ମାଥିଲିରେ ବିଜେଡି ଜନସମ୍ପର୍କ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ମାଥିଲି, ୩/୧୦ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦରସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭବନଠାରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ମାଥିଲି ରେ ଜନସମ୍ପର୍କ ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଭାପତି ସଦାଶିବ ପୂଜାରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ପଦଯାତ୍ରାକୁ ସଫଳ ଓ ସୁସଂଗଠିତ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରାକୁ ମାଥିଲି ବ୍ଲକରେ ସଫଳ କରିବା ସହ ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ଉପରେ ନେତା ଓ କର୍ମୀମାନେ ଗୁରୁତ୍ୱାରୋପ କରିଥିଲେ।
ବୈଠକରେ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ, ଜିଲ୍ଲା ପରିଷଦ ସଭ୍ୟ ହିରଣ୍ୟ ମୁଦୁଲି, ବ୍ଲକ ସଭାନେତ୍ରୀ ସଞ୍ଜୁ ଗୌଡ଼ଙ୍କ ସମେତ ବିଜେଡିର ବରିଷ୍ଠ ନେତା ଓ କର୍ମୀ, ଜିଲ୍ଲା ଓ ବ୍ଲକ କମିଟି ସଦସ୍ୟ, ପଞ୍ଚାୟତ ସଭାପତି, ଜୋନ ସଭାପତି, ସରପଞ୍ଚ, ସମିତି ସଭ୍ୟ-ସଭ୍ୟା ଏବଂ ବହୁ ଦଳୀୟ କର୍ମୀ ଯୋଗଦେଇଥିଲେ।
ଆଗାମୀ ଦିନରେ ପଦଯାତ୍ରା ମାଧ୍ୟମରେ ପୂର୍ବତନ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ବର୍ତ୍ତମାନ ସରକାରଙ୍କ କାର୍ଯ୍ୟକୁ ନେଇ ଦଳ ପକ୍ଷରୁ ଉଠାଯାଉଥିବା ପ୍ରଶ୍ନଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ନେଇ ଆଲୋଚନା ହୋଇଥିଲା। ଏଥିସହ ପ୍ରତ୍ୟେକ ପଞ୍ଚାୟତ ଓ ୱାର୍ଡରେ ଘରକୁ ଘର ଯାଇ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିବା ସହ ଜନସାଧାରଣଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)


admin 
