ବୌଦ୍ଧରେ ଜିଲ୍ଲାସ୍ତରୀୟ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ବୌଦ୍ଧରେ ଜିଲ୍ଲାସ୍ତରୀୟ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ବୌଦ୍ଧରେ ଜିଲ୍ଲାସ୍ତରୀୟ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ l ବୌଦ୍ଧ:୨୦/୬(ରବିନ୍ଦ୍ର ପଟ୍ଟନାୟକ) ବୌଦ୍ଧ ସହରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଗୁଣ୍ଡିଚା ରଥଯାତ୍ରା ଚଳିତ ବର୍ଷ ଜୁଲାଇ ୧୬ ତାରିଖ ଏବଂ ବାହୁଡ଼ା ଯାତ୍ରା ଜୁଲାଇ ୨୪ ତାରିଖରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ। ଏହି ଉତ୍ସବର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ-ଜିଲ୍ଲାପାଳ ତଥା ଦେବତ୍ତର ନିର୍ବାହୀ ଅଧିକାରୀ ବିନୟ କୁମାର ଭୋଇ, ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ, ଡେପୁଟି କଲେକ୍ଟର ତଥା ନିଜାରତ ଅଧିକାରୀ ମନୀଷା ମହାନନ୍ଦିଆ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ରଥଯାତ୍ରା କମିଟି , ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।ସଭା ପ୍ରାରମ୍ଭରେ ଉପ-ଜିଲ୍ଲାପାଳ ତଥା ଦେବତ୍ତର ନିର୍ବାହୀ ଅଧିକାରୀ ସମସ୍ତ ଅତିଥି ଓ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ରଥଯାତ୍ରା କମିଟି ଏବଂ ମନ୍ଦିର ପରିଚାଳନା କମିଟିର ସକ୍ରିୟ ସଦସ୍ୟ ସ୍ୱର୍ଗତ ଅଚ୍ୟୁତାନନ୍ଦ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲାବୈଠକରେ ବିଗତ ବର୍ଷର ଆୟ-ବ୍ୟୟ ହିସାବ ଉପସ୍ଥାପନ ସହିତ ରଥ ମରାମତି,ଦେବନୀତି, ଛେରା ପହଁରା ନୀତି, ବଡ଼ଦାଣ୍ଡରେ ଥିବା ଗଛର ଡାଳ କଟେଇ, ମାଉସୀମା ମନ୍ଦିରର ମରାମତି, ମନ୍ଦିରଗୁଡ଼ିକର ରଙ୍ଗ କାମ, ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା, ଆଇନ ଓ ଶାନ୍ତିଶୃଙ୍ଖଳା ରକ୍ଷା, ମିନାବଜାର ନିଲାମ, ଜନସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଜରୁରୀକାଳୀନ ଚିକିତ୍ସା ସେବା, ସୂଚନା ଓ ପ୍ରଚାର ବ୍ୟବସ୍ଥା, ଆଲୋକୀକରଣ, ଭଜନ ସମାରୋହ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ସମସ୍ତ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ ରକ୍ଷା କରି ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଶୃଙ୍ଖଳ ଭାବେ ସମ୍ପନ୍ନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏଥିସହ ଜନସାଧାରଣ, ସ୍ୱେଚ୍ଛାସେବୀ ସଂଗଠନ, ବଦାନ୍ୟ ବ୍ୟକ୍ତିବିଶେଷ ଓ ଜନପ୍ରତିନିଧିମାନଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ।ଶେଷରେ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।