୟାଗଡ ୧୦।୧୦- ନୟାଗଡ଼ ଜିଲ୍ଲାର ୪ଟି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ। ଆଇନଶୃଙ୍ଖଳା ପରିସ୍ଥିତି ଓ ସମ୍ଭାବ୍ୟ ଅଶାନ୍ତିକୁ ଦୃଷ୍ଟିରେ ରଖି ନିର୍ବାଚନ ବାତିଲ କଲା ଜିଲ୍ଲା ପ୍ରଶାସନ। ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ ସମୟରେ ଗଣ୍ଡଗୋଳ ଓ ସଂଘର୍ଷ ଘଟିବା ପରେ ନିଆଯାଇଛି ଏହି ପଦକ୍ଷେପ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା। ବାତିଲ ହୋଇଥିବା ମହାବିଦ୍ୟାଳୟ ମଧ୍ୟରେ ରହିଛି ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ଲାଠିପଡ଼ା ମଡେଲ ଡିଗ୍ରୀ ମହାବିଦ୍ୟାଳୟ, ଖଣ୍ଡପଡ଼ା ପଠାଣି ସାମନ୍ତ ଡିଗ୍ରୀ ମହାବିଦ୍ୟାଳୟ ଓ ଭାପୁର ବାଲୁଙ୍କେଶ୍ୱର ଦେବ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ନିର୍ବାଚନ ସମ୍ପର୍କିତ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି।ନୟାଗଡ଼ ଜିଲ୍ଲାରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ପରେ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅକ୍ଟୋବର ୯ ତାରିଖରେ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ଜିଲ୍ଲାର ଚାରିଟି ମହାବିଦ୍ୟାଳୟରେ ଚାଲିଥିବା ଛାତ୍ର ସଂସଦ ନିର୍ବାଚନକୁ ତତ୍କାଳ ବାତିଲ କରାଯାଇଛି।
ନିର୍ଦ୍ଦେଶନାମାରେ ଉଲ୍ଲେଖ ଅନୁଯାୟୀ, ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ ସମୟରେ ଗଣ୍ଡଗୋଳ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିସହ ନିର୍ବାଚନ ପ୍ରକ୍ରିୟାରେ ବାହ୍ୟ ହସ୍ତକ୍ଷେପ ଓ ଅଶାନ୍ତି ସୃଷ୍ଟିର ଆଶଙ୍କା ଥିବା ନେଇ ପ୍ରଶାସନ ଉଦ୍ବେଗ ପ୍ରକାଶ କରିଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ମହାବିଦ୍ୟାଳୟ ପରିସରରେ ସ୍ୱାଭାବିକ ପରିବେଶ ଫେରାଇ ଆଣିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ହୋଇଛି। ସମ୍ପୃକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ସ୍ଥାନୀୟ ପୁଲିସ ସହ ସମନ୍ୱୟ ରଖି ଆଇନଶୃଙ୍ଖଳା ବଜାୟ ରଖିବାକୁ ମଧ୍ୟ କୁହାଯାଇଛି। ତେବେ ନିର୍ବାଚନ ପୁନର୍ବାର କେବେ ହେବ, ସେନେଇ ଏଯାଏଁ କୌଣସି ନିଷ୍ପତ୍ତି ଘୋଷଣା ହୋଇନାହିଁ କିନ୍ତୁ ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ନିର୍ବାଚନ ସଂକ୍ର।ନ୍ତିୟ ଛାତ୍ର ଅଶାନ୍ତି ଜାରି ରହିଛି।
ଆଶୋକ କୁମାର ସାଥୁଆ ,ଜିଲ୍ଲା ସାମ୍ବାଦିକ ନୟାଗଡ଼


admin 
