କୁଟୁରୁମାଲି ଖଣି ଜନଶୁଣାଣିକୁ ବିରୋଧ କରି ରାଜ୍ୟ ପ୍ରଦୂଷଣ ବୋର୍ଡକୁ ଚିଠି ଲେଖିଲେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା*

କୁଟୁରୁମାଲି ଖଣି ଜନଶୁଣାଣିକୁ ବିରୋଧ କରି ରାଜ୍ୟ ପ୍ରଦୂଷଣ ବୋର୍ଡକୁ ଚିଠି ଲେଖିଲେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା*

*ଭୁବନେଶ୍ୱର, ୧୫ ଅପ୍ରେଲ : କୁଟୁରୁମାଲି ବକ୍ସାଇଟ୍ ଖଣି ପାଇଁ ଆସନ୍ତା ୧୩ ମଇ ୨୦୨୬ରେ କାଶୀପୁର ବ୍ଲକ କାର୍ଯ୍ୟାଳୟରେ ହେବାକୁ ଥିବା ଜନଶୁଣାଣିକୁ ବିରୋଧ କରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ବିଶିଷ୍ଟ ପରିବେଶବିତ୍ ତଥା ଲୋକଶକ୍ତି ଅଭିଯାନର ରାଷ୍ଟ୍ରୀୟ ସଂଯୋଜକ ପ୍ରଫୁଲ୍ଲ ସାମନ୍ତରା।*

*ଶ୍ରୀ ସାମନ୍ତରା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସିଜିମାଳି ଅଞ୍ଚଳରେ ଚାଲୁଥିବା ତୀବ୍ର ଖଣି ବିରୋଧୀ ଆନ୍ଦୋଳନ ଓ ପୋଲିସ ଦମନର ପରିସ୍ଥିତି ମଧ୍ୟରେ ଏପରି ଜନଶୁଣାଣି ଆୟୋଜନ କରିବା ଯଥାର୍ଥ ନୁହେଁ। ଏଥିରେ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ଥିବାରୁ ସ୍ୱାଧୀନ ଭାବେ ନିଜ ମତ ପ୍ରକାଶ କରିପାରିବେ ନାହିଁ।*

*ଚିଠିରେ କଣ୍ଟାମାଳ ଅଞ୍ଚଳରେ ପୋଲିସ ଆକ୍ରମଣରେ ଗ୍ରାମବାସୀ ଆହତ ହୋଇଥିବା ଓ ଏହା ଫଳରେ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଥିବା କଥା ଉଠାଯାଇଛି। ଏହା ସହ ଜନଶୁଣାଣିର ସ୍ଥାନ ପ୍ରଭାବିତ ଗ୍ରାମଗୁଡ଼ିକ ଠାରୁ ଦୂରରେ ରହିଥିବାରୁ ଏହାକୁ ନିୟମାବଳୀ ବିରୋଧୀ ବୋଲି ଅଭିଯୋଗ କରାଯାଇଛି। ଚିଠିରେ ଏହାକୁ ପ୍ରଭାବିତ ଲୋକଙ୍କୁ ଜନଶୁଣାଣିରୁ ଦୂରେଇ ରଖିବାର ଚେଷ୍ଟା ବୋଲି କୁହାଯାଇଛି।*

*ସେହିପରି, ଖଣି ପାଇଁ ଆବଶ୍ୟକ ଗ୍ରାମସଭା ଅନୁମୋଦନ ହୋଇନଥିବା ଓ ସ୍ଥାନୀୟ ଲୋକଙ୍କ ସହମତି ନ ନିଆଯାଇଥିବା ମଧ୍ୟ ଚିଠିରେ ଉଲ୍ଲେଖ ହୋଇଛି। ଚିଠିରେ ଦାବି କରାଯାଇଛି ଯେ, ସମ୍ପୃକ୍ତ ଅଞ୍ଚଳରେ ସାଧାରଣ ପରିସ୍ଥିତି ଫେରିଆସିବା ଓ ଗ୍ରାମସଭାର ଅନୁମୋଦନ ମିଳିବା ପର୍ଯ୍ୟନ୍ତ ଜନଶୁଣାଣିକୁ ବାତିଲ କରାଯାଉ। ଏଥି ସହିତ ଜନଶୁଣାଣି ଏଭଳି ଏକ ସ୍ଥାନରେ ହେବା ଉଚିତ, ଯେଉଁଠାକୁ ଲୋକମାନେ ଅତି କମ୍ ଦୂରତା ଅତିକ୍ରମ କରି ଆସିପାରିବେ ବୋଲି ଶ୍ରୀ ସାମନ୍ତରା ଚିଠିରେ ଉଲ୍ଲେଖ କରିଛନ୍ତି।*

*ଡଃ ବିଶ୍ୱଜିତ୍*

*ମୋ :* ୯୪୩୭୨୧୮୭୧୭