ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ କେବେ ।

ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ କେବେ ।
ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବା ବେଳେ ଅନେକ ଗ୍ରାମରେ ଲୋକେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି। ମାଲକାନାଗିରି ଜିଲ୍ଲା କାଲିମେଳା ବ୍ଲକ ବଡ଼ିଗେଟା ପଞ୍ଚାୟତର ଟେକଗୁଡ଼ା କଲୋନିରେ ମଧ୍ୟ ପାନୀୟ ଜଳ ସମାସ୍ୟା ଦେଖାଦେଇଛି। ପ୍ରାୟ ୫ବର୍ଷ ହେବ ଏକ ଓଭରହେଡ୍ ପାନୀୟ ଜଳ ପ୍ରକଳ୍ପ ନିମାର୍ଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁନି। ୩୦ହଜାର କ୍ଷମତା ବିଶିଷ୍ଟ ଏହି ପାଣି ଟାଙ୍କି ନିର୍ମାଣ ହେଲେ ଟେକଗୁଡ଼ା ଗ୍ରାମର ୭୫ଟି ପରିବାର ବିଶୁଦ୍ଧ ପାନୀୟ ଜଳ ପାଇପାରିବେ। ବସୁଧା ଯୋଜନାରେ ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଛି। ପାଣି ଟାଙ୍କି କାମ ଶେଷ ହୋଇଥିଲେ ହେଁ ମୋଟର ସଂଯୋଗ ହୋଇପାରିନି। ଅନ୍ୟପଟେ ପ୍ରତ୍ୟେକ ଘରକୁ ସଂଯୋଗ ହୋଇଥିବା ଟ୍ୟାପ୍ ଗୁଡ଼ିକ ଭାଙ୍ଗିରୁଜି ଗଲାଣି ମାଟି ତଳେ ପୋତା ଯାଇଥିବା ପାଇପ୍ ଗୁଡ଼ିକ ମଧ୍ୟ ଫାଟିଗଲାଣି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୂର୍ବରୁ ଗ୍ରାମରେ ୧ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ କରାଯାଇ ଗ୍ରାମବାସୀଙ୍କୁ ୪ ଟି ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ପାଣି ଯୋଗାଇ ଦିଆଯାଉଛି। କିନ୍ତୁ ଏହା ପର୍ଯ୍ୟାପ୍ତ ହେଉନି। ଗାଁରେ ୭୫ଟି ପରିବାରର ୩ଶହ ଆଦିବାସୀ ଜନଜାତିର ଲୋକେ ବସବାସ କରୁଥିବା ବେଳେ ୭ଟି ନଳକୂପ ରହିଛି। ସେଥି ମଧ୍ୟରୁ ୪ଟି ଖରାପ ହୋଇଯାଇଥିବା ବେଳେ ଅବଶିଷ୍ଟ ୩ଟିରୁ ଗ୍ରାମବାସୀ ପାଣି ପାଉଛନ୍ତି। ତେଣୁ ତୁରନ୍ତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରି ପାଣି ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ୧୫ଦିନ ମଧ୍ୟରେ ପାଣି ଟାଙ୍କି କାର୍ଯ୍ୟକ୍ଷମ କରାଯାଇ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଉଦ୍ୟମ କରାଯାଇଛି ବୋଲି କହିଛନ୍ତି।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର