ଆଦିବାସୀଙ୍କୁ ରୋଜଗାର ର ରାସ୍ତା ଯୋଗାଉଛି ଟୋଲ ।

ଆଦିବାସୀଙ୍କୁ ରୋଜଗାର ର ରାସ୍ତା ଯୋଗାଉଛି ଟୋଲ ।
ମାଲକାନଗିରି, ତା:-୨୦/୦୬ ମହୁଲ ଋତୁ ପରେ ଟୋଲର ଆବିର୍ଭାବ ହୋଇଛି ଓଡ଼ିଶାର ଉପାନ୍ତ ଜିଲ୍ଲା ମାଲକାନଗିରି ଠାରେ । ଏବେ ଗଛରେ ଭରପୁର ହୋଇଛି ଟୋଲ ଫଳ ପାଚି ତଳେ ପଡିବା ଆରମ୍ଭ ହେଲାଣି । ଆଦିବାସୀ ତଥା ବନବାସୀଙ୍କ ମନରେ ଖୁସିର ଲହରି। ଫଳ ସଂଗ୍ରହ ହେଲେ ମଞ୍ଜିରୁ ଘର ପାଇଁ ତେଲ ବାହାର କରିବା ସହ କେହି କେହି ମଞ୍ଜିକୁ ବିକ୍ରି କରି ପରିବାର ପାଇଁ ତେଲ ଲୁଣ ଖର୍ଚ୍ଚ ବାହାର କରୁଛନ୍ତି । ପ୍ରାୟ ୩ ମାସ ଧରି ଏହା ଆଦିବାସି ଙ୍କ ରୋଜଗାର ଦେଇଥାଏ । ଟୋଲ ପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ନଥିବାରୁ ସଂଗ୍ରହକାରୀ ଙ୍କୁ କ୍ଷତି ସହିବାକୁ ମଧ୍ୟ ପଡୁଛି। ପଡୋଶୀ ଆନ୍ଧ୍ର ଓ ଛତିଶଗତ ବ୍ୟବସାୟୀମାନେ ଗାଡ଼ି ଲଗାଇ ଗାଁଗହଳରୁ ଏହାକୁ କମ ମୂଲ୍ୟରେ କିଣି ନେଇ ବାହାରେ ଅଧିକ ଦାମରେ ବିକ୍ରି କରି ମାଲମଲ ହେଉଛନ୍ତି । କେଳି ପିଛା ମାତ୍ର ୨୦ ରୁ ୨୫ ଟଙ୍କା ଦରରେ କିଣାଯାଉଥିବାରୁ ସଂଗ୍ରହକାରୀଙ୍କୁ କ୍ଷତି ସହିବାକୁ ପଡ଼ୁଥିବା ଅଞ୍ଚଳ ବାସୀ କହିଛନ୍ତି।
ସହର ନିକଟ ସିନ୍ଧ୍ରିମାଳ ଗାଁର ମନମୋହନ ମାଡି, ପ୍ରମିଳା ମାଡି, ଦେବେ ମାତକାମୀ, ଇର୍ମେ ମାଡକାମୀ ପ୍ରମୁଖ କହିଛନ୍ତି, ଜିଲ୍ଲାରେ ପ୍ରଚୁର ମହୁଲ ଗଛ ରହିଛି। ଏହା ବ୍ୟତୀତ ଜଙ୍ଗଲରୁ ସେମାନେ ବର୍ଷସାରା ବିଭିନ୍ନ କିସମର ବନଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଉଛନ୍ତି। କେନ୍ଦୁପତ୍ର, ଶାଳ ପତ୍ର, ଶିଆଳିପତ୍ର, ମହୁଲ, ଟୋଲ, ହରିତା, ବାହାଡ଼ା ଅଁଳା , ତେନ୍ତୁଳି, ଆମ୍ବ, ପଣସ, ଔଷଧୀୟ ଚେରମୂଳି ସଂଗ୍ରହ କରି ବିକ୍ରି କରିଥାନ୍ତି । ଗତ କିଛିଦିନ ହେବ ମହୁଲ ଗଛରୁ ଟୋଲ ପାଚି ତଳେ ପଡ଼ୁଛି । ଗାଁର ମହିଳା ପୁରୁଷ ଟୋଲ ସଂଗ୍ରହରେ ଏବେ ଲାଗିଛନ୍ତି। ପିଲାଛୁଆଙ୍କୁ ସାଥିରେ ନେଇ ଗଛ ମୂଳରୁ ଟୋଲ ସଂଗ୍ରହ କରୁଛନ୍ତି । ଫଳ ରୁ ମଞ୍ଜି ଓ ମଞ୍ଜିରୁ ତେଲ ବାହାର କରିବା ପାଇଁ ବହୁ ପରିଶ୍ରମ କରିବାକୁ ପଡ଼ୁଛି । ଟୋଲ ଆଣି ସେଥିରୁ ଚୋପା ଛଡାଇବାକୁ ପଡ଼ୁଛି । ଚୋପା କାଢିବା ପରେ ମଞ୍ଜିକୁ ପଥରରେ ଛେଡି
ଭିତରେ ଥିବା ଶସ୍ୟକୁ ବାହର କରି ଖରାରେ ଶୁଖାଇବାକୁ ପଡୁଛି । ଭଲ ଭାବରେ ମଞ୍ଜି ଶୁଖିଗଲା
ପରେ ତାକୁ ଗୁଣ୍ଡକରି ପାରମ୍ପାରିକ ପଦ୍ଧତିରେ ଏକ ଧଳା କପଢାରେ ବାନ୍ଧି କାଠଗଣ୍ଡିରେ ପଥର ଚାପ
ଦେଇ ତେଲ ବାହର କରିବାକୁ ପଡେ । କେହି କେହି ଶସ୍ୟ ଗୁଣ୍ଡକୁ ରାନ୍ଧି ସେଥିରୁ ତେଲକୁ ଛାଣି ନେଇଥାନ୍ତି। ପ୍ରାୟ ସମସ୍ତ ଆଦିବାସୀ ଗାଁରେ ଏବେ ବି ଟୋଲ ତେଲ ବ୍ୟବହାର କରାଯାଇଥାଏ। ରୋଷେଇ ଠାରୁ ଆରମ୍ଭ କରି ସମସ୍ତ କାମରେ ଲଗାଯାଇ ଥାଏ । ପ୍ରାୟ ବର୍ଷକ ପାଇଁ ନିଜ ବ୍ୟବହାର ପାଇଁ ରଖିବା ପରେ ବଳକା ତେଲ ହେଉ ବା ମଞ୍ଜିକୁ ହାଟବଜାରରେ ବଦଳ କରି ଚାଉଳ, ଲୁଣ ଓ ସଉଦା ଆଣୁଥିବା ଗ୍ରାମବାସୀ କହିଛନ୍ତି । ଏଥିରେ ସାବୁନ ଓ ଜୈବିକ ସାର ମଧ୍ୟ ପ୍ରସ୍ତୁତ କରାଯାଇ ଥାଏ। ଏଣୁ ବାହାର ବଜାରରେ ଏହାର ଚାହିଦା ରହିଛି। ଟୋଲ ହେଉକି ଟୋଲତେଲ ବିକ୍ରିବଟା ପାଇଁ ସରକାରଙ୍କ ତରଫରୁ କୌଣସି ବ୍ୟବସ୍ଥା ନ ଥିବାରୁ ଗଚ୍ଛଦରରେ ବାହାର ବେପାରୀଙ୍କୁ ବିକ୍ରିକରି କ୍ଷତି ସହିବାକୁ ପଡୁ ଥିବା ସେମାନେ କହିଛନ୍ତି । ସରକାର ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ଦାବି କରିଥିବା ଜଣା ପଡ଼ିଛି।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର