ବିଶ୍ବର ବିରଳ ଡାକଟିକଟ ପ୍ରଦର୍ଶିତ ହେବ

ବିଶ୍ବର ବିରଳ ଡାକଟିକଟ  ପ୍ରଦର୍ଶିତ ହେବ

ଭୁବନେଶ୍ବରରେ ଇପେକ୍ସ ୨୦୨୪ ଡାକଟିକଟ ମେଳା ଓ ପ୍ରଦର୍ଶନୀ ଫେବୃୟାରୀ ୧୬ ରୁ ୧୮ ପର୍ଯ୍ୟନ୍ତ

• ବିଶ୍ବର ବିରଳ ଡାକଟିକଟ ୫୦ଟି ଫ୍ରେମରେ ପ୍ରଦର୍ଶିତ ହେବ

• ଦେଶବିଦେଶରୁ ଆସିଥିବା ଡାକଟିକେଟ ବିକ୍ରେତାଙ୍କ ୧୫ଟି ଷ୍ଟଲ

ଓଡିଶା ରାଜ୍ୟର ପାଞ୍ଚ ପ୍ରତୀକ ଥିବା ଲଫାପା ଉନ୍ମୋଚନ କାର୍ଯ୍ୟକ୍ରମ

ଭୁବନେଶ୍ବର (ତା ୧୪/୨/୨୦୨୪) : ପୂର୍ବ ଭାରତ ଡାକଟିକଟ ସଂଗ୍ରାହକ ସଂଘ ବା ଇଷ୍ଟର୍ଣ୍ଣ ଇଣ୍ଡିଆ ଫିଲାଟେଲିଷ୍ଟ ଆସୋସିଏସନ (ଇପା) ଏହାର ୨୫ତମ ବର୍ଷରେ ପଦାର୍ପଣ କରିଛି । ଏହି ରୌପ୍ୟ ଜୟନ୍ତୀ ଅବସରରେ ଏକ ଡାକଟିକଟ ପ୍ରଦର୍ଶନୀ ଓ ମେଳା ଉତ୍ସବ ଇପେକ୍ସ ୨୦୨୪ ସଂଘ ତରଫରୁ ଆୟୋଜନ ହେବାକୁ ଯାଉଅଛି । ଆସନ୍ତା ଫେବୃୟାରି ୧୬ ତାରିଖ ରୁ ୧୮ ତାରିଖ ମଧ୍ୟରେ ମାଷ୍ଟର କ୍ୟାଣ୍ଟିନ, ଭୁବନେଶ୍ବରସ୍ଥିତ କେଶରୀ ହୋଟେଲରେ ଏହି ପ୍ରଦର୍ଶନୀ ଉତ୍ସବ ଆୟୋଜିତ ହେବ।

ବୁଧବାର ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ଅଧ୍ୟକ୍ଷ ଶ୍ରୀ ଦୁର୍ଗାଦତ୍ତ ରାଉତରାୟ ଓ ସଂଘ ସମ୍ପାଦକ ଶ୍ରୀ ଶାନ୍ତିସ୍ୱରୂପ ରଥ ପ୍ରମୁଖ ସୂଚନା ଦେଇ କହିଥିଲେ ଯେ ଇପେକ୍ସ ୨୦୨୪ ଡାକଟିକଟ ମେଳା ତଥା ପ୍ରଦର୍ଶନୀ ପ୍ରତ୍ୟହ ପୂର୍ବାହ୍ନ ୧୦ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୬ ଘଟିକା ପର୍ଯ୍ୟନ୍ତ ଚାଲିବ । ଏଥିସହିତ ଡାକଟିକଟ ସଂଗ୍ରହ ବକ୍ତବ୍ୟ, ଡାକଟିକଟ ନିଲାମ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ।

