ମେକ୍କା ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଜନ ଶୁଣାଣି ,୨୭ ଅଭିଯୋଗ ଗ୍ରହଣ, ତୁରନ୍ତ ସମାଧାନର ପ୍ରତିଶ୍ରୁତି

ମେକ୍କା ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଜନ ଶୁଣାଣି ,୨୭ ଅଭିଯୋଗ ଗ୍ରହଣ, ତୁରନ୍ତ ସମାଧାନର ପ୍ରତିଶ୍ରୁତି

ମାଥିଲି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମେକ୍କା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମେକ୍କା ଗ୍ରାମରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କ ସମସ୍ୟାକୁ ସେମାନଙ୍କ ନିକଟରେ ଯାଇ ଶୁଣିବା ଏବଂ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ କରିବା ଉଦ୍ଦେଶ୍ୟରେ ଏହି ଜନ ଶୁଣାଣି ଶିବିର ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ମେକ୍କା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରଞ୍ଜିତା ପୂଜାରୀଙ୍କ ସମେତ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ରହି ନିଜ ନିଜ ସମସ୍ୟା ଓ ଅଭିଯୋଗ ପ୍ରଶାସନଙ୍କ ସମ୍ମୁଖରେ ରଖିଥିଲେ। ବିଭିନ୍ନ ସରକାରୀ ଯୋଜନା, ମୌଳିକ ସୁବିଧା, ଜମିଜମା, ଭତ୍ତା, ରାସ୍ତାଘାଟ ଓ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଗ୍ରାମବାସୀମାନେ ଅଭିଯୋଗ ଦାଖଲ କରିଥିଲେ।

ଆଜିର ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ମୋଟ ୨୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଗ୍ରାମବାସୀଙ୍କ ପ୍ରତ୍ୟେକ ଅଭିଯୋଗକୁ ଅଧିକାରୀମାନେ ଗୁରୁତ୍ୱର ସହ ଶୁଣିବା ସହ ଆବଶ୍ୟକୀୟ ଯାଞ୍ଚ ଓ ବିଭାଗୀୟ ପଦକ୍ଷେପ ନେଇ ସମସ୍ୟାର ସମାଧାନ କରାଯିବ ବୋଲି ଆଶ୍ୱାସନ ଦେଇଥିଲେ।

ଜନ ଶୁଣାଣିରେ ମାଥିଲି ତହସିଲଦାର ଶ୍ରୀମତୀ ମାନସୀ ଭୋଇ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବ ଶଙ୍କର ସାହୁ ଏବଂ GPEO ଶ୍ରୀ ସଞ୍ଜୟ କୁମାର ସାମଲଙ୍କ ସମେତ ବ୍ଲକ ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ। ଫଳରେ ଗ୍ରାମବାସୀମାନେ ନିଜ ନିଜ ବିଭାଗ ସମ୍ପର୍କିତ ସମସ୍ୟା ସିଧାସଳଖ ଭାବେ ସମ୍ପୃକ୍ତ ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥାପନ କରିବାର ସୁଯୋଗ ପାଇଥିଲେ।

ଅଭିଯୋଗଗୁଡ଼ିକୁ ଗ୍ରହଣ କରିବା ସହ ନିୟମାନୁଯାୟୀ ଆବଶ୍ୟକ ପଦକ୍ଷେପ ନେଇ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ କରିବା ପାଇଁ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ଯେଉଁ ଅଭିଯୋଗଗୁଡ଼ିକ ପାଇଁ ବିଭାଗୀୟ ଯାଞ୍ଚ କିମ୍ବା ଅଧିକ ସମୟ ଆବଶ୍ୟକ, ସେଗୁଡ଼ିକୁ ମଧ୍ୟ ନିୟମ ଅନୁଯାୟୀ ଶୀଘ୍ର ନିଷ୍ପତ୍ତି ନେବା ନେଇ ଅଧିକାରୀମାନେ ଆଶ୍ୱାସନ ଦେଇଥିଲେ।

ଏହି ଜନ ଶୁଣାଣି କାର୍ଯ୍ୟକ୍ରମକୁ ସଫଳ ଓ ସୁଚାରୁ ଭାବେ ଆୟୋଜନ କରିବାରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରଞ୍ଜିତା ପୂଜାରୀଙ୍କ ସହ ଗ୍ରାମବାସୀଙ୍କ ସହଯୋଗ ରହିଥିଲା। ଏଥିସହ ସମାଜସେବୀ ଶ୍ରୀ ସଦାଶିବ ପୂଜାରୀ ମଧ୍ୟ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଗ୍ରାମବାସୀମାନଙ୍କୁ ଜନ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେବା ସହ ନିଜ ନିଜ ସମସ୍ୟା ପ୍ରଶାସନଙ୍କ ନିକଟରେ ଉପସ୍ଥାପନ କରିବାରେ ସେ ସହଯୋଗ କରିଥିଲେ।

ଲୋକଙ୍କ ସମସ୍ୟା ଶୁଣିବା ଓ ତାହାର ସମାଧାନ ପାଇଁ ପ୍ରଶାସନ ଗ୍ରାମସ୍ତରକୁ ପହଞ୍ଚିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ମଧ୍ୟ ଏଭଳି ଜନ ଶୁଣାଣି ମାଧ୍ୟମରେ ଗ୍ରାମାଞ୍ଚଳର ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଶୀଘ୍ର ସମାଧାନ କରାଯିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

(ମାଥିଲି ରୁ ପ୍ପେଶଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର )