ସାବିତ୍ରୀ ବ୍ରତର ଆବଶ୍ୟକତା .

ସାବିତ୍ରୀ ବ୍ରତର ଆବଶ୍ୟକତା .

ସାବିତ୍ରୀ ବ୍ରତର ଆବଶ୍ୟକତା .
ଜ୍ୟେଷ୍ଠ ମାସର ଅମାବାସ୍ୟା ଦିନ ସାବିତ୍ରୀ ବ୍ରତ ବା ସାବିତ୍ରୀ ଅମାବାସ୍ୟା ବ୍ରତ ଭାରତର ବିଭିନ୍ନ ରାଜ୍ୟର ହିନ୍ଦୁ ବିବାହିତା ମହିଳାମାନେ ପାଳନ କରନ୍ତି, ଯେଉଁଥିରେ ସେମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଆୟୁ ଓ ସୁଖମୟ ଜୀବନ ପାଇଁ ଉପବାସ ଓ ପୂଜା କରନ୍ତି । ଏହି ବ୍ରତ ପ୍ରଧାନତଃ ନିମ୍ନଲିଖିତ ରାଜ୍ୟଗୁଡିକରେ ବେଶି ଲୋକପ୍ରିୟ:
୧. ଓଡ଼ିଶା – ସାବିତ୍ରୀ ବ୍ରତ ଓଡ଼ିଶାରେ ବିଶେଷ ଭାବରେ ପ୍ରଚଳିତ l ବିବାହିତା ମହିଳାମାନେ ଏହି ଦିନ ଉପବାସ କରନ୍ତି, ସାବିତ୍ରୀ-ସତ୍ୟବାନଙ୍କ କାହାଣୀ ଶୁଣି ପୂଜା ଉଦ୍ ଯାପନ କରନ୍ତି ।
୨. ବିହାର – "ବଟ ସାବିତ୍ରୀ ବ୍ରତ" ନାମରେ ପରିଚିତ, ଏଠାରେ ମହିଳାମାନେ ବଟବୃକ୍ଷ ତଳେ ପୂଜା କରନ୍ତି । ଏଠାରେ ସ୍ୱାମୀଙ୍କ ପାଇଁ ‘କରବା ଚୌଥ’ ବ୍ରତ ବି କରାଯାଏ l 
୩. ଝାରଖଣ୍ଡ – ଓଡ଼ିଶା ଓ ବିହାର ନିକଟତମ ଥିବାରୁ ଏଠି ବି ଏହି ବ୍ରତର ପ୍ରଭାବ ପଡିଛି l 
୪. ପଶ୍ଚିମ ବଙ୍ଗ – କେତେକ ଅଞ୍ଚଳରେ ସାବିତ୍ରୀ ବ୍ରତ ପାଳିତ ହୁଏ, ଯଦିଓ ଏହା ଏଠାରେ ଏତେଟା ଲୋକପ୍ରିୟ ନୁହେଁ ।
୫. ମଧ୍ୟ ପ୍ରଦେଶ, ଛତିଶଗଢ଼ ଓ ଉତ୍ତର ପ୍ରଦେଶର କିଛି ଅଞ୍ଚଳରେ ବହୁତ ଦିନରୁ ଓଡିଆମାନେ ଯାଇ ବାସ କରିଥିବାରୁ ଏହି ପ୍ରଦେଶର ବିଶେଷକରି ଗ୍ରାମୀଣ ଅଞ୍ଚଳରେ ମହିଳା ଓଡ଼ିଆଙ୍କ ସହିତ ମିଶି  ଏହି ବ୍ରତ ପାଳନ କରିଥାନ୍ତି l
୬. ମହାରାଷ୍ଟ୍ର – ଏଠାରେ ମଧ୍ୟ ଓଡିଆ ମହିଳାଙ୍କ ଦେଖା ଦେଖି "ବଟ ସାବିତ୍ରୀ ବ୍ରତ" ନାମରେ ପରିଚିତ ବଟବୃକ୍ଷକୁ ପୂଜା କରି ଉପବାସ କରାଯାଏ ।
