ରାୟଗଡ଼ା ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା: ଜବତ ହେଲା ୨୩୦ ଗ୍ରାମ ସୁନା ଓ ଟଙ୍କା, ୧୨ ଜଣ ଗିରଫ
ରାୟଗଡ଼ା ଜିଲ୍ଲା ପୁଲିସକୁ ମିଳିଛି ସାମୟିକ ଆଶ୍ବସ୍ତି I ଜିଲ୍ଳାର ବିଭିନ୍ନ ଥାନାରେ ହୋଇଥିବା ଚୋରି ଘଟଣାରେ ପୁଲିସ ତଦନ୍ତ କରି ୧୨ ଜଣଙ୍କୁ ଗିରଫ କରିବା ସହ ୮୦ଗ୍ରାମ ସୁନା, ୫୮୧ଗ୍ରାମ ରୂପା ଏବଂ ଟଙ୍କା ଜବତ କରିଛି I ଏହା ସହ ଅଭିଯୁକ୍ତଙ୍କ ଠାରୁ ୧୨ ମୋବାଇଲ ଏବଂ ଚୋରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି I
ରାୟଗଡ଼ା ଜିଲ୍ଲାରେ ଦୀର୍ଘଦିନ ଧରି ଚାଲିଥିବା ସିରିଜ୍ ଚୋରି ଓ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିବାରେ ରାୟଗଡ଼ା ପୁଲିସ। ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ୍ର ୧୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ଦାମୀ କାର୍, ବାଇକ୍, ସୁନା-ରୂପା ଅଳଙ୍କାର, ମୋବାଇଲ୍ ଫୋନ୍ ସମେତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।
ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ରାଜ ପ୍ରସାଦ ଏହି ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସମୟରେ ରାୟଗଡ଼ା, କାଶୀପୁର, ଟିକିରି, ଚାନ୍ଦିଲି, ଗୁଣୁପୁର ସମେତ ବିଭିନ୍ନ ଥାନାର ଅଧିକାରୀ ଏବଂ ରାୟଗଡ଼ା, ଗୁଣପୁର ଓ ବିଷମକଟକ ଏସ୍ଡିପିଓ ଉପସ୍ଥିତ ଥିଲେ।
ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଇଣ୍ଟେଲିଜେନ୍ସ, ସାଇବର ୟୁନିଟ୍ ଓ ସ୍ପେଶାଲ୍ ରେଡ୍ ଟିମ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଗତ ଜୁଲାଇ ୨୫ ତାରିଖରେ ରାମନାଗୁଡ଼ା ଥାନା ଅଞ୍ଚଳରୁ ୩.୫ ଭରି ସୁନା ଚୋରି ଏବଂ ଅଗଷ୍ଟ ୧ ତାରିଖରେ ଦୋରାଗୁଡ଼ା ଥାନା ଅଞ୍ଚଳରୁ ପ୍ରାୟ ୩.୫ ଭରି ସୁନା ଗହଣା ଚୋରି ଘଟଣାକୁ ଗୁରୁତ୍ୱର ସହ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ବୈଷୟିକ ଜ୍ଞାନକୌଶଳ ଓ ଗୁଇନ୍ଦା ସୂଚନାକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଇବା ପରେ ପୁଲିସ ଗ୍ୟାଙ୍ଗ୍ର ସଦସ୍ୟମାନଙ୍କ ନିକଟରେ ପହଞ୍ଚିଥିଲା।
ଗିରଫ ୧୨ ଜଣଙ୍କ ମଧ୍ୟରେ ଦଶମନ୍ତ ନାୟକ (୨୭), ବିଷ୍ଣୁ ହରପାଲ (୨୯), ପ୍ରଶାନ୍ତ ଝୋଡ଼ିଆ (୩୦), ଦୈତାରୀ ନାୟକ (୩୦), ବିପିନ ନାୟକ (୩୦), ନରହରି ନାୟକ (୨୪), ବାବୁଲା ନାୟକ (୩୭), ବସନ୍ତରା କାର୍ତ୍ତିକ (୨୯), ଅଜୁ ଓରଫ ଦିଲ୍ଲୀପ ପଲାଇ (୩୯), ଶିବ ଶଙ୍କର ନାୟକ (୨୪), ବସନ୍ତ ବେନିଆ (୨୩) ଏବଂ ମଙ୍ଗୁଳୁ ନାଗ (୨୫) ରହିଛନ୍ତି।
ପୁଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ରାୟଗଡ଼ା, କାଶୀପୁର, ଚାନ୍ଦିଲି, ମୁନିଗୁଡ଼ା, ବିଷମକଟକ, ଗୁଣୁପୁର, କୋରାପୁଟ ଓ ନବରଙ୍ଗପୁର ଆଦି ବିଭିନ୍ନ ଥାନାରେ ୧୫ରୁ ଊର୍ଦ୍ଧ୍ୱ ସଙ୍ଗୀନ ମାମଲା ରହିଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। #Rayagada #Timesofodisha


admin 
