*ବିପର୍ଯ୍ୟୟ ସମୟରେ ମାନସିକ–ସାମାଜିକ ସହାୟତା ସୁଦୃଢ଼ ଉପରେ ଗୁରୁତ୍ବ*

*ବିପର୍ଯ୍ୟୟ ସମୟରେ ମାନସିକ–ସାମାଜିକ ସହାୟତା ସୁଦୃଢ଼ ଉପରେ ଗୁରୁତ୍ବ*

ନୟାଗଡ଼, ତା. ୧୧। ୧୦. ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ମାନସିକ-ସାମାଜିକ ଯତ୍ନ ବୃଦ୍ଧି ବିଷୟବସ୍ତୁ ନେଇ ଏକ ତିନିଦିନିଆ ଜିଲାସ୍ତରୀୟ ପ୍ରଶିକ୍ଷକ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ପରିସରସ୍ଥିତ ଡି,ପି.ଆର.ସି ପ୍ରଶିକ୍ଷଣ ଗୃହରେ ଉଦଯାପିତ ହୋଇଯାଇଛି। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତପତି ରାଜଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଶିବିରରେ ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସମୟରେ ମାନସିକ ଓ ସାମାଜିକ ସହାୟତା ପ୍ରଦାନ ସହ ତୃଣମୂଳ ସ୍ତରରେ ସମୁଦାୟିକ ସ୍ଥିରତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ତାଲିମ ପ୍ରଦାନ କରାଯାଇଛି। ବିପର୍ଯ୍ୟୟ ଯୋଗୁଁ ଶାରୀରିକ ଓ ଆର୍ଥିକ କ୍ଷତି ସହ ଲୋକମାନେ ଭୟ, ଚିନ୍ତା, ଦୁଃଖ ଓ ଭାବପ୍ରବଣ ଚାପ ଭଳି ବିଭିନ୍ନ ମାନସିକ ଆହ୍ୱାନର ସମ୍ମୁଖୀନ ହେଉଥିବାରୁ ଏଭଳି ସହାୟତାର ଗୁରୁତ୍ବ ଉପରେ ତାଲିମରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା। ତାଲିମରେ ମାନସିକ ପ୍ରାଥମିକ ଚିକିତ୍ସା, ମାନସିକ-ସାମାଜିକ ଯତ୍ନ, ମାନସିକ କଷ୍ଟର ପ୍ରାଥମିକ ଚିହ୍ନଟ, ସହାୟକ ଯୋଗାଯୋଗ ଏବଂ ଆବଶ୍ୟକତା ଅନୁଯାୟୀ ରେଫରଲ୍ ବ୍ୟବସ୍ଥା ଆଦି ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ବିପର୍ଯ୍ୟୟ ସମୟରେ ଅନ୍ୟମାନଙ୍କୁ ସହାୟତା କରିବା ସହିତ ନିଜର ମାନସିକ ସୁସ୍ଥତା ଓ ଭାବନାତ୍ମକ ସନ୍ତୁଳନ ବଜାୟ ରଖିବା ଉପରେ ମଧ୍ଯ ପ୍ରଶିକ୍ଷାର୍ଥୀମାନଙ୍କୁ ସଚେତନ କରାଯାଇଥିଲା। ବିଭିନ୍ନ ଅଧିବେଶନରେ ପାରସ୍ପରିକ ଆଲୋଚନା, ବ୍ୟବହାରିକ ଅଭ୍ୟାସ, ମାମଲାଭିତ୍ତିକ ଶିକ୍ଷା ଓ ଅଭିଜ୍ଞତା ବିନିମୟ ମାଧ୍ଯମରେ ବିପର୍ଯ୍ୟୟ ସମୟରେ ଲୋକ କୈନ୍ଦ୍ରିକ ଓ ସମ୍ବେଦନଶୀଳ ଆଭିମୁଖ୍ୟ ଅବଲମ୍ବନ ଉପରେ ଗୁରୁତ୍ଵ

ଦିଆଯାଇଥିଲା । ଏଥିସହ ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରତିକ୍ରିୟା ଓ ପୁନରୁଦ୍ଧାର ପର୍ଯ୍ୟାୟରେ ବିଭିନ୍ନ ବିଭାଗ, ସ୍ବାସ୍ଥ୍ୟ ଓ ସାମାଜିକ-ଯତ୍ନ କର୍ମଚାରୀ, ବିପର୍ଯ୍ୟୟ ପରିଚାଳନା କର୍ମକର୍ତ୍ତା ଏବଂ ସମ୍ପ୍ରଦାୟସ୍ତରୀୟ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ସମନ୍ଵୟର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା। କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶିକ୍ଷିତ ରିସୋର୍ସ ପର୍ସନ ସମୂହମାନଙ୍କର ଏକ ଦକ୍ଷ ପୁଲ୍ ସୃଷ୍ଟି କରାଯାଇଛି, ଯେଉଁମାନେ ପରବର୍ତ୍ତୀ ସମୟରେ ସମ୍ପ୍ରଦାୟସ୍ତରୀୟ କର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କୁ ମାନସିକ- ସାମାଜିକ ସହାୟତା ସମ୍ପର୍କିତ ଜ୍ଞାନ ଓ ବ୍ୟବହାରିକ ଦକ୍ଷତା ପ୍ରଦାନ କରିପାରିବେ। ଉଦ୍‌ଯାପନୀ ଅବସରରେ ପ୍ରଶିକ୍ଷଣ ସଫଳତାର ସହ ଶେଷ କରିଥିବା ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ନୟାଗଡ଼ ପକ୍ଷରୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌ଡମା), ଭୁବନେଶ୍ବରଙ୍କ ସହଯୋଗରେ ଏହି ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, ନୟାଗଡ଼ ରୋଜିନା ଦାସ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତପତୀ ରାଜ, OSDMAର ଜିଲ୍ଲା ପ୍ରକଳ୍ପ ଅଧିକାରୀ ସଙ୍ଗୀତା ଦାଶ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଡ଼ି. ସିବିୟାନ୍ , DPC ମମତା ସସ୍ମିତା, ଦଶପଲ୍ଲା ମେଡିକାଲ ଅଫିସର ଡା. ଗଣେଶଙ୍କ ସମେତ ଜିଲ୍ଲାର ବିଭିନ୍ନ ଆଇସିଡ଼ିଏସ ସୁପରଭାଇଜର, ନୋଡାଲ ଏନ୍‌ଜିଓ ପ୍ରତିନିଧି, ୱାନ ଷ୍ଟପ ସେଣ୍ଟର ସମନ୍ୱୟକ ଓ ଅନ୍ୟମାନେ ଯୋଗଦେଇଥିଲେ।

ଆଶୋକ କୁମାର ସାଥୁଆ, ଜିଲ୍ଲା ପ୍ରତିନିଧି ନୟାଗଡ଼