ପ୍ରଦର୍ଶନୀର ଉଦଘାଟନୀ ଉତ୍ସବରେ ଅବସର ଆଇଁ ଏ ଏସ ତଥା ବରିଷ୍ଠ ଡାକଟିକଟ ସଂଗ୍ରାହକ ଶ୍ରୀଯୁକ୍ତ ଧୀରେନ୍ଦ୍ରନାଥ ପାଢୀ ମୁଖ୍ୟ ଅତିଥି ରୂପେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବା ବେଳେ ଉଦ‌ଯାପନୀ ସଭାରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଓଡିଶା ସରକାର ଶ୍ରୀଯୁକ୍ତ ସହଦେବ ସାହୁ ମୁଖ୍ୟ ଅତିଥ୍‌ ରୂପେ ଯୋଗ ଦେବେ ।ଏଥିରେ ଜାତୀୟ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଡାକଟିକଟ ସଂଗ୍ରାହକଙ୍କ ଦ୍ଵାରା ସଂଗୃହୀତ ବିରଳ ଡାକଟିକଟ ୫୦ଟି ଫ୍ରେମରେ ପ୍ରଦର୍ଶିତ ହେବ । ଏହାସହିତ ଡାକଟିକଟରେ ରୁଚି ରଖୁଥ‌ିବା ବ୍ୟକ୍ତିମାନଙ୍କ ପାଇଁ ଦେଶ ବିଦେଶରୁ ଆସିଥିବା ୧୫ ଜଣ ବିକ୍ରେତାଙ୍କ ଷ୍ଟଲ ମଧ୍ଯ ରହିବ । ଭାରତୀୟ ଡାକ ବିଭାଗ, ଭୁବନେଶ୍ଵର ତରଫରୁ ମଧ୍ୟ ଏକ ମାଇ ଷ୍ଟାମ ଷ୍ଟଲ (ନିଜସ୍ଟ ଡାକଟିକଟ ଉତ୍ତୋଳନ) ରହିବା ସହିତ ବିଭିନ୍ନ ପ୍ରକାର ସ୍ମରଣୀୟ ଡାକଟିକଟ ତଥା ପ୍ରଥମ ଦିବସ ଲଫାପା ଉପଲବ୍ଧ ରହିବ।

ରୌପ୍ୟ ଜୟନ୍ତୀ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଇପା ଦୁଇଟି ଡାକଟିକଟ ରଦ୍ଦିକରଣ ମୋହର ସହିତ ଓଡିଶାର ୫ଟି ରାଜ୍ୟ ପ୍ରତୀକ ଯଥା ବୃକ୍ଷ -ଅଶ୍ବସ୍ତୁ ବୃକ୍ଷ, ପଶୁ-ସମ୍ବର, ପକ୍ଷୀ-ଭଦଭଦଳିଆ, ମାଛ-ମହାନଦୀ ମହାସୀର ଓ ଅଶୋକ ଫୁଲ ସ୍ଥାନିତ ଥିବା ପାଞ୍ଚଟି ପିକଚର ପୋଷ୍ଟକାର୍ଡ ଓ ଦୁଇଟି ସ୍ମାରକୀ ଲଫାପା ମଧ୍ୟ ଉନ୍ମୋଚନ କରିବ ବୋଲି ସଂଘର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଦେବାଶିଷ ମିତ୍ର ମତବ୍ୟକ୍ତ କରିଥିଲେ ।

ଡାକଟିକଟ ସଂଗ୍ରହ ତ‌ଥ୍ୟଭିତ୍ତିକ ତଥା ଶିକ୍ଷାଭିଭିକ ହୋଇଥିବାରୁ ଇଚ୍ଛୁକ ବ୍ୟକ୍ତିଗଣ ତଥା ବିଭିନ୍ନ ଛାତ୍ରଛାତ୍ରୀ ମାନେ ଏଥିରେ ଅଧିକ ସଂଖ୍ୟାରେ ଯୋଗଦାନ କରି ଏହି ମେଳା ଓ ପ୍ରଦର୍ଶନୀର ଅନନ୍ୟ ମହକ ଆଘ୍ରାଣ କରିବେ ବୋଲି ସଂଘ ସମ୍ପାଦକ ଶ୍ରୀ ରଥ ଆଶା ବ୍ୟକ୍ତ କରିଥିଲେ ।

ସଂଘର କୋଷାଧ୍ଯକ୍ଷ ଡାକ୍ତର ବିଭୁଦତ୍ତ ମିଶ୍ର ବରିଷ୍ଠ ସଭ୍ୟ ଚିତ୍ତରଞ୍ଜନ ଦାସ ଓ ପ୍ରମୋଦ କୁମାର ସାହୁ ଏହି ସାମ୍ବାଦିକ ସମ୍ମିଳନୀ ପରିଚାଳନାରେ ସ‌ହଯୋଗ କରିଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।