ପ୍ରଶାସନ ଶୁଣିଲାନି, ନିଜେ ନାଳ ଉପରେ ପୋଲ ନିର୍ମାଣ କଲେ ଗ୍ରାମବାସୀ
ବର୍ଷା ହେଲେ ଯାତାୟାତ ବନ୍ଦ, ବିପଦପୂର୍ଣ୍ଣ ଭାବେ ନାଳ ପାର ହେଉଥିଲେ ଲୋକେ
ଖଇରପୁଟ, ପ୍ରଶାସନିକ ଅବହେଳାର ଏକ ଚିତ୍ର ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପର୍କନମାଲା ପଞ୍ଚାୟତ ଅଞ୍ଚଳରୁ ସାମ୍ନାକୁ ଆସିଛି। ପଞ୍ଚାୟତର ପ୍ରାୟ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ପୋଲ ନିର୍ମାଣ ହୋଇନଥିବାରୁ ବର୍ଷାଦିନେ ଗ୍ରାମବାସୀଙ୍କ ଯାତାୟାତ ଦୁର୍ବିଷହ ହୋଇପଡ଼ୁଛି।
ବର୍ଷା ହେଲେ ନାଳରେ ପାଣି ବଢ଼ିଯିବା ସହ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ଫଳରେ ସ୍କୁଲ ଛାତ୍ରଛାତ୍ରୀ, ରୋଗୀ, ମହିଳା ଓ ବୟସ୍କଙ୍କ ସମେତ ସାଧାରଣ ଲୋକେ ଜୀବନକୁ ବିପଦରେ ପକାଇ ନାଳ ପାର ହେଉଛନ୍ତି। ଦୀର୍ଘଦିନ ଧରି ଏହି ସମସ୍ୟା ଲାଗିରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ନାଳ ଉପରେ ପୋଲ ନିର୍ମାଣ ପାଇଁ ବହୁବାର ପ୍ରଶାସନ ନିକଟରେ ଦାବି କରାଯାଇଥିଲେ ମଧ୍ୟ ସୁଫଳ ମିଳିନଥିଲା। ଶେଷରେ ନିଜ ଅସୁବିଧା ଦୂର କରିବା ପାଇଁ ଗ୍ରାମବାସୀ ନିଜେ ଶ୍ରମଦାନ କରି ନାଳ ଉପରେ କାଠ ଓ ମାଟି ପକାଇ ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି।
ଗ୍ରାମବାସୀଙ୍କ ଏଭଳି ପଦକ୍ଷେପ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛି। ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥାୟୀ ପୋଲ ନିର୍ମାଣ କରାଯାଇ ଗ୍ରାମବାସୀଙ୍କ ଦୀର୍ଘଦିନର ଯାତାୟାତ ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି।


admin 
