ଯୁବ ବ୍ୟବସାୟୀଙ୍କୁ ଦିନ ଦ୍ୱିପ୍ରହରେ ଧାରୁଆ ଅସ୍ତ୍ର ଭୁଷି ହତ୍ୟା .
ଯୁବ ବ୍ୟବସାୟୀଙ୍କୁ ଦିନ ଦ୍ୱିପ୍ରହରେ ଧାରୁଆ ଅସ୍ତ୍ର ଭୁଷି ହତ୍ୟା (ଫଟୋ)
ବୌଦ୍ଧ,୨୭ା୪(ନିପ୍ର) ବୌଦ୍ଧରେ ଦିନ ଦ୍ୱିପ୍ରହରେ ଜଣେ ଯୁବ ବ୍ୟବସାୟୀଙ୍କୁ ଧାରୁଆ ଅସ୍ତ୍ରରେ ଭୂଷି ହତ୍ୟା କରାଯିବା ପରେ ବୌଦ୍ଧ ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ମୁତାବକ ବୌଦ୍ଧର ଜଣାଶୁଣା ଯୁବ ବ୍ୟବସାୟୀ ମନୋଜ କୁମାର ପାତ୍ର(ମୁନା)କୁ ଅପରାହ୍ନ ପ୍ରାୟ ୫ ଘଣ୍ଟା ସମୟରେ ବୌଦ୍ଧ ବଘିଆପଡା ରାସ୍ତାର ଜଗଦୀଶପୁର ଛକ ନିକଟରେ କିଛି ଯୁବକ ଧାରୁଆ ଅସ୍ତ୍ରରେ ଭୂଷି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଛନ୍ତି । ମୁନାର ଛାତିରେ କୌଣସି ଧାରୁଆ ଅସ୍ତ୍ରରେ ଆଘାତ କରିବା ପରେ ସେ ଘଟଣାସ୍ଥଳରେହିଁ ଟଳି ପଡିଥିବା ଜଣାଯାଇଛି । ଦିନ ଦ୍ୱିପ୍ରହରେ ମୁଖ୍ୟ ରାସ୍ତା ଉପରେ ଏହି ହତ୍ୟାକାଣ୍ଡ ଘଟିଥିଲେବି ଅପରାଧୀମାନେ ଫେରାର ହେବାରେ ସଫଳ ହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୁବୃତ୍ତ ମାନେ ହତ୍ୟାକାଣ୍ଡ ଭିଆଇବା ପରେ ଏକ ନିଳ ରଙ୍ଗର ସ୍କୁଟିରେ ବସି ବୁଟୁପାଲି ରାସ୍ତାରେ ଫେରାର ମାରିଥିବା ଜଣାଯାଇଛି । ତେବେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବାବେଳେ ପ୍ରାଥମିକ ତଦନ୍ତରେ ବ୍ୟବସାୟୀକ ଶତୃତା କିମ୍ବା ଜାଗାବାଡି କାରଣରୁ ଏହା ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରେ ପୋଲିସ ସନ୍ଦେହ କରିଛି । ସିସିଟିଭି ଫୁଟେଜ ସଂଗ୍ରହ କରାଗଲେ ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ମିଳିବା ସମ୍ଭାବନା ରହିଥିବା ନେଇ ଆଲୋଚନା ହେଉଅଛି । ସୂଚନା ମୁତାବକ ମୁନା ଜଗଦୀଶପୁର ଛକ ନିକଟରେ ଏକ ଘର ନିର୍ମାଣ କରୁଥିବାବେଳେ କାମ ଦେଖିବାକୁ ପ୍ରତିଦିନ ସେଠାକୁ ଆସିଥାନ୍ତି । ତେଣୁ ହତ୍ୟାକାରୀମାନେ ପୂର୍ବରୁ ଏ ସଂପର୍କରେ ଅବଗତ ଥିବା ସହିତ ଯୋଜନାବଦ୍ଧ ଭାବରେ ତାଙ୍କୁ ହତ୍ୟା କରିଥିବା ଆଲୋଚନା ହେଉଅଛି । ହତ୍ୟାକାଣ୍ଡ ପରେ ସ୍ଥାନୀୟ ଲୋକମାନେ ଶବରଖି କିଛି ସମୟ ରାସ୍ତା ରୋକ କରିଥିଲେ । ତେବେ ବୌଦ୍ଧ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ଘଟଣାସ୍ଥଳରେ ପହଞ୍ଚି ବୁଝା ଶୁଝା କରି ଶବକୁ ଆମ୍ବୁଲାନସ ଯୋଗେ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । କିଛି ସମୟ ପରେ ବଜରଙ୍ଗଦଳର କର୍ମୀମାନେ ଆସି ପୁନର୍ବାର ଘଟଣାସ୍ଥଳରେ ରାସ୍ତାରୋକ କରିବା ସହିତ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ମୃତ ଯୁବ ବ୍ୟବସାୟୀ ବଜରଙ୍ଗ ଦଳର ଜଣେ ସକ୍ରିୟ କର୍ମୀ ବୋଲି ଜଣାପଡିଛି । ପୋଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି