*ଅଦମ୍ୟ ଇଚ୍ଛାଶକ୍ତି: ପାଦରେ ଲେଖି ମାଟ୍ରିକ ପାସ୍ କଲେ ମାଲକାନଗିରିର ଲକ୍ଷ୍ମୀ, ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ ଓ ପ୍ରଶାସନ*

*ଅଦମ୍ୟ ଇଚ୍ଛାଶକ୍ତି: ପାଦରେ ଲେଖି ମାଟ୍ରିକ ପାସ୍ କଲେ ମାଲକାନଗିରିର ଲକ୍ଷ୍ମୀ, ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ ଓ ପ୍ରଶାସନ*

ମାଲକାନଗିରି,୫/୫/୨୬:

ସଫଳତା ପାଇଁ ଶାରୀରିକ ଅକ୍ଷମତା କେବେ ବି ପ୍ରତିବନ୍ଧକ ସାଜିପାରେନାହିଁ, ଏହାକୁ ପ୍ରମାଣ କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲାର ଲକ୍ଷ୍ମୀ ଖେମୁଣ୍ଡୁ। ବନ୍ଧଗୁଡା ଗ୍ରାମର ଏହି ଭିନ୍ନକ୍ଷମ ଛାତ୍ରୀ ହାତ ବଦଳରେ ପାଦରେ ଲେଖି ଚଳିତ ୨୦୨୬ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଲକ୍ଷ୍ମୀଙ୍କର ଏହି ବିରଳ ସଫଳତା ପରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ ତାଙ୍କ ବାସଭବନ ପରିଦର୍ଶନ କରିଥିଲେ। ଲକ୍ଷ୍ମୀଙ୍କ ସହ ଆଲୋଚନା କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଏହି ପରିଦର୍ଶନ ସମୟରେ ଲକ୍ଷ୍ମୀଙ୍କ ପରିବାରର ଆର୍ଥିକ ଅବସ୍ଥା ଓ ମିଳୁଥିବା ସରକାରୀ ସୁବିଧା ସୁଯୋଗର ମଧ୍ୟ ତଦାରଖ କରାଯାଇଥିଲା। ଲକ୍ଷ୍ମୀ ଜଣେ ୮୦% ଭିନ୍ନକ୍ଷମ ବ୍ୟକ୍ତି ଭାବେ ୟୁଡିଆଇଡି ନମ୍ବର ପ୍ରମାଣପତ୍ର ପାଇଛନ୍ତି। ତାଙ୍କୁ ବାଣୀଶ୍ରୀ ବୃତ୍ତି ଯୋଜନାରେ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ମୋଟ ୫୦୦୦ ଟଙ୍କା ଏବଂ ପାଠପଢା ସହାୟତା ପାଇଁ ଅତିରିକ୍ତ ୫୦୦୦ ଟଙ୍କାର ଏସ୍କର୍ଟ ଆଲାଉନ୍ସ ପ୍ରଦାନ କରାଯାଇଛି। ଏଥିସହ ସେ ଏମବିପିୱାଇଏସଡିପି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ମାସିକ ୩୫୦୦ ଟଙ୍କା ସାମାଜିକ ସୁରକ୍ଷା ପେନସନ ପାଉଛନ୍ତି।

ପରିବାରର ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଗ୍ରାମୀଣ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଥିବା ବେଳେ ଅନ୍ତୋଦୟ କାର୍ଡ ମାଧ୍ୟମରେ ମାସିକ ୩୫ କିଲୋଗ୍ରାମ ଚାଉଳ ପ୍ରଦାନ କରାଯାଉଛି। ଚଳପ୍ରଚଳରେ ସୁବିଧା ପାଇଁ ଲକ୍ଷ୍ମୀଙ୍କୁ ଦୁଇଟି ହୁଇଲ ଚେୟାର ମଧ୍ୟ ଦିଆଯାଇଛି। ଲକ୍ଷ୍ମୀଙ୍କ ପିତା ନାରାୟଣ ଖେମୁଣ୍ଡୁ ଜଣେ ରାଜମିସ୍ତ୍ରୀ ଭାବେ କାମ କରି ୬ ଜଣିଆ ପରିବାର ପ୍ରତିପୋଷଣ କରୁଥିବା ବେଳେ ଝିଅର ଏହି ସଫଳତାରେ ସେ ବହୁତ ଖୁସି ଅଛନ୍ତି। ଲକ୍ଷ୍ମୀ ସିନ୍ଧ୍ରିମାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ନିଜର ଉଚ୍ଚଶିକ୍ଷା ଜାରି ରଖିବେ ବୋଲି ଜଣାପଡିଛି। ଏହି ସମ୍ପର୍କିତ ସବିଶେଷ ବିବରଣୀ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି ଏବଂ ଆଗକୁ ଆବଶ୍ୟକୀୟ ସମସ୍ତ ସହଯୋଗ ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ମାଲକାନଗିରି ରୁ ଆବ୍ରାହମ କୁମାର ସେନାପତି