ଦାମୀ ଔଷଧ ଲେଖିଲେ ଡାକ୍ତରଙ୍କ ବିରୋଧରେ ହେବନି ଫୌଜଦାରୀ ମାମଲା:ହାଇକୋର୍ଟ
ଦାମୀ ଔଷଧ ଲେଖିଲେ ଡାକ୍ତରଙ୍କ ବିରୋଧରେ ହେବନି ଫୌଜଦାରୀ ମାମଲା:ହାଇକୋର୍ଟ
ଦାମୀ ମେଡିସିନ ଲେଖୁଥିଲେ ଡାକ୍ତରଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଇପାରିବ ନାହିଁ । ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ବିଶେଷକରି ଯଦି କୌଣସି ଡାକ୍ତର ଦାମୀ ମେଡିସିନ୍ ଲେଖୁଥିଲେ କିମ୍ବା କୌଣସି ମେଡିସିନ କମ୍ପାନୀ ଦ୍ୱାରା ଆୟୋଜିତ ସେମିନାରରେ ଯୋଗ ଦିଅନ୍ତି ତେବେ ତାଙ୍କୁ ଦୋଷୀ କରାଯାଇପାରିବ ନାହିଁ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି ।ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠ ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ।
ଆଚାର୍ୟ୍ୟ ହରିହର ଆଞ୍ଚଳିକ କର୍କଟ ଚିକିତ୍ସା କେନ୍ଦ୍ରର ଡାକ୍ତର ଦମ୍ପତି ପ୍ରଫେସର ଡାକ୍ତର ସୁରେନ୍ଦ୍ରନାଥ ସେନାପତି ଏବଂ ଡାକ୍ତର ଦୀପ୍ତିରାଣୀ ସାମନ୍ତଙ୍କ ବିରୋଧରେ ରୁଜୁ ଭିଜିଲାନ୍ସ ମାମଲାକୁ ରଦ୍ଦ କରି କୋର୍ଟ କହିଛନ୍ତି ଡାକ୍ତର ଦାମୀ ମେଡ଼ିସିନ ଲେଖିବା କୌଣସି ଅପରାଧ ନୁହେଁ । କାରଣ ଡାକ୍ତରଙ୍କ କର୍ତ୍ତବ୍ୟ ହେଉଛି ଜଣେ ରୋଗୀଙ୍କୁ ସଠିକ ଚିକିତ୍ସା କରିବା । ସେହିପରି ଜଣେ ଡାକ୍ତର ଚିକିତ୍ସା କରିବା ସମୟରେ କିଏ ଧନୀ ଆଉ କିଏ ଗରିବ ତାକୁ ଵିଚାର କରିପାରିବନାହିଁ । ସମସ୍ତ ରୋଗୀଙ୍କୁ ସବୁଠାରୁ ଭଲ ମେଡିସିନ୍ ଯୋଗାଇଦେବା ରାଜ୍ୟ ସରକାରଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ଅଟେ । ଡାକ୍ତର ମାନେ ଯଦି ଏକ ନିର୍ଦ୍ଦିଷ୍ଟ ଔଷଧ ଲେଖନ୍ତି ଏବଂ ଏହା ଦ୍ୱାରା ଯଦି ଫାର୍ମା କମ୍ପାନୀ ଲାଭବାନ ହେଉଛି ସେଥିପାଇଁ ଡାକ୍ତରଙ୍କୁ ଦାୟୀ କରାଯାଇ ପାରିବନାହିଁ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଏହି କ୍ରମରେ ଡାକ୍ତର ଦମ୍ପତିଙ୍କ ବିରୋଧରେ ରୁଜୁ ଭିଜିଲାନ୍ସ ମାମଲାକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି ।