ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ; ଗୋବିନ୍ଦପାଲ୍ଲୀରେ ଅଟକିଥିବା ଟ୍ରକ୍‌ ଓ ବସ୍‌ କର୍ମଚାରୀଙ୍କୁ ସହାୟତା

ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ; ଗୋବିନ୍ଦପାଲ୍ଲୀରେ ଅଟକିଥିବା ଟ୍ରକ୍‌ ଓ ବସ୍‌ କର୍ମଚାରୀଙ୍କୁ ସହାୟତା

ମାଥିଲି ୨୬/୯:ମାଲକାନଗିରି ଜିଲ୍ଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗତ ୨୩ରୁ ୨୫ ତାରିଖ ମଧ୍ୟରେ ଜିଲ୍ଲାରେ ହୋଇଥିବା ପ୍ରବଳ ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ ବର୍ତ୍ତମାନ ଦ୍ରୁତ ସୁଧାର ଆସିଛି। ଜିଲ୍ଲାରେ ବର୍ଷା ପରିମାଣ କମିବା ସହ ବନ୍ୟାଜଳ ହ୍ରାସ ପାଇଛି ଏବଂ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଥିବା ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି, କାଲିମେଳା, ମାଥିଲି, ମୋଟୁ, ଖଇରପୁଟ, ଚିତ୍ରକୋଣ୍ଡା, କୋରୁକୋଣ୍ଡା ଓ ପଡ଼ିଆ ଅଞ୍ଚଳ ପ୍ରଭାବିତ ହୋଇଥିଲା। ବର୍ଷା ଓ ପବନ ଯୋଗୁଁ ୮୬ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଥିରେ ୮୫ଟି କଚ୍ଚା ଘର ଓ ଗୋଟିଏ ପକ୍କା ଘର ରହିଛି। ପ୍ରଭାବିତ ପରିବାରଙ୍କୁ ତୁରନ୍ତ ୩୨୪ ରୋଲ୍‌ ପଲିଥିନ୍‌ ସିଟ୍‌ ବଣ୍ଟନ କରାଯାଇଛି।

ବର୍ଷାରେ ୪୬ଟି ବିଦ୍ୟୁତ୍‌ ଖୁଣ୍ଟ ଓ ୧୨ଟି ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହେବାରୁ ପ୍ରାୟ ୧୨ ହଜାର ବିଦ୍ୟୁତ୍‌ ଗ୍ରାହକ ପ୍ରଭାବିତ ହୋଇଛନ୍ତି। ଏଥିସହ ୧୫ଟି ଗ୍ରାମ୍ୟ ରାସ୍ତା ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟାନ୍ୟ କ୍ଷୟକ୍ଷତିର ଆକଳନ ଜାରି ରହିଛି।

ପ୍ରବଳ ବର୍ଷା ଯୋଗୁଁ ଜାତୀୟ ରାଜପଥ-୩୨୬ର ୫ଟି ପୋଲ ସମେତ ଜିଲ୍ଲାର ମୋଟ ୧୮ଟି ପୋଲ ବନ୍ୟାଜଳରେ ବୁଡ଼ି ଯାଇଥିଲା। ତେବେ ବର୍ତ୍ତମାନ ବନ୍ୟାଜଳ ହ୍ରାସ ପାଇବା ପରେ ସମସ୍ତ ପୋଲ ଖୋଲି ଦିଆଯାଇଛି ଏବଂ ଯାତାୟାତ ସ୍ୱାଭାବିକ ହୋଇଛି।

ବିପଦପୂର୍ଣ୍ଣ ଅଞ୍ଚଳରୁ ପ୍ରଶାସନ ପକ୍ଷରୁ ୨,୪୦୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୨୫ଟି ମାଗଣା ରୋଷେଇ କେନ୍ଦ୍ର ମାଧ୍ୟମରେ ପ୍ରଭାବିତ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ୧୭୧ ଜଣ ଗର୍ଭବତୀ ମହିଳା ‘ମା’ ଗୃହରେ ସୁରକ୍ଷିତ ଭାବେ ଆଶ୍ରୟ ନେଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ବିକଳ୍ପ ରାସ୍ତା ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି।

ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ସମସ୍ତ ବ୍ଲକରେ ୨୨ଟି ସ୍ୱତନ୍ତ୍ର ମେଡିକାଲ୍‌ ଟିମ୍‌ ନିୟୋଜିତ କରାଯାଇଛି। ଏଥିସହ ଜରୁରୀକାଳୀନ ଭିତ୍ତିରେ ୪୩ଟି ଗୃହପାଳିତ ପଶୁଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଛି। ଫସଲ କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ମଧ୍ୟ ଚାଲିଛି।

ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ୍‌, ଅଗ୍ନିଶମ ଓ ପୋଲିସ

ଜିଲ୍ଲାରେ ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟ ପାଇଁ ୨ଟି ଓଡ୍ରାଫ୍‌ ଟିମ୍‌, ବିଭିନ୍ନ ବିପଦପୂର୍ଣ୍ଣ ଅଞ୍ଚଳରେ ୭ଟି ଅଗ୍ନିଶମ ଟିମ୍‌ ଏବଂ ପର୍ଯ୍ୟାପ୍ତ ପୋଲିସ ବାହିନୀ ମୁତୟନ ରହିଛନ୍ତି।

ଏହି ସମୟରେ ଆନ୍ତଃରାଜ୍ୟ ସହଯୋଗର ଏକ ଉଦାହରଣ ସୃଷ୍ଟି ହୋଇଛି। ଛତିଶଗଡ଼ର ସୁକମା ଜିଲ୍ଲା ପ୍ରଶାସନର ଅନୁରୋଧକ୍ରମେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଟିଏ ଅଗ୍ନିଶମ ଦଳକୁ ସୁକମା ଜିଲ୍ଲାର ଓଲେର୍‌ ଗ୍ରାମ ପଞ୍ଚାୟତକୁ ପଠାଯାଇଛି। ସେଠାରେ ଉଦ୍ଧାର ଓ ଜରୁରୀକାଳୀନ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି।

ଗୋବିନ୍ଦପାଲ୍ଲୀରେ ଅଟକିଥିବା ଯାତ୍ରୀଙ୍କୁ ସହାୟତା

ଖରାପ ପାଗ ଓ ରାସ୍ତାର ଅବସ୍ଥା ଯୋଗୁଁ ଗୋବିନ୍ଦପାଲ୍ଲୀଠାରେ ପ୍ରାୟ ୧୨୦ଟି ଟ୍ରକ୍‌ ଅଟକି ରହିଥିଲା। ଟ୍ରକ୍‌ ଚାଳକ, ହେଲ୍ପର୍‌, ବସ୍‌ ଚାଳକ ଓ କର୍ମଚାରୀଙ୍କୁ ପ୍ରଶାସନ ପକ୍ଷରୁ ମଧ୍ୟାହ୍ନ ଓ ରାତ୍ରି ଭୋଜନ, ବିଶୁଦ୍ଧ ପାନୀୟଜଳ ଏବଂ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ବର୍ତ୍ତମାନ ସ୍ଥିତି ସୁଧୁରିବା ପରେ ସେହି ରୁଟ୍‌ରେ ଯାତାୟାତ ପୁଣି ସ୍ୱାଭାବିକ ହୋଇଛି।

ଜିଲ୍ଲାପାଳ କହିଛନ୍ତି, ବର୍ଷା କମିବା ସହ ବନ୍ୟା ସ୍ଥିତିରେ ଦ୍ରୁତ ସୁଧାର ଆସିଛି। ଓଡ୍ରାଫ୍‌, ଅଗ୍ନିଶମ ବାହିନୀ, ପୋଲିସ ଓ ମେଡିକାଲ୍‌ ଟିମ୍‌ ଗ୍ରାଉଣ୍ଡ ଜିରୋରେ ସକ୍ରିୟ ରହି କାର୍ଯ୍ୟ କରୁଛନ୍ତି। ବିଦ୍ୟୁତ୍‌ ଭିତ୍ତିଭୂମି ଓ ଗ୍ରାମ୍ୟ ରାସ୍ତାର ମରାମତି କାମ ତ୍ୱରାନ୍ୱିତ କରାଯାଇଛି। ପ୍ରଭାବିତ ଅଞ୍ଚଳରେ ଖୁବ୍‌ଶୀଘ୍ର ବିଦ୍ୟୁତ୍‌ ସେବା ସହ ଅନ୍ୟାନ୍ୟ ଜରୁରୀକାଳୀନ ସେବା ସ୍ୱାଭାବିକ କରାଯିବ।

ଜିଲ୍ଲାବାସୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ପ୍ରଶାସନ ସମସ୍ତ ପରିସ୍ଥିତି ଉପରେ ନଜର ରଖିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)