ନମ୍ବାଲା କେଶବ ରାଓ ଓରଫ ବାସଭରାଜ: ଦେଢ଼ କୋଟି ଟଙ୍କାର କୁଖ୍ୟାତ ଇନାମୀ ନକ୍ସଲ ନିପାତ।

ନମ୍ବାଲା କେଶବ ରାଓ ଓରଫ ବାସଭରାଜ: ଦେଢ଼ କୋଟି ଟଙ୍କାର କୁଖ୍ୟାତ ଇନାମୀ ନକ୍ସଲ ନିପାତ। ୩୦ ରୁ ଉର୍ଦ୍ଧ୍ବ ମାଓବାଦୀ ନିପାତ ହୋଇଥିବା ସୂଚନା। ମାଲକାନଗିରି ତା:-୨୧/୦୫ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାର ଆବୁଜମାଡ ଅଞ୍ଚଳରେ ହୋଇଥିବା ଏକ ବଡ ଅପରେସନରେ ସୁରକ୍ଷା ବାହିନୀ ୩୦ ରୁ ଉର୍ଦ୍ଧ୍ବ ନକ୍ସଲଙ୍କୁ ନିପାତ କରିଛନ୍ତି।ଯେଉଁଥିରେ କୁଖ୍ୟାତ ନକ୍ସଲ ନେତା ନମ୍ବଲା କେଶବ ରାଓ ଛଦ୍ମନାମ ବାସବାରାଜୁ ଛଦ୍ମନାମ ଗଗନା ମଧ୍ୟ ନିହତ ହୋଇଥିବା କୁହାଯାଉଛି। ବାସଭରାଜଙ୍କ ମୁଣ୍ଡରେ ଦେଢ଼କୋଟି ଟଙ୍କାର ପୁରସ୍କାର ଥିଲା ଏବଂ ସେ ନକ୍ସଲ ସଂଗଠନ ସିପିଆଇ (ମାଓବାଦୀ) କେନ୍ଦ୍ରୀୟ କମିଟିର ସାଧାରଣ ସମ୍ପାଦକ ଥିଲେ। ଏହି ଏନକାଉଣ୍ଟରକୁ ନକ୍ସଲପନ୍ଥିଙ୍କ ବିରୋଧରେ ସୁରକ୍ଷା ବାହିନୀର ଏକ ଐତିହାସିକ ସଫଳତା ଭାବରେ ଦେଖାଯାଉଛି।ବାସବାରାଜୁ, ବାସଭାରାଜ, ଗଗନା, ପ୍ରକାଶ, ନରସିଂହ, ଏବଂ ଦାରୁପୁ ନରସିଂହ ରେଡ୍ଡୀ ଭଳି ଅନେକ ଡାକନାମ ଦ୍ୱାରା ଜଣାଶୁଣା ନାମ୍ବଲା କେଶଭା ରାଓ, ୧୯୫୫ ମସିହାରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଜାନନାପେଟ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଇଞ୍ଜିନିୟରିଂ ସ୍ନାତକ ଥିଲେ ଏବଂ ୱାରାଙ୍ଗଲର ଆଞ୍ଚଳିକ ଇଞ୍ଜିନିୟରିଂ କଲେଜ (ବର୍ତ୍ତମାନ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ଏନ୍ ଆଇ ଟି)ରୁ ବି.ଟେକ୍ ଡିଗ୍ରୀ ହାସଲ କରିଥିଲେ। କଲେଜ ସମୟରେ ସେ ଜଣେ କ୍ରିକେଟର ଥିଲେ ଏବଂ ବାମପନ୍ଥୀ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ। ଯେଉଁଠାରେ ସେ ରାଡିକାଲ୍ ଛାତ୍ର ସଂଘ (ଆର୍ ଏସ ୟୁ) ରେ ଯୋଗ ଦେଇଥିଲେ। ସେ ୧୯୭୦ ଦଶକରେ ନକ୍ସଲ ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ପରେ ସିପିଆଇ (ମାଓବାଦୀ)ର ଶୀର୍ଷ ନେତୃତ୍ୱ ସହିତ ଯୋଗ ଦେଇଥିଲେ। ୧୯୮୦ ମସିହାରେ ଶ୍ରୀକାକୁଲମରେ ରାଡିକାଲ୍ ଛାତ୍ର ସଂଘ ଏବଂ ଆରଏସଏସର ଛାତ୍ର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ମଧ୍ୟରେ ହୋଇଥିବା ସଂଘର୍ଷ ସମୟରେ ବାସବରାଜଙ୍କୁ ଗିରଫ କରାଯାଇଥିଲା। ଏହା ପରେ ସେ ଭୂମିଗତ ହୋଇଥିଲେ ଏବଂ ନକ୍ସଲ କାର୍ଯ୍ୟକଳାପରେ ସକ୍ରିୟ ହୋଇଥିଲେ। ୧୯୮୭ ମସିହାରେ, ସେ ବସ୍ତରର ଜଙ୍ଗଲରେ ଶ୍ରୀଲଙ୍କା ଲିବରେସନ ଟାଇଗର୍ସ ଅଫ୍ ତାମିଲ (ଏଲ ଟି ଟି ଇ)ର ପୂର୍ବତନ କ୍ୟାଡରଙ୍କ ଠାରୁ ଗରିଲା ଯୁଦ୍ଧ ଏବଂ ବିସ୍ଫୋରକ ବ୍ୟବହାର ବିଷୟରେ ତାଲିମ ପାଇଥିଲେ। ୨୦୦୪ ମସିହାରେ, ବାସଭରାଜଙ୍କୁ ସିପିଆଇ (ମାଓବାଦୀ)ର କେନ୍ଦ୍ରୀୟ ସାମରିକ କମିଶନ (ସିଏମଆର୍)ର ମୁଖ୍ୟ କରାଯାଇଥିଲା।ଯାହା ସିପିଆଇ (ମାର୍କ୍ସବାଦୀ-ଲେନିନିଷ୍ଟ) ପିପୁଲ୍ସ ୱାର ଏବଂ ମାଓବାଦୀ କମ୍ୟୁନିଷ୍ଟ ସେଣ୍ଟର ଅଫ୍ ଇଣ୍ଡିଆ (ଏମସିସିଆଇ)ର ମିଶ୍ରଣ ଦ୍ୱାରା ଗଠିତ ହୋଇଥିଲା। ଏହି ଭୂମିକାରେ ସେ ସଂଗଠନର ସଶସ୍ତ୍ର ଶାଖା, ପିପୁଲ୍ସ ଲିବରେସନ ଗରିଲା ଆର୍ମି (ପିଏଲଜିଏ)ର ନେତୃତ୍ବ ନେଇଥିଲେ। ବିଭିନ୍ନ ମାଓ କାର୍ଯ୍ୟକଳାପ ଏବଂ ରଣନୀତି ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କର ବିଶେଷଜ୍ଞତା ଗରିଲା ଯୁଦ୍ଧ ରଣନୀତି ଏବଂ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ (ଆଇଇଡି) ନିର୍ମାଣ ଏବଂ ବ୍ୟବହାରରେ ଥିଲା। ୨୦୧୮ ନଭେମ୍ବରରେ, ମୁପ୍ପାଲ ଲକ୍ଷ୍ମଣ ରାଓ ଓରଫ ଗଣପତିଙ୍କ ଇସ୍ତଫା ପରେ ସେ ସଂଗଠନର ସର୍ବୋଚ୍ଚ ପଦବୀ ସିପିଆଇ (ମାଓବାଦୀ)ର ସାଧାରଣ ସମ୍ପାଦକ ହୋଇଥିଲେ। ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର

ନମ୍ବାଲା କେଶବ ରାଓ ଓରଫ ବାସଭରାଜ: ଦେଢ଼ କୋଟି ଟଙ୍କାର କୁଖ୍ୟାତ ଇନାମୀ ନକ୍ସଲ ନିପାତ।