ପଟ୍ଟାମୁଣ୍ଡାଇ ବ୍ଲକ ର ଆଉ ଏକ ଦୁର୍ନୀତି ,ଖରାପ ରାସ୍ତାକୁ ନକରି ଭଲ କଂକ୍ରିଟ ରାସ୍ତା ଉପରେ ଚିପ୍ସ ଢଳେଇ
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଶିଆ ପଞ୍ଚାୟତରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ, ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ଆର ଆଣ୍ଡ ବି ରାସ୍ତା ଠାରୁ ହରିଜନ ସାହି ଦେଇ କୋରିଆ ପଲ୍ଲା ମାଇନର ପର୍ଯ୍ୟନ୍ତ ୩ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟ ବରାଦରେ ପକ୍କା ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଛି।ହେଲେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଯେଉଁଠି ରାସ୍ତା ଖରାପ ଅଛି ଓ ନିର୍ମାଣ ନିହାତି ଆବଶ୍ୟକ, ସେଠାରେ ନିର୍ମାଣ ନକରି ଯେଉଁଠି ଭଲ ଢଳେଇ ରାସ୍ତା ଅଛି ତାହା ଉପରେ ଏଷ୍ଟିମେଟ ଠାରୁ କମ ଉଚ୍ଚତାରେ କେବଳ ଚିପ୍ସ ଢଳେଇ କରି ସରକାରୀ ଅନୁଦାନ ହଡପ କରିବାକୁ ଯୋଜନା କରାଯାଇଛି।କାର୍ଯ୍ୟ ଆରମ୍ଭ ପରେ ନିମ୍ନମାନର କାମ ନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀ ଓ ବିଡିଓଙ୍କୁ ଅଭିଯୋଗ କରିଥିଲେ। ବିଭାଗୀୟ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି କାମ ବନ୍ଦ କରି ଗ୍ରାମବାସୀଙ୍କ ସହ ଆଲୋଚନା ପରେ ଏଷ୍ଟିମେଟ ଅନୁଯାୟୀ କାମ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଅଧିକାରୀ ଯିବାର କିଛି ସମୟ ପରେ କିଛି ଲୋକ ଗ୍ରାମବାସୀଙ୍କୁ ନାଲି ଆଖି ଦେଖାଇ ଜୋର ଜବରଦସ୍ତ ପୁନର୍ବାର କାମ କରିଥିଲେ ବୋଲି ଗ୍ରାମବାସୀ କହିଛନ୍ତି । କାହା ସାହସରେ ଅଧିକାରୀଙ୍କ ଅନୁପସ୍ଥିତିରେ କାମ ହେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହିଭଳି ନିମ୍ନମାନର କାମ କରି ବିଲ ପ୍ରସ୍ତୁତ କରି ସରକାରୀ ଅର୍ଥ ହଡପ କରୁଥିବା ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଅଜିତ ରାଉତ, ଶଙ୍କର୍ଷଣ ମଳିକ, ବାନାମ୍ବର ଦାସ, ଡମ୍ବରୁଧର ଦାସ ପ୍ରମୁଖ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
