ଏ.ବି.ଡି.ଓ. ସରୋଜ କୁମାର ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଏ.ବି.ଡି.ଓ. ସରୋଜ କୁମାର ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ମାଥିଲି, ତା. 30/04/2026 (ମାଥିଲି ଶିବପ୍ରସାଦ ପରିଛା ବିଶେଷ ଖବର ): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ ବ୍ଲକ ବିକାଶ ଅଧିକାରୀ (ଏ.ବି.ଡି.ଓ.) ସରୋଜ କୁମାର ପ୍ରଧାନ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଗୁରୁବାର ମାଥିଲି ବ୍ଲକ ପରିସରରେ ତାଙ୍କୁ ଉଦ୍ଦେଶ୍ୟ କରି ଏକ ଭାବଗମ୍ଭୀର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।

ଶ୍ରୀ ପ୍ରଧାନ ତାଙ୍କର କର୍ମଜୀବନ ମାଲକାନଗିରି ବ୍ଲକରେ ପି.ଏ. ଭାବେ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ କୋରୁକୋଣ୍ଡା ବ୍ଲକରେ ବ୍ଲକ ବିକାଶ ଅଧିକାରୀ (ବିଡିଓ) ଭାବେ ଦାୟିତ୍ୱ ସଫଳତାର ସହ ନିର୍ବାହ କରିଥିଲେ। ଏହାପରେ ମାଲକାନଗିରିରେ ଜିଲ୍ଲା ପଞ୍ଚାୟତ ଅଧିକାରୀ (ଡିପିଓ) ଭାବେ କାର୍ଯ୍ୟ କରି, ପରେ ମାଥିଲି ବ୍ଲକରେ ଏ.ବି.ଡି.ଓ. ଭାବେ ଯୋଗଦେଇ ନିଜ କାର୍ଯ୍ୟଦକ୍ଷତା, ସରଳତା ଓ ମିଷ୍ଟଭାଷୀ ସ୍ୱଭାବ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିପାରିଥିଲେ।

ତାଙ୍କର କାର୍ଯ୍ୟଶୈଳୀ, ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ପାଇଁ ସେ ସଦା ଉପରିସ୍ଥ ଅଧିକାରୀମାନଙ୍କ ପ୍ରଶଂସାର ପାତ୍ର ହୋଇଆସିଥିଲେ। ବିଶେଷକରି ନିର୍ବାଚନ ପରିଚାଳନା କାର୍ଯ୍ୟରେ ତାଙ୍କର ଦକ୍ଷତା ଓ ଅନୁଭବ ସବୁବେଳେ ପ୍ରଶଂସିତ ହୋଇଥିଲା।

ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମାଥିଲି ବିଡିଓ ପ୍ରମୋଦ କୁମାର ବେହେରାଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ପ୍ରଧାନଙ୍କ କର୍ମନିଷ୍ଠା, ନେତୃତ୍ୱ ଓ ମାନବିକ ଗୁଣାବଳୀର ଭୁରିଭୁରି ପ୍ରଶଂସା କରିଥିଲେ। ଶେଷରେ ତାଙ୍କର ସୁସ୍ଥ, ସୁଖମୟ ଓ ଦୀର୍ଘାୟୁ ଅବସରଜୀବନ କାମନା କରାଯାଇଥିଲା।