୭. ବିଦେଶରେ ଯାଇ ବ୍ୟବସାୟ କିମ୍ବା ଚାକିରି କରୁଥିବା ଓଡ଼ିଆଙ୍କ ସ୍ତ୍ରୀମାନେ ମଧ୍ୟ ସାବିତ୍ରୀ ବ୍ରତ କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି l ଆଖପାଖରେ ରହୁଥିବା ଓଡିଆ ସ୍ତ୍ରୀମାନେ ମିଶି ସାବିତ୍ରୀ ବ୍ରତ ପୁରାଣ ପଢି ବିଧି ଅନୁସାରେ ପୂଜା କରୁଛନ୍ତି l ଓଡିଆରେ ଗୋଟେ ପ୍ରବାଦ ଅଛି – ଢିଙ୍କି ସ୍ଵର୍ଗକୁ ଗଲେ ମଧ୍ୟ ଧାନ ହିଁ କୁଟିବ l  
ସାବିତ୍ରୀ ବ୍ରତ ମୁଖ୍ୟତଃ ମହିଳାମାନେ ନିଜ ସ୍ୱାମୀଙ୍କ ନିମନ୍ତେ ଭକ୍ତି, ସ୍ନେହ ଓ ଦୀର୍ଘାୟୁ ଆଶା କରି ନିଷ୍ଠା ସହିତ ପାଳନ କରନ୍ତି । (ଉଲ୍ଲେଖ ଯୋଗ୍ୟ ତଥ୍ୟ ହେଉଛି ଯେ ଧାର୍ମିକ ସ୍ୱାମୀମାନେ କେବେ ସ୍ତ୍ରୀଙ୍କ ଦୀର୍ଘାୟୁ କାମନା କରନ୍ତି ନାହିଁ ତେଣୁ ତାଙ୍କପାଇଁ କୌଣସି ଏଭଳି ବ୍ରତ କରିବାର ପ୍ରଶ୍ନ ଉଠୁନାହିଁ) ଏଇଠି ଗୋଟିଏ କଥା ଅବୁଝା ରହିଯାଉଛି ଯେ ସ୍ଵାମୀଙ୍କ ଦୀର୍ଘାୟୁ ପାଇଁ ସ୍ତ୍ରୀମାନେ କାହାକୁ ପୂଜା ଓ ପ୍ରାର୍ଥନା କରୁଛନ୍ତି ? ସତୀ ସାବିତ୍ରୀ ତ ନିଜେ ଯମକୁ ସ୍ତୁତି କରି ସନ୍ତୁଷ୍ଟ କରି (ବୋକା ବନେଇ) ସ୍ୱାମୀଙ୍କ ଜୀବନ ଫେରାଇ ଆଣିଥିଲେ ତେବେ ଆମର ସ୍ତ୍ରୀମାନେ ଯମକୁ ପୂଜା ନକରି ସାବିତ୍ରୀକୁ ପୂଜା କରୁଛନ୍ତି କାହିଁକି ?
ସତ୍ୟବାନ ଓ ସାବିତ୍ରୀଙ୍କ ଅଜବ କାହାଣୀ (ସଂକ୍ଷେପରେ):
ରାଜା ଅଶ୍ୱପତିଙ୍କ କନ୍ୟା ସାବିତ୍ରୀ ଜଣେ ସୁନ୍ଦର, ବୁଦ୍ଧିମତୀ ଏବଂ ଧର୍ମ ପରାୟଣା ନାରୀ ଥିଲେ। ତାଙ୍କର ଶିକ୍ଷା ଗୁରୁଙ୍କ ସହ ବନଭ୍ରମଣ କରିବା ସମୟରେ ସେ ଜଣେ ଅନ୍ଧ ରାଜା ଦ୍ୟୁମତିସେନଙ୍କ ପୁତ୍ର ସତ୍ୟବାନଙ୍କ ସହ ପରିଚିତ ହେଲେ l ସତ୍ୟବାନ ଜଣେ ହୃଷ୍ଟପୁଷ୍ଟ ତେଜସ୍ଵୀ ଯୁବକ ଥିଲେ l ସାବିତ୍ରୀ ତାଙ୍କୁ ପସନ୍ଦ କରି ବିବାହ କରିବା ପାଇଁ ସ୍ଥିର କଲେ । ଋଷି ନାରଦ ଏକଥା ଜାଣିପାରି ସାବିତ୍ରୀଙ୍କୁ ସତ୍ୟବାନଙ୍କ ବିଷୟରେ ସଚେତନ କରିଦେଲେ ଯେ ସତ୍ୟବାନ ବିବାହର ଠିକ ଏକ ବର୍ଷ ପରେ ମୃତ୍ୟୁବରଣ କରିବେ । ତଥାପି, ସାବିତ୍ରୀ ତାଙ୍କ ପ୍ରେମ ଓ ନିଷ୍ଠା ଉପରେ ଭରସା କରି ସତ୍ୟବାନଙ୍କ ସହ ବିବାହ କଲେ ।
