ସ୍ୱୟଂପ୍ରଜ୍ଞାଙ୍କ ବଳିଷ୍ଠ ସଫଳତା: ନିଟ୍ରେ କୃତିତ୍ୱ ହାସଲ କରି ନୂଆଦିଲ୍ଲୀରେ ସମ୍ବର୍ଦ୍ଧିତ
ନୟାଗଡ଼,୨୭/୭:ଜାତୀୟ ସ୍ତରର ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍) ୨୦୨୬ରେ ବାଜିମାରିଛନ୍ତି ନୟାଗଡ଼ ଜିଲ୍ଲାର ପ୍ରତିଭାବାନ ଝିଅ ସ୍ୱୟଂପ୍ରଜ୍ଞା ସାହୁ। ପ୍ରଥମ ପ୍ରୟାସରେ ଏହି ସଫଳତା ହାସଲ କରି ସେ ସମଗ୍ର ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ସ୍ୱୟଂପ୍ରଜ୍ଞା ଏହି ପ୍ରତିଯୋଗିତାମୂଳକ ପରୀକ୍ଷାରେ ୫୯୯ ମାର୍କ ରଖି ସର୍ବଭାରତୀୟ ସ୍ତରରେ ୧୦୪୧୬ ରାଙ୍କ ହାସଲ କରିଛନ୍ତି। ଯୁକ୍ତ ଦୁଇ (+୨) ପାସ୍ କରିବା ପରେ ପ୍ରଥମ ପ୍ରୟାସରେ ଏପରି ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିବା ତାଙ୍କର କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତିର ପରିଚୟ ଦିଏ।
ସ୍ୱୟଂପ୍ରଜ୍ଞାଙ୍କ ଏହି କୃତିତ୍ୱ ପାଇଁ ନୂଆଦିଲ୍ଲୀସ୍ଥିତ ଫିଜିକ୍ସୱାଲା କେନ୍ଦ୍ରୀୟ ମୁଖ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ସେଠାରେ ତାଙ୍କୁ 'ଟପ୍ପର ୨୦୨୬' ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇ ଭବ୍ୟ ସମ୍ମାନିତ କରାଯାଇଥିଲା। ନୟାଗଡ଼ ମହର୍ଷି ବିଦ୍ୟାମନ୍ଦିରରୁ ୯୭ ପ୍ରତିଶତ ନମ୍ବର ସହ ମାଟ୍ରିକ ପାସ୍ କରିବା ପରେ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ପ୍ରତିଷ୍ଠାନରେ ପ୍ରତିଷ୍ଠାନରେ +୨ ଅଧ୍ୟୟନ ସହିତ ନିଟ୍ ପାଇଁ ପ୍ରସ୍ତୁତି ଚଳାଇଥିଲେ।
ସେ ନୂଆଗାଁ ବ୍ଲକ ଅନ୍ତର୍ଗତ ଖଣ୍ଡୁଗାଁ ଗ୍ରାମର ନିବାସୀ ତଥା ମଧୁବନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ ସତ୍ୟନାରାୟଣ ସାହୁ ଏବଂ ନବଘନପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ସାହୁଙ୍କ ସୁକନ୍ୟା ଅଟନ୍ତି। ତାଙ୍କର ଏହି ସଫଳତାରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବାବେଳେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛା ଓ ଅଭିନନ୍ଦନର ସୁଅ ଛୁଟିଛି।
ଆଶୋକ କୁମାର ସ।ଥୁଆ ଜିଲ୍ଲା ପ୍ରତିନିଧି


admin 