ବିବାହର ଠିକ ଏକ ବର୍ଷ ପୂରଣ ହେବା ଦିନ ସତ୍ୟବାନ ବଣକୁ କାଠ କାଟିବା ପାଇଁ ବାହାରିଲେ,(ରାଜପୁତ୍ର ହୋଇ ବନକୁ କାଠ କାଟିବାକୁ ଯାଇଥିଲେ କାହିଁକି?) ସାବିତ୍ରୀ ମଧ୍ୟ ତାଙ୍କ ସହିତ ବଣକୁ ଯିବାକୁ ଜିଦ କରି ଯାଇଥିଲେ l ସେଠାରେ ସତ୍ୟବାନ ହଠାତ ମୂର୍ଚ୍ଛା ହୋଇ ପଡ଼ିଗଲେ l ସାବିତ୍ରୀ ଅସଲ କଥା ବୁଝିପାରି ତୁରନ୍ତ ସ୍ୱାମୀଙ୍କ ମୁଣ୍ଡକୁ ନିଜର କୋଳରେ ଧରି ବସି ରହିଲେ l ସତ୍ୟବାନଙ୍କ ପ୍ରାଣ ନେବାପାଇଁ ପ୍ରଥମେ ଯମଦୂତ ମାନେ ଆସିଲେ କିନ୍ତୁ ମହା ତେଜସ୍ଵିନୀ ସତୀଙ୍କ କୋଳରେ ମୃତ ଶରୀର ଥିବାରୁ ସେମାନେ ଛୁଇଁ ପାରିଲେ ନାହିଁ l ଯମରାଜ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇ ସତୀସାବିତ୍ରୀ କିଏ ଜାଣିବା ପାଇଁ ଯମାଳୟରୁ ମର୍ତ୍ତ୍ୟକୁ ଓହ୍ଲାଇ ଆସିଲେ ? ସେ ମଧ୍ୟ ସତୀଙ୍କ କୋଳରୁ ପ୍ରାଣ ଛଡେଇ ନେଇ ପାରିଲେ ନାହିଁ l ସାବିତ୍ରୀକୁ ଜୀବନ ଓ ମୃତ୍ୟୁ ରହସ୍ୟ ବୁଝାଇ କହିଲେ- “ମଣିଷର ବିଧି ନିର୍ଦ୍ଧାରିତ ଆୟୁଷ ଶେଷ ହେଲେ ସେ ମରିବାକୁ ବାଧ୍ୟ l ତେଣୁ ତୁମେ ତାଙ୍କୁ ଛାଡିଦିଅ“ ସାବିତ୍ରୀ ସବୁ ବୁଝିଥିଲେ ମଧ୍ୟ ବହୁତ ବିନମ୍ର ଭାବେ ଯମରାଜଙ୍କୁ ସ୍ତୁତି କରି ସ୍ଵାମୀଙ୍କ ଜୀବନ ଦାନ ଦେବାକୁ ଅନୁରୋଧ କଲେ l ଯମରାଜା ସନ୍ତୁଷ୍ଟ ହୋଇ କହିଲେ - ମୁଁ ଜୀବନଦାନ ଦେଇପାରିବି ନାହିଁ l କିନ୍ତୁ ତିନିଗୋଟି ବର ପ୍ରଦାନ କରିପାରିବି l ସାବିତ୍ରୀ ବଡ ଚତୁର ସ୍ତ୍ରୀ ଥିଲେ ତେଣୁ ସେ ଯମରାଜାଙ୍କୁ ବର ମାଗି ଏଭଳି ଭୂଆଁବୁଲେଇ ଦେଲେ ଯେ ଯମରାଜା ବିଧିର ବିଧାନକୁ ନାତ ମାରି ସତ୍ୟବାନର ଜୀବନ ଫେରାଇବାକୁ ବାଧ୍ୟ ହୋଇଥିଲେ l ଏହା ଏକ ଅଜବ ଗଜବ କାହାଣୀ ନୁହେଁ କି ?    
ଏହି ବ୍ରତର ଆବଶ୍ୟକତା ଉପରେ ଆମେ ତର୍କ ସଙ୍ଗତ ଓ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରିବା : 
୧. ସ୍ଵାମୀଙ୍କ ସୁରକ୍ଷା ଓ ଦୀର୍ଘ ଜୀବନ କାମନା କରି ଏହି ବ୍ରତକୁ ମହିଳାଙ୍କ ପାଇଁ ଏକ ଅତି ଆବଶ୍ୟକ ଓ ମହନୀୟ ବୋଲି କୁହାଯାଉଛି କାହିଁକି ? 
ଉତ୍ତର – ପୂର୍ବରୁ ପ୍ରତ୍ୟେକ ନାରୀ ବିବାହ ପୂର୍ବରୁ ଏବଂ ପରେ ପୁରୁଷଙ୍କ ଉପରେ ନିର୍ଭର ରହୁଥିଲା l ତାଙ୍କର ଆର୍ଥିକ ସ୍ଵାଧୀନତା ନଥିଲା l ସ୍ଵାମୀଙ୍କ ମୃତ୍ୟୁ ପରେ ନାରୀଙ୍କ ବିଧବା ଜୀବନ ବହୁତ କଷ୍ଟକର ଥିଲା l ସେଥିପାଇଁ ସେମାନେ ଚାହୁଁଥିଲେ ଯେ ମୁଁ ମରିବା ପର୍ଯ୍ୟନ୍ତ ମୋ ସ୍ଵାମୀ ବଞ୍ଚି ରହନ୍ତୁ l ଅର୍ଥାତ ନିଜର ଅସୁରକ୍ଷା ମନୋଭାବ ଯୋଗୁ କେବଳ ଏହି ଗୋଟିଏ ନୁହେଁ ଆହୁରି ଅନେକ ବ୍ରତ ଉପବାସ କରୁଥିଲେ l 
୨. ସତ୍ୟବାନ ଓ ସାବିତ୍ରୀ କାହାଣୀ କ’ଣ ତର୍କ ସଙ୍ଗତ ଓ ବିଶ୍ୱାସ ଯୋଗ୍ୟ ?
ଉତ୍ତର – ଜମା ବିଶ୍ଵାସଯୋଗ୍ୟ ନୁହେଁ l ପୃଥିବୀର ରାଜକନ୍ୟା ସାବିତ୍ରୀଙ୍କୁ ସତର୍କ କରିବାପାଇଁ ସତରେ କ'ଣ ସ୍ଵର୍ଗର ନାରଦ ଋଷି ଆସିଥିଲେ? ସତ୍ୟବାନର ଜୀବନ ନେଇଯିବା ପାଇଁ ସତରେ କ'ଣ ପ୍ରଥମେ ଯମଦୂତ ମାନେ ଆସିଥିଲେ କିନ୍ତୁ ସତୀଙ୍କ ତେଜ ପ୍ରତାପ ଦେଖି ଫେରିଗଲେ ? ଯମରାଜା ଆସିଲେ ଯେ ସେ ବି କ'ଣ ବୋକା ହୋଇଗଲେ ? ସତୀ ସାବିତ୍ରୀ ଏକ ନୁହେଁ କି ଦୁଇ ନୁହେଁ ପୁରା ଏକାଶତ ପୁତ୍ର ସନ୍ତାନ ଜନ୍ମ କରିବା ପାଇଁ ବର ମାଗିଲେ, ସେ ନିଜେ ଜଣେ କନ୍ୟା ହୋଇ ମଧ୍ୟ ଗୋଟିଏ ବି କନ୍ୟା ମାଗିଲେନାହିଁ କାହିଁକି ? ଯମରାଜା କିଛି ଚିନ୍ତା ନକରି ତଥାସ୍ତୁ କହିଦେଲେ କିପରି ? ବିନା ସ୍ଵାମୀ ମୁଁ ସନ୍ତାନ ଜନ୍ମ କରିବି କିପରି କହି ସ୍ଵାମୀଙ୍କ ଜୀବନ ଫେରାଇ ଦେବାକୁ କହିଲେ l ଯମରାଜା ହାରିଗଲେ l ନିଜର ସତୀତ୍ୱ ଏବଂ ସ୍ଵାମୀ ଭକ୍ତି ଯୋଗୁଁ ଏହା ସମ୍ଭବ ହେଲା ବୋଲି ଭକ୍ତମାନେ ଢୋଲ ବଜେଇ କୀର୍ତ୍ତନ କରି ପ୍ରଚାର କରୁଛନ୍ତି l
୩. ବର୍ତ୍ତମାନ ପ୍ରଶ୍ନ ଉଠୁଛି – ଅନ୍ୟ ଧର୍ମର ଏବଂ ହେତୁବାଦୀଙ୍କ ଘରେ ଯେଉଁ ସ୍ତ୍ରୀମାନେ ଏହି ବ୍ରତ କରୁନାହାନ୍ତି ତାଙ୍କର ସ୍ୱାମୀ ମାନେ କ'ଣ ଅକାଳ ମୃତ୍ୟୁ ବରଣ କରୁଛନ୍ତି ? ଯେଉଁମାନେ କ୍ରମାଗତ ଭାବେ ନିଷ୍ଠାର ସହିତ ଏହି ବ୍ରତ କରୁଛନ୍ତି ସେମାନେ କ’ଣ କେବେ ଅକାଳ ବୈଧବ୍ୟ ଦଶା ଭୋଗ କରୁନାହାନ୍ତି ? ସାବିତ୍ରୀଙ୍କ ପରେ ଆଜି ପର୍ଯ୍ୟନ୍ତ ଆଉ କେତେ ଜଣ ସତୀ ନିଜର ସ୍ଵାମୀଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଛନ୍ତି ? ଗୋଟିଏ ବି କ'ଣ ଉଦାହରଣ ଅଛି ? 
୪. ସେଯୁଗର ସାବିତ୍ରୀ ହୁଏତ ସେତିକି ଚରିତ୍ରବତୀ, ପବିତ୍ର ଓ ମହାନ ଥିବାରୁ ଯମରାଜା ହାରି ଯାଇଥିଲା l ଆଜିର ସାବିତ୍ରୀମାନେ କ’ଣ ସେତିକି ଚରିତ୍ରବତୀ, ପବିତ୍ର ଓ ମହାନ ବୋଲି ଭାବୁଛନ୍ତି ? ତଥାପି ସେମାନେ ଯମରାଜା ବଦଳରେ ସାବିତ୍ରୀକୁ ପୂଜା କରୁଛନ୍ତି କହିକି ?
ଆଜିର ଦିନରେ ସାବିତ୍ରୀ ବ୍ରତ ଗୋଟିଏ ପ୍ରହସନ ହୋଇଗଲାଣି l ଏହି ବ୍ରତ ପାଇଁ ମହଙ୍ଗା ନୂଆ ଶାଢୀ ନ ହେଲେ ନ ଚଳେ l ବାପ ଘରୁ ଆସୁ କିମ୍ବା ନିଜେ ସ୍ୱାମୀ କିଣି ଦିଅନ୍ତୁ l ନୂଆ ଶାଢୀ ନହେଲେ ଘରେ ଝଗଡା ହୋଇଯାଉଛି l ବଜାରରେ ଏହି ସମୟରେ ପୂଜା ସାମଗ୍ରୀ, ଫଳ ଆଦି ବହୁତ ମହଙ୍ଗା ହୋଇଯାଉଛି l ଯେତେ ମହଙ୍ଗା ହେଲେ ବି ପୂଜା ବାହାନାରେ ବିଭିନ୍ନ ଫଳ ଦରକାର l ପୂଜା ବାସିଦିନ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ପୂର୍ବରୁ ଯାହା ଥିଲା ସେଇୟା ରହିବ l